ପୁରୀ: ଛାତ୍ରୀନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁରୀ ବାଳିକା ମହାବିଦ୍ୟାଳୟର ଛାତ୍ରୀନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ +୩ ପ୍ରଥମ ବର୍ଷ ବାଣିଜ୍ୟ ବିଭାଗର ଛାତ୍ରୀ । ଉଦ୍ଧାର ପରେ ତାଙ୍କୁ ପୁରୀ ହସ୍ପିଟାଲକୁ ନିଆଯାଇଥିଲା, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ଉକ୍ତ ଛାତ୍ରୀଙ୍କ ଘର ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ। ସେ ମହିଳା ମହାବିଦ୍ୟାଳୟ ଛାତ୍ରୀନିବାସର ୨୨୨ ନମ୍ବର ରୁମରେ ରହୁଥିଲେ। ସକାଳୁ ସନ୍ଧ୍ୟା ହୋଇଯାଇଥିଲେ ସେ ରୁମ୍ରୁ ନବାହାରିବାରୁ ସହପାଠୀମାନେ ଡାକିଥିଲେ। କିନ୍ତୁ କୌଣସି ଅନେକ ସମୟ ପର୍ଯ୍ୟନ୍ତ କୌଣସି ଉତ୍ତର ଆସିନଥିଲା। ଏହାପରେ ହଷ୍ଟେଲ ୱାର୍ଡେନଙ୍କୁ ଖବର ଦିଆଯାଇଥିଲା, ପରେ ୱାର୍ଡେନ ସମୁଦ୍ରକୂଳ ଥାନା ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରୁମର କବାଟ ଭାଙ୍ଗିଥିଲା। ହେଲେ ରୁମ୍ ଭିତରୁ ନନ୍ଦିନୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।

Also Read: ପ୍ରେମ-ବିବାହ-ବିବାଦ: ସିଲୁଙ୍କ ପାଇଁ ପାଲଟିଲା ଶେଷ ରାତ୍ରି, ପ୍ରେମିକକୁ ଜିଅନ୍ତା ଜାଳି ନୃଶଂସ ପାଲଟିଲା ପ୍ରେମିକାର ବାପା !

ତେବେ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଟେଲିଫୋନ ଯୋଗେ ଖବର ଦିଆଯାଇଛି। ଶୁକ୍ରବାର ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଏନେଇ ସମୁଦ୍ରକୂଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।