ଭୁବନେଶ୍ବର: ସମସ୍ତ ଅନଲାଇନ୍ ଟ୍ୟାକ୍ସି ସଂସ୍ଥାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦେଲା ଓଡ଼ିଶା ଅନଲାଇନ୍ ଚାଳକ ମିଳିତ ମଞ୍ଚ। ସଂଘ ପକ୍ଷରୁ ସୋମବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ​‌ରେ ଓଲା, ଉବର, ରାପିଡୋ, ଓଡ଼ିଶା ଯାତ୍ରୀ ସମେତ ଅନଲାଇନ୍ ଟ୍ୟାକ୍ସି ସଂସ୍ଥାକୁ ବନ୍ଦ କିମ୍ବା ଅନଲାଇନ ଟ୍ୟାକ୍ସି ରେଟ୍ ଉପରେ ସରକାର ନିୟନ୍ତ୍ରଣ ଲଗାଯାଉ ବୋଲି ସଂଘ ଦାବି କରିଛି। ୨୧ଟି ସଂଗଠନର ସମର୍ଥନରେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ, ସମସ୍ତ ଜିଲ୍ଲା ସହ କଟକ ଭୁବନେଶ୍ୱରରେ ଜୋରଦାର ହେବ ବନ୍ଦ ଡାକରା। 

ତେବେ ସଂଘର ଦାବି ହେଉଛି:-

ସର୍ବନିମ୍ନ ଏବଂ ସର୍ବାଧିକ ଭଡ଼ା ନିର୍ଦ୍ଧାରଣ: ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ସରକାର ଓ ଅନଲାଇନ ଟ୍ୟାକ୍ସି କମ୍ପାନିଗୁଡ଼ିକ ମିଳିତ ଭାବେ ଏକ ନିର୍ଦ୍ଧିଷ୍ଟ ସୀମା ଭିତରେ ଭଡ଼ା ନିର୍ଦ୍ଧାରଣ କରନ୍ତୁ। ଯାହାଠାରୁ କୌଣସି କମ୍ପାନି କମ୍ କିମ୍ବା ବେଶୀ ଟଙ୍କା ନେଇପାରିବେ ନାହିଁ। ଗ୍ରାହକଙ୍କୁ ଯଦି କୌଣସି ଅଫର କିମ୍ବା ରିହାତି ଦେବାର ଅଛି, ତେବେ କମ୍ପାନି ନିଜେ ସେହି ଟଙ୍କା ଦିଅନ୍ତୁ। ଅନଲାଇନ୍ ଡ୍ରାଇଭରଙ୍କ ଠାରୁ ନୁହେଁ। 

ଅବୈଧ ଭାବେ ଆକାଉଣ୍ଟ ବ୍ଲକ୍ ଏବଂ ଶୋଷଣ ବନ୍ଦ: ସଂଘର ଦାବି କୌଣସି ତଦନ୍ତ କିମ୍ବା ବିନା ପ୍ରମାଣରେ ଅନଲାଇନ୍ ଡ୍ରାଇଭରଙ୍କ ଆକାଉଣ୍ଟ ବ୍ଳକ୍ ନ ହେଉ। କାରଣ ଆକାଉଣ୍ଟ ଖୋଲିବା ପାଇଁ ଜରିମାନା ଆଦାୟ କରୁଛି କମ୍ପାନି। ତେଣୁ ବିନା ତଦନ୍ତରେ ହୋଇଥିବା ସମସ୍ତ ବ୍ଲକ୍ ଆକାଉଣ୍ଟକୁ ତୁରନ୍ତ ଅନବ୍ଲକ୍ କରାଯାଉ ଏବଂ ସଠିକ୍ ତଦନ୍ତ ବିନା କାର୍ଯ୍ୟାନୁଷ୍ଠାନ ନେବା ବନ୍ଦ କରାଯାଉ ବୋଲି ସଂଘ ଦାବି କରିଛି।

ରହିବା କିମ୍ବା ଅପେକ୍ଷା ସମୟ ପାଇଁ ପ୍ରାପ୍ୟ: ଯାତ୍ରା ସମୟରେ ଗ୍ରାହକ ଯଦି ନିଜ କାମ, ଶଫି, ଫାର୍ମା କିମ୍ବା ଅନ୍ୟାନ୍ୟ କାମ ପାଇଁ ଗାଡ଼ି ଅପେକ୍ଷା କରାଉଛନ୍ତି, ତେବେ ସେହି ଅପେକ୍ଷା ସମୟ ପାଇଁ ଅନଲାଇନ୍ ଡ୍ରାଇଭରଙ୍କୁ ଉଚିତ୍ ୱେଟିଂ ଚାର୍ଜ ମିଳିବା ଦରକାର ବୋଲି ସଂଘ ଦାବି କରିଛି।

