ଭୁବନେଶ୍ୱର, ୨୪/୦୯ : ପବନ କମ୍ କିନ୍ତୁ ନିର୍ଧୁମ ବର୍ଷା। ଆହୁରି ଦୁଇଦିନ ଓଡ଼ିଶାକୁ ନୟାନ୍ତ କରିଦେବ ଏ ବର୍ଷା । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, କଳାହାଣ୍ଡି, ମାଲକାନଗିରିରେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି। ପାଖ ଜିଲ୍ଲାରେ ବି ପ୍ରବଳ ବର୍ଷା ଢାଳିପାରେ। ୨୬ ଯାଏ ଲାଗି ରହିବ ବର୍ଷା ବିତ୍ପାତ ।

ଆସିପାରେ ଆକସ୍ମିକ ବନ୍ୟା । ହୋଇପାରେ ଭୂସ୍ଖଳନ। ମାଟି ଅତଡ଼ା ଓ ପଥର ଖସିବା ଭୟ ସବୁବେଳେ ରହିଛି। ପାଣିପାଗ ବିଭାଗ ଏମିତି ସର୍ତକ କରାଇଛି। ଗତ ୨୪ ଘଣ୍ଟାରେ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। କିଛି ଜାଗାରେ ପଥର ଧସିଛି।

ବୁଧବାର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକର କିଛି ଜାଗାରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା । ଜିଲ୍ଲାର ପାତ୍ରପୁର ବ୍ଲକ୍ ଚାରିଆବାଡ଼ା ଗ୍ରାମ ନିକଟରେ ପାହାଡ଼ରୁ ପଥର ଧସିବାରୁ ଆଙ୍କୁଲି- ତାଡ଼କା ସାହି ଯାତାୟାତ ବନ୍ଦ ରହିଥିଲା। ବାଘଲଟି ଡ୍ୟାମରେ ଜଳପତ୍ତନ ବୃଦ୍ଧି ଯୋଗୁ ଲୋକଙ୍କୁ ନଦୀ ନାଳରୁ ଦୂରରେ ରହି ବାକୁ ପରାମର୍ଶ ଦିଆଯାଇଛି। ପୁରୁଷୋତ୍ତମପୁର ପ୍ରସିଦ୍ଧ ଶକ୍ତି ପୀଠ ତାରାତାରିଣୀ ମନ୍ଦିରକୁ ଲମ୍ବିଥିବା ଘାଟି ରାସ୍ତାରେ ଭୂସ୍ଖଳନ ହୋଇଛି। ଲୋହରାଖଣ୍ଡି, ବଡ଼ନଦୀ ଓ ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି। ଧରାକୋଟ ବ୍ଲକ୍ ମାଣିପୁର ଗ୍ରାମ୍ୟ ରାସ୍ତାରେ ଥିବା ପୋଲ ଭାଙ୍ଗି ଯାଇଛି।

ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପାରିଭେଟା ଗ୍ରାମ ନିକଟରେ ପାହାଡ଼ ଧସିବାରୁ ବସ୍ତିଗୁଡ଼ା ପଞ୍ଚାୟତ ଓ ନୂଆଗଡ଼ ବ୍ଲକକୁ ଯାତାୟାତ ପ୍ରଭାବିତ ହୋଇଥିଲା। ମହେନ୍ଦ୍ରତନୟା ନଦୀ ଫୁଲିବାରୁ କନ୍ଧମାଳ ଜିଲ୍ଲା ରାଇକିଆ ବୃକ୍ ସିଙ୍ଗମିଲା ପୋଲ ଭାଙ୍ଗିଥିବା ସୂଚନା ମିଳିଛି।

ପ୍ରବଳ ବର୍ଷା ଯୋଗୁ କୋରାପୁଟ ଜିଲ୍ଲାର କେତେକ ପଞ୍ଚାୟତରେ ଲୋକଙ୍କ ଘର ନଷ୍ଟ ହୋଇଛି। କେତେକ ଟ୍ରେନ ବାତିଲ ହୋଇଛି। ଲଗାଣ ବର୍ଷାରେ ବଢୁଛି ଅପରକୋଲାବ ଜଳଭଣ୍ଡାର ଜଳସ୍ତର। ବିପଦସଙ୍କେତ ପାଖାପାଖି ହେବାରୁ ତେଲିଙ୍ଗିରି ଡ୍ୟାମର ଗୋଟିଏ ଗେଟ୍ ଖୋଲାଯାଇଛି। ଏହାବାଦ୍ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ପ୍ରକୋପ ଜାରି ରହିଛି। ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଳକ୍ ଖରିଦମୁଖରା ଅଠଲାଡିହ ଆଦିବାସୀ ସାହିରେ କାନ୍ଥ ଭୁଶୁଡି ପଡିବାରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି।

ବୁଧବାର ରାତିରେ ଗଭୀର ଅବପାତ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ ପାଖ ଶ୍ରୀକାକୁଲମ-ବିଜୟନଗରମ ମଧ୍ୟରେ ସ୍ଥଳଭାଗ ଛୁଇଁଥିବା ବିଭିନ୍ନ ମଡେଲରୁ ସୂଚନା ମିଳିଛି। ରାତିତମାମ ଏହା ଆନ୍ଧ୍ର ଭିତରେ ତା'ର ପ୍ରକୋପ ଜାରି ରଖିଛି। ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୫୫-୬୫ କିମି ବେଗରେ ପବନ ମାଡ଼ ହୋଇଛି। ଦକ୍ଷିଣ ଓଡ଼ିଶାରେ ବି ଏହାର ବଡ଼ ପ୍ରଭାବ ପଡ଼ିଛି। କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳରେ ରାତି ତମାମ ବର୍ଷା ଜାରି ରହିଛି। ମଝିରେ ମଝିରେ ପବନ ଧାସ ବି ବାଜିଛି। ଉପକୂଳ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ବି ବର୍ଷା ଜାରି ରହିଛି।

ପାଣିପାଗ ବିଭାଗର ସମ୍ଭାବ୍ୟ ଚିତ୍ର ଦର୍ଶାଉଛି, ଆନ୍ଧ୍ରରୁ ଗଭୀର ଅବପାତ ସିଧା ଓଡ଼ିଶାକୁ ପଶିବ। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ବେଳକୁ କୋରାପୁଟ ଭିତରେ ଗଭୀର ଅବପାତ ଅବସ୍ଥାରେ ଥିବ। ଅତି ପ୍ରବଳ ବର୍ଷାକୁ ୫୦ କିମି ବେଗରେ ପବନ ହୋଇପାରେ ଦକ୍ଷିଣ ଓଡ଼ିଶାରେ। ସନ୍ଧ୍ୟା ପରେ ଏହାର ତୀବ୍ରତା ସାମାନ୍ୟ କମି ଅବପାତ ଅବସ୍ଥାକୁ ଖସିପାରେ।

କୋରାପୁଟର ନାରାୟଣପାଟଣା, ଲକ୍ଷ୍ମୀପୁର, ପଟାଙ୍ଗୀ ଦେଇ ଏହା ରାୟଗଡ଼ା ଓ ନବରଙ୍ଗପୁରର ଉମରକୋଟ ଭିତର ଦେଇ ଆଗକୁ ଗତି କରିପାରେ। କଳାହାଣ୍ଡିର ଭବାନୀପାଟଣା, ନୂଆପଡ଼ାର ଖରିଆର ପରେ ବଲାଙ୍ଗୀରର କଣ୍ଟାବାଞ୍ଜି ଅଞ୍ଚଳ ମଧ୍ୟ ଦେଇ ଛତିଶଗଡ଼କୁ ଯାଇପାରେ। କଳାହାଣ୍ଡିରେ ପହଞ୍ଚିଲାବେଳକୁ ଏହା ଅବପାତରୁ ୱେଲ ମାର୍କଡ ଲଘୁଚାପ ହୋଇଥିବ।

ଚିନ୍ତାର ବିଷୟ ହେଲା, ଲଘୁ ଚାପ ଓଡ଼ିଶା ଛାଡ଼ିଲାବେଳକୁ ୨୬ ତାରିଖ ସକାଳ ହୋଇଯିବ। ଅର୍ଥାତ୍ ଆସନ୍ତା ଦୁଇଦିନ ଧରି ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମର କିଛି ଅଞ୍ଚଳକୁ ଗୁରୁତର ଭାବେ ପ୍ରଭାବିତ ହୋଇପାରେ। ଗୁରୁବାର ସକାଳ ସୁଦ୍ଧା କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ସ୍ଥାନେ ସ୍ଥାନେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ପବନ ବେଗ ୫୦-୬୦ କିମି ରହିପାରେ ସେପର୍ଯ୍ୟନ୍ତ। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ଆଶଙ୍କା ରହିଛି। ଏହାବାଦ୍ ଉପକୂଳ ଏବଂ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି।

Also Read :- Niali paneer: ମିଳିଲା ପ୍ରମାଣ, ନିଆଳି ପନିରରେ ମିଶୁଥିଲା ଡିଟରଜେଣ୍ଟ ଓ ମଇଦା

ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ନବରଙ୍ଗପୁରରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ପବନ ବହିପାରେ ୫୦-୬୦ କିମି ବେଗରେ। ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବି ପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାର (୨୫ ତାରିଖ) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ପାଖ ଜିଲ୍ଲାମାନଙ୍କରେ ବି ପ୍ରବଳ ବର୍ଷା ହୋଇପାରେ। ପବନ ବେଗ ୩୦-୫୦ କିମି ରହିପାରେ। ଶନିବାର ବର୍ଷା ପରିମାଣ ସାମାନ୍ୟ କମିବ । ତଥାପି ପଶ୍ଚିମ ଏବଂ ଦକ୍ଷିଣରେ ପ୍ରବଳ ବର୍ଷା ହୋଇପାରେ।