ନୂଆଦିଲ୍ଲୀ: ଖାଲି ପେଟ୍ରୋଲ ମୋଟରସାଇକେଲ ନୁହେଁ, ଜବରଦସ୍ତ ଇ-ସ୍କୁଟର ଲଞ୍ଚ କରିଛି ହୋଣ୍ଡା । ନିଜର ଇଲେକ୍ଟ୍ରିକ୍ ସ୍କୁଟର ପୋର୍ଟଫୋଲିଓକୁ ଆଉଟିକେ ମଜଭୁତ କରିବ କମ୍ପାନୀ ଭାରତରେ ନିଜର ତୃତୀୟ ଇଲେକ୍ଟ୍ରିକ୍ ଦୁଇଚକିଆ ଭାବେ Honda QC3କୁ ଲଞ୍ଚ କରିଛି। ଏହାର ଏକ୍ସ-ଶୋରୁମ୍ ଦିଲ୍ଲୀ ଦାମ ୧.୩୫ ଲକ୍ଷ ଟଙ୍କା ରହିଛି।

QC3 ସହ Hondaର ଇଲେକ୍ଟ୍ରିକ୍ ସ୍କୁଟର ରଣନୀତିରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବରୁ ଲଞ୍ଚ ହୋଇଥିବା Activa e ଠାରୁ ଭିନ୍ନ ବ୍ୟାଟେରୀ ଟେକ୍ନୋଲୋଜି QC3ରେ ବ୍ୟବହାର କରାଯାଇଛି। ଏହି ମଡେଲ୍ ମାଧ୍ୟମରେ Honda ଦ୍ରୁତ ବଢ଼ୁଥିବା ଇଲେକ୍ଟ୍ରିକ୍ ସ୍କୁଟର ବଜାରରେ ନିଜର ଉପସ୍ଥିତି ବଢ଼ାଇବାକୁ ଲକ୍ଷ୍ୟ ରଖିଛି।

୧୪୫ କିମି ରେଞ୍ଜ, ୩୨ ଲିଟର ଷ୍ଟୋରେଜ୍

Honda QC3କୁ ଏକ ଫ୍ୟାମିଲି ଓରିଏଣ୍ଟେଡ୍ ଇଲେକ୍ଟ୍ରିକ୍ ସ୍କୁଟର ଭାବେ ପ୍ରସ୍ତୁତ କରାଯାଇଛି। ଏହାର ସାର୍ଟିଫାଏଡ୍ ଆଇଡିସି ରେଞ୍ଜ ୧୪୫ କିଲୋମିଟର। ଦୈନନ୍ଦିନ ସହରୀ ଯାତାୟାତକୁ ଧ୍ୟାନରେ ରଖି ସ୍କୁଟରରେ ୩୨ ଲିଟରର ଅଣ୍ଡରସିଟ୍ ଷ୍ଟୋରେଜ୍ ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ QC3କୁ ଦିଲ୍ଲୀ, ଆଗ୍ରା, କଟକ, ସୁରତ ଏବଂ କୋଲ୍ଲମ୍ର ଚୟନିତ Honda RedWing ଡିଲର୍ଶିପ୍ ମାଧ୍ୟମରେ ବିକ୍ରି କରାଯିବ। ଅର୍ଥାତ୍ ପ୍ରାରମ୍ଭିକ ଭାବେ ଦେଶର ସମସ୍ତ ସହରରେ ଏହି ସ୍କୁଟର ଉପଲବ୍ଧ ହେବ ନାହିଁ।

କଲର ଅପସନ ଟିଏଫ୍‌ଟି ଡିସ୍‌ପ୍ଲେ ଓ RoadSync କନେକ୍ଟିଭିଟି

Honda QC3କୁ ଚାରିଟି କଲର ଅପସନରେ ଲଞ୍ଚ କରାଯାଇଛି। ମ୍ୟାଟ୍ ଫୋଟନ୍ ଗ୍ରେ ମେଟାଲିକ୍, ପର୍ଲ ପ୍ରେସିଅସ୍ ହ୍ୱାଇଟ୍, ପର୍ଲ ସାଲୋ ବ୍ଲୁ ଏବଂ ପର୍ଲ ସାଇରନ୍ ବ୍ଲୁ କଲରେ ଇ-ସ୍କୁଟରକୁ ଲଞ୍ଚ କରାଯାଇଛି। ଫିଚର୍ ଦୃଷ୍ଟିରୁ QC3ରେ ୫ ଇଞ୍ଚର TFT ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର୍ ରହିଛି। ଏଥିରେ କନେକ୍ଟେଡ୍ ଫିଚର୍ ଦିଆଯାଇଛି। Honda RoadSync କନେକ୍ଟିଭିଟି ସହିତ ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ୍ ସୁବିଧା ମଧ୍ୟ ରହିଛି। ଏହା ଦୈନନ୍ଦିନ ଯାତାୟାତ ସମୟରେ ରାଇଡର୍ଙ୍କୁ ନାଭିଗେସନ୍ ଏବଂ ସ୍ମାର୍ଟ କନେକ୍ଟିଭିଟିର ସୁବିଧା ଦେବ।

Activa e: ଠାରୁ କେତେ ଅଲଗା?

Hondaର ଇଲେକ୍ଟ୍ରିକ୍ ସ୍କୁଟର ପୋର୍ଟଫୋଲିଓରେ ଏବେ QC1, Activa e: ଏବଂ QC3 ରହିଛି। ତିନୋଟି ମଡେଲ୍ରେ ଭିନ୍ନ ବ୍ୟାଟେରୀ ଟେକ୍ନୋଲୋଜି ଓ ବ୍ୟବହାରିକ ଉଦ୍ଦେଶ୍ୟ ଦେଖିବାକୁ ମିଳୁଛି। Honda QC1 କମ୍ପାନୀର ସବୁଠାରୁ ସୁଲଭ EV। ଏହାର ଦାମ ୯୦,୭୦୮ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ୧.୫kWhର ଫିକ୍ସଡ୍ ବ୍ୟାଟେରୀ ପ୍ୟାକ୍ ରହିଛି। ଏହାର ଦାବି କରାଯାଇଥିବା IDC ରେଞ୍ଜ ୮୦ କିମି ଏବଂ ଟପ୍ ସ୍ପିଡ୍ ୫୦ କିମି ପ୍ରତି ଘଣ୍ଟା।

ଅନ୍ୟପଟେ Activa e:ରେ ଦୁଇଟି ୧.୫kWh ସ୍ୱାପେବଲ୍ ବ୍ୟାଟେରୀ ରହିଛି। ଦୁଇଟି ବ୍ୟାଟେରୀ ମିଶି ମୋଟ କ୍ଷମତା ୩kWh ହେଉଛି। ଏହାର IDC ରେଞ୍ଜ ୧୦୨ କିମି ଏବଂ ଦାମ ୧.୨୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ନୂଆ QC3ରେ ଫିକ୍ସଡ୍ ୩kWh ବ୍ୟାଟେରୀ ଦିଆଯାଇଛି। ୧୪୫ କିମିର ଦାବି କରାଯାଇଥିବା IDC ରେଞ୍ଜ ସହ ଏହା ବର୍ତ୍ତମାନ Hondaର ଭାରତୀୟ ବଜାରରେ ସବୁଠାରୁ ଅଧିକ ରେଞ୍ଜ ଦେଉଥିବା ଇଲେକ୍ଟ୍ରିକ୍ ସ୍କୁଟର ହୋଇଛି।

Honda ଏପର୍ଯ୍ୟନ୍ତ QC3ର ମୋଟର ଆଉଟପୁଟ୍ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିନାହିଁ। କମ୍ପାନୀ ଅନୁସାରେ, ବ୍ୟାଟେରୀକୁ ୦ରୁ ୮୦ ପ୍ରତିଶତ ଚାର୍ଜ କରିବା ପାଇଁ ୨ ଘଣ୍ଟା ୪୦ ମିନିଟ୍ ସମୟ ଲାଗିବ। ସମ୍ପୂର୍ଣ୍ଣ ଚାର୍ଜ ପାଇଁ ପ୍ରାୟ ୪ ଘଣ୍ଟା ସମୟ ଆବଶ୍ୟକ।

TVS, Bajaj ଓ Ather ସହ ମୁକାବିଲା

Honda QC3 ଭାରତର ଫ୍ୟାମିଲି ଇଲେକ୍ଟ୍ରିକ୍ ସ୍କୁଟର ବଜାରରେ ପ୍ରବେଶ କରିଛି। ଏହି ସେଗମେଣ୍ଟରେ QC3ର ମୁକାବିଲା TVS iQube, Bajaj Chetak, Ather Rizta ସିରିଜ୍ ଏବଂ Vida V2 ଭଳି ମଡେଲ୍ ସହ ହେବ।

ହଣ୍ଡାର ନୂଆ ପ୍ରଡକ୍ଟ ଲଞ୍ଚ କେବଳ ଇଲେକ୍ଟ୍ରିକ୍ ସେଗମେଣ୍ଟରେ ସୀମିତ ନାହିଁ। QC3 ଲଞ୍ଚ ସହିତ Honda CB500 ନାମକ ରେଟ୍ରୋ ମୋଟରସାଇକେଲ୍କୁ ମଧ୍ୟ ଲଞ୍ଚ କରିଛି କମ୍ପାନୀ। ଏହାର ଏକ୍ସ-ଶୋରୁମ୍ ଦାମ ୨.୭୫ ଲକ୍ଷ ଟଙ୍କା ରଖାଯାଇଛି। ଏହାଛଡ଼ା ଗତ କିଛି ସପ୍ତାହ ମଧ୍ୟରେ କମ୍ପାନୀ Rebel 300, Rebel 300 e-Clutch ଏବଂ ADV 160 maxi-scooter ଭଳି ମଡେଲ୍ ମଧ୍ୟ ଭାରତୀୟ ବଜାରରେ ଲଞ୍ଚ କରି ସାରିଛି। QC3 ଲଞ୍ଚ ମାଧ୍ୟମରେ ହଣ୍ଡା ଏକପଟେ ନିଜର ଇଭି ପୋର୍ଟଫୋଲିଓକୁ ବଢ଼ାଇଛି, ଅନ୍ୟପଟେ ଫ୍ୟାମିଲି ଇଲେକ୍ଟ୍ରିକ୍ ସ୍କୁଟର ସେଗମେଣ୍ଟରେ ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ପ୍ରୟାସ କରିଛି।