ନୂଆଦିଲ୍ଲୀ: କଂଗ୍ରେସ ଗୁରୁବାର ସରକାରଙ୍କ ଉପରେ ସଂସଦରେ ସନ୍ଦିଗ୍ଧ ଦୁଇ ତୃତିୟାଂଶ ସଂଖ୍ୟାଗରିଷ୍ଠତା ହାସଲ ଲାଗି ପ୍ରୟାସ କରୁଥିବାର ଅଭିଯୋଗ ଆଣିଛି। ତେବେ ଏନଡିଏ ନିମନ୍ତେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ପ୍ରାପ୍ତ କରିବା ପାଖାପାଖି ଅସମ୍ଭବ ବୋଲି କଂଗ୍ରେସ ଦୃଢମତ ପୋଷଣ କରିଛି। ପାର୍ଟି କହିଛି ଯେ ଯଦିବି ସରକାର ଦୁଇ ତୃତିୟାଂଶ ବହୁମତ ପ୍ରାପ୍ତ କରିବାରେ ସଫଳ ବି ହୁଅନ୍ତି, ତେବେ ଏହା ଲଜ୍ଜାଜନକ ବହୁମତ ହେବ ଓ ଭାରତୀୟ ସମ୍ବିଧାନର ଅପମାନ ହେବ।

ପାର୍ଟି ଗୁରୁବାର ସଂସଦୀୟ ରଣନୀତି ସମୂହର ଏକ ବୈଠକ ଆୟୋଜନ କରିଥିଲା। କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ବରିଷ୍ଠ ସାଂସଦମାନେ ଯୋଗ ଦେଇଥିଲେ। ବୈଠକ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ କଂଗ୍ରେସ ସଞ୍ଚାର ପ୍ରଭାରୀ ଜୟରାମ ରମେଶ ଓ ସାଂସଦ ଡ.ନାସିର ହୁସେନ କହିଛନ୍ତି ଯେ ରଣନୀତି ସମୂହ ସଂସଦର ୧୯ ଦିବସୀୟ ମୌସୁମୀ ଅଧିବେଶନ କାଳରେ ଆସିବାକୁ ଥିବା ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ସମ୍ଭାବିତ ଆଇନ ଉପରେ ଚର୍ଚ୍ଚା କରିଛି।

ଜୟରାମ ରମେଶ କହିଛନ୍ତି ଯେ ଆଗାମୀ ମୌସୁମୀ ଅଧିବେଶନରେ ଆସିବାକୁ ଥିବା ବିଧେୟକ ସମ୍ପର୍କରେ କଂଗ୍ରେସକୁ ଏ ପର୍ଯ୍ୟନ୍ତ ଔପଚାରିକ ସୂଚନା ମିଳି ନାହିଁ। ତେବେ ଜୁଲାଇ ୧୯ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ହେଲେ ଏଥିରୁ କଂଗ୍ରେସକୁ ସେପରି କୌଣସି ଆଶା ନାହିଁ ବୋଲି କହିଛନ୍ତି। କାରଣ ଏହା ଏପର୍ଯ୍ୟନ୍ତର ଏନଡିଏ ସରକାରରେ ଏକ ବେକାର ଔପଚାରିକତାରେ ପରିଣତ ହୋଇଛି। ରମେଶ କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଏପ୍ରିଲ ୧୭ରେ ଲୋକସଭାରେ ଶୋଚନୀୟ ପରାସ୍ତ ହେବା ପରେ ପୁଣି ଥରେ ପରିସୀମନ ବିଧେୟକକୁ ଆଣିବା ପାଇଁ ଉଦ୍ୟମ କରିପାରନ୍ତି। ତେବେ କଂଗ୍ରେସ ଏହି ବିଧେୟକକୁ ପୂର୍ବରୁ ବିରୋଧ କରୁଥିଲା ଓ ଆଗକୁ ମଧ୍ୟ ବିରୋଧ କରିବ ବୋଲି ରମେଶ କହିଛନ୍ତି।