ଟ୍ରାଫିକ୍ ଜାମ୍ ସମୟର ପାରିଶ୍ରମିକ: ଗାଡି ଟ୍ରାଫିକ୍ ଜାମ୍‌ରେ ଷ୍ଟାର୍ଟ ହୋଇ ରହିବା ଏବଂ ସମୟ ନଷ୍ଟ ହେବା ପାଇଁ ଅତିରିକ୍ତ ସମୟର ଦାବି ସହ ହିସାବ କରି ଅନଲାଇନ୍ ଡ୍ରାଇଭରଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବାକୁ ଦାବି।

Also Read:ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ସବୁ ଅଧିକାରୀଙ୍କ ଛୁଟି ବାତିଲ, ଫିଲ୍ଡରେ ସବୁ ଅଫିସର

କ୍ୟାନ୍ସଲେସନ୍ ଫି’ର ସମ୍ପୂର୍ଣ୍ଣ ପ୍ରାପ୍ୟ: ୨-୩ କିଲୋମିଟର ଦୂରତା ଯିବା ପରେ ଗ୍ରାହକ ରାଇଡ୍ କ୍ୟାନ୍ସଲ କଲେ, କମ୍ପାନି ଗ୍ରାହକଙ୍କ ଠାରୁ କ୍ୟାକ୍ସଲେସନ୍ ଫି ଆଦାୟ କରେ। କିନ୍ତୁ ସେହି କ୍ୟାନ୍ସଲେସନ ଫି’ ଅନଲାଇନ୍ ଡ୍ରାଇଭରଙ୍କୁ ଦିଆଯାଏ ନାହିଁ । ଏମିତିରେ ଡ୍ରାଇଭରଙ୍କୁ କ୍ଷତି ସହିବାକୁ ପଡ଼ିଥାଏ। ତେଲ ଖର୍ଚ୍ଚ ମଧ୍ୟ ହୋଇଥାଏ। ତେଣୁ ଏହି କ୍ୟାନ୍ସଲେସନ୍ ଫି'ର ପୂରା ଟଙ୍କା ଅନଲାଇନ୍ ଡ୍ରାଇଭରଙ୍କୁ ମିଳିବା ଦରକାର ବୋଲି ସଂଘର ଦାବି।

ସେହିଭଳି ଓଡ଼ିଶାରେ ବ୍ୟବସାୟ କରୁଥିବା ପ୍ରତ୍ୟେକ ଆପ୍ ଆଗ୍ରିଗେଟର କମ୍ପାନିର ଅତିକମ୍‌ରେ ଗୋଟିଏ କାର୍ଯ୍ୟାଳୟ ବାଧ୍ୟତାମୂଳକ କରିବାକୁ ସଂଘ ଦାବି କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ମଧ୍ୟସ୍ଥିମାନଙ୍କ ଜରିଆରେ ଗାଡ଼ି ଚଲାଇଥିବା ଅନଲାଇନ୍ ଡ୍ରାଇଭରଙ୍କୁ ଶୋଷଣ କରାଯାଉଛି। ସେହିଭଳି କମାନିଗୁଡ଼ିକ ଦ୍ବାରା ଅନିୟନ୍ତ୍ରିତ ଭାବେ ନୂଆ ଗାଡ଼ି ଆଟାଚମେଣ୍ଟ କରାଯାଉଥୁବାରୁ ଚାହିଦା ଓ ଯୋଗାଣ ମଧ୍ୟରେ ସନ୍ତଳୁନ ବିଗିଡ଼ିଯାଇଛି । ଅତ୍ୟଧିକ ସପ୍ଲାଏ ଯୋଗୁ ପୂର୍ବରୁ ଥିବା ଡ୍ରାଇଭରମାନଙ୍କ ଆୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ତେଣୁ ନୂଆ ଗାଡ଼ି ଆଟାଚମେଣ୍ଟ ଉପରେ ତୁରନ୍ତ ରୋକ୍ ଲଗାଯାଉ ଏବଂ ପ୍ରତିବର୍ଷ ଏକ ଲିମିଟେଡ଼ ଟାର୍ଗେଟ୍ ରଖି ଗାଡ଼ି ଆଟାଚ୍ କରାଯାଉ ବୋଲି ଦାବି ନେଇ ସୋମବାର ସଂଘ ବନ୍ଦ ଡାକରା ଦେଇଛି।