ଆବୁଧାବି: ରାତାରାତି ବଦଳିଗଲା ଆବୁଧାବିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଜଣେ ୨୬ ବର୍ଷୀୟ ନେପାଳୀ ଯୁବକ ତୈୟବ ଖାନ୍ଙ୍କ ଭାଗ୍ୟ । କାରଣ ସେ 'ଦି ୟୁଏଇ ଲଟେରୀ' (The UAE Lottery)ର ଲକି ଡେ ଡ୍ର’ରେ ଜିତିଛନ୍ତି ୩୦ ମିଲିୟନ ଦିରହାମ ବା ପ୍ରାୟ ୭୮ କୋଟି ଟଙ୍କାର ବମ୍ପର ଜ୍ୟାକପଟ୍। ଅବଶ୍ୟ ଏହି ବିପୁଳ ପରିମାଣର ଅର୍ଥ ଜିତିବା ପରେ ମଧ୍ୟ ସେ ସବୁ ଟଙ୍କା ନେଇପାରିବେ ନାହିଁ। କାରଣ ତାଙ୍କ ଭାଗରେ ପଡ଼ିଛି କେବଳ ୧୫ କୋଟି ଟଙ୍କା । ସେ ଯାହା ବି ହେଉନା କାହିଁକି, ଏକ ଅତି ସାଧାରଣ ପରିବାରରୁ ଆସିଥିବା ତୈୟବଙ୍କ ପାଇଁ ଏହି ଖୁସି କୌଣସି ସ୍ବପ୍ନ ଠାରୁ କମ୍ ନୁହେଁ।

ରିପୋର୍ଟ ଅନୁସାରେ, ଆବୁଧାବିରେ କାମ କରିବାକୁ ଯାଇଥିବା ତୈୟବ, ଇଦ୍-ଅଲ୍-ଅଦାହ ଛୁଟିଦିନରେ ନିଜର ନିୟମିତ ନାଇଟ୍ ଶିଫ୍ଟ ଡ୍ୟୁଟି କରୁଥିଲେ। ଏହି ସମୟରେ ତାଙ୍କ ପାଖକୁ ଏକ ଇମେଲ୍ ଆସିଥିଲା। ସାଧାରଣତଃ ପୂର୍ବରୁ ଛୋଟମୋଟ ପୁରସ୍କାର ପାଇଁ ଇମେଲ୍ ଆସୁଥିବାରୁ ସେ ଏହି ମେଲକୁ ବି ପ୍ରଥମେ ଗୁରୁତ୍ୱ ଦେଇନଥିଲେ। ହେଲେ ପରେ ଯେତେବେଳେ ସେ ଇମେଲ୍ ଖୋଲି ସେଥରେ ୩୦ ମିଲିୟନ ଦିରହାମର ଜ୍ୟାକପଟ୍ ଜିତିଥିବା ଦେଖି ସେ ପ୍ରଥମେ ସ୍ତବ୍ଧ ହୋଇପଡ଼ିଥିଲେ। ତାଙ୍କ ପାଇଁ ଏହା ଏକ ସ୍ୱପ୍ନ ପରି ଥିଲା।

Also Read: ତ୍ଵଚା-ନିଦ-ପ୍ରଜନନ କ୍ଷମତା ଓ ମାନସିକ ସ୍ଵାସ୍ଥ୍ୟକୁ ଖରାପ କରେ ସିଗାରେଟ, ଜାଣନ୍ତୁ କ'ଣ କ'ଣ ପଡିଥାଏ ପ୍ରଭାବ

କାହିଁକି ମିଳିବ ମାତ୍ର ୧୫ କୋଟି ?

ପ୍ରକୃତରେ ଏହି ଲଟେରୀ ଟିକେଟଟିକୁ ତୈୟବ ଏକାକୀ କିଣି ନଥିଲେ। ସେ ଏବଂ ତାଙ୍କର ୪ ଜଣ ସାଙ୍ଗ ମିଶି ଏହି ଟିକେଟ କିଣିଥିଲେ। ସେମାନେ ନିଜ ଗ୍ରୁପ୍ର ନାମ 'ଫ୍ୟୁଚର ମିଲିନିୟର୍ସ' (Future Millionaires) ରଖିଥିଲେ। ନିୟମ ଅନୁଯାୟୀ, ଜିତିଥିବା ମୋଟ ୭୮ କୋଟି ଟଙ୍କାର ପୁରସ୍କାର ରାଶି ୫ ଜଣ ସାଙ୍ଗଙ୍କ ମଧ୍ୟରେ ସମାନ ଭାବେ ଭାଗ କରାଯିବ। ଏହି ହିସାବରେ ପ୍ରତ୍ୟେକଙ୍କ ଭାଗରେ ୬ ମିଲିୟନ ଦିରହାମ ବା ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କା ପଡ଼ିବ।

ଆଗକୁ କ’ଣ ରହିଛି ଯୋଜନା ?

୪ ବର୍ଷ ତଳେ ଭଲ ରୋଜଗାର ଆଶାରେ ୟୁଏଇ ଆସିଥିବା ତୈୟବ ଏବେ ନିଜର ଏହି ସିକ୍ୟୁରିଟି ଗାର୍ଡ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହି ଟଙ୍କାରେ ନେପାଳରେ ଥିବା ନିଜ ପରିବାର ପାଇଁ ଏକ ସୁନ୍ଦର ଘର ତିଆରି କରିବେ। ନିଜ ପସନ୍ଦର ଏକ ମହିନ୍ଦ୍ରା ଥାର୍ (Mahindra Thar) ଗାଡ଼ି ଏବଂ ରୋଲେକ୍ସ (Rolex) ଘଣ୍ଟା କିଣିବେ ଏବଂ ବାକି ଅର୍ଥକୁ ଭବିଷ୍ୟତ ପାଇଁ ବିଜନେସରେ ନିବେଶ କରିବେ ବୋଲି ଯୋଜନା କରିଛନ୍ତି।

Also Read: ଚପଲ ପିନ୍ଧି ଗାଡ଼ି ଚଲାଇଲେ କଟିବ କି ଚାଲାଣ ? ଜାଣନ୍ତୁ କ’ଣ କହୁଛି ଭାରତୀୟ ଟ୍ରାଫିକ୍ ନିୟମ...

କାହିଁକି ଚର୍ଚ୍ଚିତ ତୈୟବଙ୍କ ଲଟେରୀ କାହାଣୀ

ସାଧାରଣତଃ ଲଟେରୀ ଜିତୁଥିବା ବ୍ୟକ୍ତିଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। କିନ୍ତୁ ତୈୟବଙ୍କ କାହାଣୀ ଅଲଗା। କାରଣ ଏହା ଏଭଳି କିଛି ଦର୍ଶାଉଛି। ଯାହା ହୁଏତ ସବୁ ଲୋକେ ଚାହିଁଥାନ୍ତି। ଘଣ୍ଟା ଘଣ୍ଟା ଧରି କାମ କରିବା, ପରିବାର ଠାରୁ ଦୂରରେ ରହିବା ଏବଂ ଧୀରେ ଧୀରେ ନିଜ ଭବିଷ୍ୟତ ଗଢ଼ିବା ଲକ୍ଷ ତୈୟବଙ୍କ ଭଳି ସମସ୍ତଙ୍କର ରହିଛି। ମଧ୍ୟପ୍ରାଚ୍ୟ ଭଳି ଅଞ୍ଚଳରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ପ୍ରତିଦିନ ଗୋଟିଏ ଲକ୍ଷ୍ୟରେ ଉଠିଥାନ୍ତି। ଅଧିକାଂଶ ଜାଣିଛନ୍ତି କୌଣସି ସର୍ଟକର୍ଟ ନାହିଁ।

ସଫଳତା ସାଧାରଣତଃ ବର୍ଷ ବର୍ଷର ପ୍ରୟାସରୁ ମିଳିଥାଏ। ଆଉ ଏଭଳି ପରିସ୍ଥିତିରେ ଜଣକୁ ଲଟେରୀ ଲାଗିବା ସତରେ ବଡ଼ ଭାଗ୍ୟର କଥା। ଏଥିପାଇଁ ଏଭଳି କାହାଣୀ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ଏହା କେବଳ ଟଙ୍କା ଜିତିବାର କଥା ନୁହେଁ ବରଂ ଏକ ସମ୍ଭାବନା ମଧ୍ୟ ।