ଏ ସମ୍ପର୍କରେ ସେ କହିଛନ୍ତି ଯେ ପାର୍ଟି ସେହି ସବୁ ବିରୋଧୀ ଦଳଙ୍କ ଏକତା ସୁନିଶ୍ଚିତ କରିବାକୁ କଡ଼ା ଉଦ୍ୟମ ଆରମ୍ଭ କରିଦେଇଛି ଯେଉଁମାନେ ୧୭ ଏପ୍ରିଲରେ ବିଲ ବିରୋଧରେ ମତଦାନ କରିଥିଲେ ଓ ସରକାରଙ୍କୁ ଲଜ୍ଜାଜନକ ପରିସ୍ଥିତିରେ ପକାଇଥିଲେ। ଏକ ପ୍ରଶ୍ନର ଉତ୍ତରରେ ଜୟରାମ ରମେଶ କହିଛନ୍ତି ଯେ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କ ସମେତ କଂଗ୍ରେସର ଶୀର୍ଷ ସ୍ତରର ନେତା ଡିଏମକେ ଓ ଆମ ଆଦମୀ ପାର୍ଟି ସମେତ ସବୁ ଦଳଙ୍କ ସମ୍ପର୍କରେ ଅଛନ୍ତି। ଏକ ଅନ୍ୟ ପ୍ରଶ୍ନର ଉତ୍ତରେ ଜୟରାମ ରମେଶ ପୂର୍ଣ୍ଣ ବିଶ୍ୱାସର ସହ କହିଛନ୍ତି ଯେ ସରକାର ସଂସଦରେ ଏବେବି ଦୁଇ ତୃତିୟାଂଶ ବହୁମତରୁ ପଛରେ ଅଛନ୍ତି ଓ ଏହା ହାସଲ କରିବା ଖାସ କରି ଲୋକସଭାରେ ସରକାରଙ୍କ ଲାଗି ଅସମ୍ଭବ।

ସେ କହିଛନ୍ତି ଏଥି ପାଇଁ ସରକାର ଶିବସେନା(ଉଦ୍ଧବ) ଓ ତୃଣମୂଳ କଂଗ୍ରେସକୁ ଭାଙ୍ଗିଛନ୍ତି, ଯାହା ସମ୍ବିଧାନର ଅପମାନ। ଟିଏମସିର ଦଳବଦଳାଇଥିବା ସାଂସଦ ଏନସିଏରେ ସାମିଲ ହେବା ଉଲ୍ଲେଖ କରି ରମେଶ କହିଛନ୍ତି ଯେ ଏହି ପାର୍ଟି ମାତ୍ର ୩ ବର୍ଷ ତଳେ ଗଢା ହୋଇଛି ଓ ଏହାକୁ ମାନ୍ୟତା ବି ମିଳି ନାହିଁ। ହେଲେ ଏହା ଅଚାନକ ଏନଡିଏର ଦ୍ୱିତୀୟ ସର୍ବ ବୃହତ୍ତ ସହଯୋଗୀ ଦଳରେ ପରିଣତ ହୋଇଛି। ଏଣୁ ସରକାର ଗଠନରେ ଏନଡିଏକୁ ସାଥ ଦେଇଥିବା ଚନ୍ଦ୍ରବାବୁ ନାୟଡୁଙ୍କ ତେଲଗୁଦେଶମ ପାର୍ଟି ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି।

ରମେଶ କହିଛନ୍ତି ଯେ ଗୃହମନ୍ତ୍ରୀ ଦଳବଦଳାଇଥିବା ସାଂସଦଙ୍କ ଲାଗି ଏହି ପାର୍ଟିକୁ ଏବେ ପାର୍କିଂ ରୂପେ ଉପଯୋଗ କରୁଛନ୍ତି। ଏହା ସତ୍ତ୍ୱେ ସରକାରଙ୍କୁ ଏବେବି ଅନେକ ଦୂର ଯିବାକୁ ଅଛି ଓ ଦୁଇତୃତିୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବା ପାଖାପାଖି ଅସମ୍ଭବ। ତେବେ ଏନସିପି(ଶରଦ) ପରିସୀମନ ବିଧେୟକକୁ ସମର୍ଥନ କରିବା ନେଇ ପ୍ରଶ୍ନର ଉତ୍ତରରେ ରମେଶ କହିଛନ୍ତି ଯେ ସୁପ୍ରିଆ ସୁଲେ ପ୍ରଥମରୁ ଏହି ଖବରକୁ ବିସ୍ତାରପୂର୍ବକ ଖଣ୍ଡନ କରିସାରିଛନ୍ତି। ତେବେ ସରକାରଙ୍କ ଦ୍ୱାରା ଭ୍ରମ ସୃଷ୍ଟି ପାଇଁ ଏପରି କାହାଣୀ ସବୁ ରଟା ଯାଉଥିବା ରମେଶ କହିଛନ୍ତି।