ଭୁବନେଶ୍ୱର, ୨୪/୦୯ : ଲ୍ୟାଣ୍ଡଫଲ୍ କରିଛି ଗଭୀର ଅବପାତ । ପବନ ହୋଇଛି । ହେଲେ ପବନଠୁ ବେଶି ଦାଉ ସାଧିଛି ବର୍ଷା । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନୟାଗଡ, ଖୋର୍ଧା, ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳ ଛେଚିଛି । କେଉଁଠି ରାସ୍ତାରେ ଆଣ୍ଠୁଏ ପାଣି ଯାଉଛି । ଆଉ କେଉଁଠି ଘର ଭାଙ୍ଗିଛି । ଡାଳପତ୍ର ଭାଙ୍ଗି ରାସ୍ତା ବନ୍ଦ ହୋଇଯାଇଛି । ତେବେ ଆଜି ଦିନରେ କୋରାପୁଟ ଦେଇ ଓଡିଶାରେ ପଶିବ ଗଭୀର ଅବପାତ । ଏହାସହ ତାର ଗତିପଥ ନେଇ ମଧ୍ୟ ଆସିଛି ଅପଡଡେଟ୍ ।

ବୁଧବାର ରାତିରେ ଲ୍ୟାଣ୍ଡଫଲ୍

ବୁଧବାର ରାତିରେ ଗଭୀର ଅବପାତ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ ପାଖ ଶ୍ରୀକାକୁଲମ-ବିଜୟନଗରମ ମଧ୍ୟରେ ସ୍ଥଳଭାଗ ଛୁଇଁଥିବା ବିଭିନ୍ନ ମଡେଲରୁ ସୂଚନା ମିଳିଛି। ରାତିତମାମ ଏହା ଆନ୍ଧ୍ର ଭିତରେ ତା'ର ପ୍ରକୋପ ଜାରି ରଖିଛି। ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୫୫-୬୫ କିମି ବେଗରେ ପବନ ମାଡ଼ ହୋଇଛି। ଦକ୍ଷିଣ ଓଡ଼ିଶାରେ ବି ଏହାର ବଡ଼ ପ୍ରଭାବ ପଡ଼ିଛି। କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳରେ ରାତି ତମାମ ବର୍ଷା ଜାରି ରହିଛି। ମଝିରେ ମଝିରେ ପବନ ଧାସ ବି ବାଜିଛି। ଉପକୂଳ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ବି ବର୍ଷା ଜାରି ରହିଛି।

Also Read :- ସତର୍କ ରୁହନ୍ତୁ ! ଆଜି ବିପଦ : କୋରାପୁଟ ଦେଇ ପଶିବ ଗଭୀର ଅବପାତ, ଆହୁରି ୨ ଦିନ ବର୍ଷାର ତାଣ୍ଡବ

ଏହି ସବୁ ଜାଗାକୁ ବିପଦ

ପାଣିପାଗ ବିଭାଗର ସମ୍ଭାବ୍ୟ ଚିତ୍ର ଦର୍ଶାଉଛି, ଆନ୍ଧ୍ରରୁ ଗଭୀର ଅବପାତ ସିଧା ଓଡ଼ିଶାକୁ ପଶିବ। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ବେଳକୁ କୋରାପୁଟ ଭିତରେ ଗଭୀର ଅବପାତ ଅବସ୍ଥାରେ ଥିବ। ଅତି ପ୍ରବଳ ବର୍ଷାକୁ ୫୦ କିମି ବେଗରେ ପବନ ହୋଇପାରେ ଦକ୍ଷିଣ ଓଡ଼ିଶାରେ। ସନ୍ଧ୍ୟା ପରେ ଏହାର ତୀବ୍ରତା ସାମାନ୍ୟ କମି ଅବପାତ ଅବସ୍ଥାକୁ ଖସିପାରେ।

କୋରାପୁଟର ନାରାୟଣପାଟଣା, ଲକ୍ଷ୍ମୀପୁର, ପଟାଙ୍ଗୀ ଦେଇ ଏହା ରାୟଗଡ଼ା ଓ ନବରଙ୍ଗପୁରର ଉମରକୋଟ ଭିତର ଦେଇ ଆଗକୁ ଗତି କରିପାରେ। କଳାହାଣ୍ଡିର ଭବାନୀପାଟଣା, ନୂଆପଡ଼ାର ଖରିଆର ପରେ ବଲାଙ୍ଗୀରର କଣ୍ଟାବାଞ୍ଜି ଅଞ୍ଚଳ ମଧ୍ୟ ଦେଇ ଛତିଶଗଡ଼କୁ ଯାଇପାରେ। କଳାହାଣ୍ଡିରେ ପହଞ୍ଚିଲାବେଳକୁ ଏହା ଅବପାତରୁ ୱେଲ ମାର୍କଡ ଲଘୁଚାପ ହୋଇଥିବ।

ଆହୁରି ଦୁଇ ଦିନ ବର୍ଷା

ଚିନ୍ତାର ବିଷୟ ହେଲା, ଲଘୁଚାପ ଓଡ଼ିଶା ଛାଡ଼ିଲାବେଳକୁ ୨୬ ତାରିଖ ସକାଳ ହୋଇଯିବ। ଅର୍ଥାତ୍ ଆସନ୍ତା ଦୁଇଦିନ ଧରି ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମର କିଛି ଅଞ୍ଚଳକୁ ଗୁରୁତର ଭାବେ ପ୍ରଭାବିତ ହୋଇପାରେ। ଗୁରୁବାର ସକାଳ ସୁଦ୍ଧା କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ସ୍ଥାନେ ସ୍ଥାନେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ପବନ ବେଗ ୫୦-୬୦ କିମି ରହିପାରେ ସେପର୍ଯ୍ୟନ୍ତ। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ଆଶଙ୍କା ରହିଛି। ଏହାବାଦ୍ ଉପକୂଳ ଏବଂ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି।