ପିପିଲି ୨୨।୮: ପୁଣି ତାଜା ହୋଇଛି ୫ ମାସ ତଳର ହତ୍ୟା ଘଟଣା । ସାମ୍ନାକୁ ଆସିଛି ଦୁର୍ବୃତ୍ତଙ୍କ ହତ୍ୟା ଧମକ । ସାମ୍ନାକୁ ଆସିଛି ପୋଲିସ ନିଷ୍କ୍ରିୟତାର ଅଭିଯୋଗ । ଅଭିଯୋଗ ଅନୁସାରେ ୫ ମାସ ତଳେ ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଆଳିସଙ୍ଖା ଗାଁରେ ଘଟିଥିଲା ଏକ ବୀଭତ୍ସ ହତ୍ୟାକାଣ୍ଡ । ଚୋରି ମୂର୍ତ୍ତି ବିକ୍ରି ପାଇଁ ଡିଲ୍ର ଭିଡିଓ ଉତ୍ତୋଳନ କରିଥିବା ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଦୁର୍ବୃତ୍ତ । ମୃତକ ଥିଲେ ଗୋପ ବ୍ଲକ ଅଳସଂଖା ଗାଁର ୨୩ ବର୍ଷିୟ ଯୁବକ ଆଲୋକ ଭୋଇ ।

ମୃତକଙ୍କ ମାଆଙ୍କ ଅଭିଯୋଗ ମୁତାବକ ଘଟଣା ଥିଲା କିଛି ଏମିତି । ତାଙ୍କ ପୁଅ ଆଲୋକ ନିରଞ୍ଜନ ପ୍ରଧାନଙ୍କ ଘରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ଘଟଣା ଦିନ ରାତି ୧୧ଟା ଯାଏଁ ନିରଞ୍ଜନଙ୍କ ଘରେ ଥିଲେ ଆଲୋକ । ବିଳମ୍ବିତ ରାତିରେ ନିରଞ୍ଜନଙ୍କ ଘରକୁ କିଛି ଲୋକ କାର୍ରେ ଆସିଥିଲେ । ସେମାନେ ବାଲିଘାଇ ଛକରେ ପହଞ୍ଚିବା ପରେ ସେମାନଙ୍କୁ ବାଟ କଢ଼ାଇ ଆଣିଦେବାକୁ ଆଲୋକକୁ ପଠାଇଥିଲେ ନିରଞ୍ଜନ । ଏମିତିକି ଆଲୋକକୁ ନିଜ ସ୍କୁଟି ଚାବି ଦେଇ ଅତିଥିଙ୍କ ପାଇଁ କୋଲଡ୍ ଡ୍ରିଙ୍କ୍ସ୍ ଓ ଗ୍ଲାସ ଆଣିବାକୁ ବି କହିଥିଲେ । ଅତିଥିଙ୍କ ଭିତରେ ଥିଲେ କଟକର ଜଣେ ବଣିଆ । ସମସ୍ତେ ବସି ରାଧାକୃଷ୍ଣଙ୍କର ଏକ ମୂର୍ତ୍ତିକୁ ୯୦ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଚାଲିଥିଲା ଡିଲ୍ ।

ଏହି ସମୟରେ ଆଢ଼ୁଆଳରେ ରହି ସମସ୍ତ ଘଟଣାକୁ ନିଜ ମୋବାଇଲରେ ରେକର୍ଡ଼ କରୁଥିଲେ ଆଲୋକ । ଇଏ ହେଉଛି ସେହି ଭିଡିଓ ଯାହାକୁ ସେଦିନ ରାତିରେ ନିଜ କ୍ୟାମେରାରେ କଏଦ୍ କରିଥିଲେ ଆଲୋକ । ଏହି ଭିଡିଓ ହିଁ ତାଙ୍କ ପାଇଁ କାଳ ହୋଇଗଲା । ଆଲୋକ ଭିଡିଓ କରୁଥିବା କଥା ଯେତବେଳେ ନିରଞ୍ଜନ ଜାଣିଲେ, ସେତେବେଳେ ସେ ଆଲୋକକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଆଲୋକ ତାଙ୍କ ସହଯୋଗୀଙ୍କୁ ଫୋନ୍ କରି ତାଙ୍କ ସହିତ ବାଇକରେ ସେଠାରୁ ଖସି ଆସିଲା ବେଳେ ଭିଡିଓଟିକୁ ସେ ତାଙ୍କ ମାଆଙ୍କ ଫୋନ୍ କୁ ପଠାଇ ଦେଇଥିଲେ । ପରେ ନିରଞ୍ଜନଙ୍କ ସହ ଅନ୍ୟ ଦୁଇ ଜଣ ଆସି ଆଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗାଡି ଭାଙ୍ଗି ବିଲ ମଝିକୁ ଫିଙ୍ଗି ଦେଇଥିଲେ । ସକାଳୁ ଗାଁ ଲୋକେ ଆଲୋକ ଭୋଇଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ତାଙ୍କ ସାଙ୍ଗଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ ।

Also Read:- ଝରକା ତାଡ଼ି ପଶିଲେ, ଫେଲ୍ ମାରିଲେ ; CCTV ଫୁଟେଜ୍‌ରୁ ଲୁଟେରାଙ୍କୁ ଖୋଜୁଛି ପୋଲିସ

ଏହି ଘଟଣାରେ ରାମଚଣ୍ଡୀ ଥାନାର ତତ୍କାଳୀନ ଅଧିକାରୀ ସଙ୍ଗେ ସଙ୍ଗେ ମୃତଦେହକୁ ଜବତ କରି ତରବରିଆ ଭାବେ ପୋଷ୍ଟମର୍ଟମ ପାଇଁ ନେଇଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ମାଆ । ଥାନାକୁ ଏତଲା ନେଇ ଗଲାପରେ ଥାନା ଅଧିକାରୀ ଏତଲା ରଖିନଥିଲେ ବୋଲି ସେ କହିଛନ୍ତି । ଗାଁର ରବିନ୍ଦ୍ର କାଣ୍ଡି ନାମକ ଜଣେ ବ୍ୟକ୍ତି ଯାହାଙ୍କର ଆଲୋକ କିମ୍ବା ତାଙ୍କ ପରିବାର ସହ କୌଣସି ସମ୍ପର୍କ ନାହି । ତାଙ୍କ ଦ୍ବାରା ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରାଗଲା । ପୋଲିସ ମୃତ ଆଲୋକ ଭୋଇଙ୍କର ପରିବାରକୁ ମୃତଦେହ ହସ୍ତାନ୍ତର ନକରି ପୁରୀ ସ୍ବର୍ଗଦ୍ବାରରେ ପୋଡିଦେବା ପାଇଁ ଉଦ୍ୟମ କରିଥିଲା । ଆଲୋକଙ୍କ ପେଟରେ ଛୁରାମାଡ଼ ହୋଇଥିଲା ଏବଂ ତାଙ୍କ ପେଟ ଠାରୁ ଛାତି ପର୍ଯ୍ୟନ୍ତ ଚିରା ଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ । ଆଲୋକଙ୍କ ଗୋଟିଏ ଆଖିକୁ ମଧ୍ୟ ତାଡ଼ିଦେଇଥିଲେ ଦୁର୍ବୃତ୍ତ ।

୫ ମାସ ପରେ ଏତେ ବଡ଼ ଘଟଣାରେ ପୋଲିସ କାହିଁକି କୌଣସି ତଦନ୍ତ କରିନି, କାହିଁକି ଏପର୍ଯ୍ୟନ୍ତ ଏହି ଘଟଣାରେ ଅଭିଯୁକ୍ତ ମାନେ ଗିରଫ ହୋଇନାହାନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ ।

Watch Video: