ଭୁବନେଶ୍ବର: ଭାରତ ନିର୍ବାଚନ ଆୟୋଗ (ECI) ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ବିଷୟରେ ଆୟୋଜିତ ପ୍ରଥମ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ (IICDEM) ୨୦୨୬ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ। ଏହି ୩ ଦିନିଆ ସମ୍ମିଳନୀ ଭାରତ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥା (IIDEM) ଦ୍ବାରା ୨୦୨୬ ଜାନୁଆରୀ ୨୧ରୁ ୨୩ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ ଠାରେ ଅନୁଷ୍ଠିତ ହେବ।

IICDEM- ୨୦୨୬ ଭାରତରେ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଆୟୋଜିତ ସବୁଠୁ ବଡ଼ ଅନ୍ତର୍ଜାତୀୟ ସମ୍ମିଳନୀ ଭାବେ ପରିଚିତ ହେବ। ଏଥିରେ ସାରା ପୃଥିବୀର ୭୦ରୁ ଅଧିକ ଦେଶରୁ ପ୍ରାୟ ୧୦୦ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସହ ଅନ୍ତର୍ଜାତୀୟ ସଂଗଠନ, ଭାରତରେ ଥିବା ବିଦେଶୀ ମିଶନ ଏବଂ ନିର୍ବାଚନ କ୍ଷେତ୍ରର ଶିକ୍ଷାବିତ ଓ ବ୍ୟବହାରିକ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ।

ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର, ନିର୍ବାଚନ ଆୟୁକ୍ତ ଡ. ସୁଖବୀର ସିଂହ ସାନ୍ଧୁ ଓ ଡ. ବିବେକ ଜୋଶୀ ୨୦୨୬ ଜାନୁଆରୀ ୨୧ରେ ଆୟୋଜିତ ଉଦଘାଟନୀ ଅଧିବେଶନରେ ପ୍ରତିନିଧିମାନଙ୍କୁ ସ୍ବାଗତ କରି ସମ୍ମିଳନୀର କାର୍ଯ୍ୟକ୍ରମ ଆରମ୍ଭ କରିବେ।

୩ ଦିନିଆ କାର୍ଯ୍ୟକ୍ରମରେ ଉଦଘାଟନ ଅଧିବେଶନ, ନିର୍ବାଚନ ପରିଚାଳନା ସଂସ୍ଥା (EMB) ମୁଖ୍ୟମାନଙ୍କ ପ୍ଲେନାରୀ, EMB କାର୍ଯ୍ୟ ଗୋଷ୍ଠୀ ବୈଠକ ସହ ବିଶ୍ବ ନିର୍ବାଚନ ସମସ୍ୟା, ଅନ୍ତର୍ଜାତୀୟ ନିର୍ବାଚନ ମାନଦଣ୍ଡ, ନୂତନତା ଓ ସର୍ବୋତ୍ତମ ଅଭ୍ୟାସ ଉପରେ ବିଭିନ୍ନ ଥିମାଟିକ ଅଧିବେଶନ ଅନୁଷ୍ଠିତ ହେବ।

ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ନେତୃତ୍ବରେ ୩୬ଟି ଥିମାଟିକ ଗୋଷ୍ଠୀ ଆଲୋଚନାରେ ଅଂଶଗ୍ରହଣ କରିବେ। ଏଥିରେ ୪ଟି ଆଇଆଇଟି, ୬ଟି ଆଇଆଇଏମ, ୧୨ଟି ଏନଏଲୟୁ (NLU) ଓ ଆଇଆଇଏମସି ସହ ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିବେ।

ଭାରତ ନିର୍ବାଚନ ଆୟୋଗ ବିଶ୍ବର ବିଭିନ୍ନ ନିର୍ବାଚନ ପରିଚାଳନା ସଂସ୍ଥା (EMB) ସହ ୪୦ରୁ ଅଧିକ ଦ୍ବିପାକ୍ଷିକ ବୈଠକ କରି ନିର୍ବାଚନ ପରିଚାଳନା ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ସହଯୋଗ ଉପରେ ଆଲୋଚନା କରିବେ। ଏହି ଅବସରରେ ଭାରତ ନିର୍ବାଚନ ଆୟୋଗ ତାଙ୍କର ଏକମାତ୍ର ଡିଜିଟାଲ ପ୍ଲାଟଫର୍ମ ECINETର ଔପଚାରିକ ଶୁଭାରମ୍ଭ ମଧ୍ୟ କରିବେ।

ଏହି ସମ୍ମିଳନୀ ଭାରତରେ ନିର୍ବାଚନ ଆୟୋଜନର ବିଶାଳତା ଓ ଜଟିଳତା ସହ ନିର୍ବାଚନ ଆୟୋଗ ଦ୍ବାରା ନିଆଯାଇଥିବା ସାମ୍ପ୍ରତିକ ପଦକ୍ଷେପ ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନ ପରିଚାଳନାକୁ ପ୍ରଦର୍ଶନ କରୁଥିବା ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ।

ବିଶ୍ବର ସବୁଠୁ ବଡ଼ ନିର୍ବାଚନ ଲୋକସଭା ୨୦୨୪ର ପରିକଳ୍ପନା ଓ ପ୍ରକ୍ରିୟା ଉଜାଗର କରୁଥିବା ଡକ୍ୟୁସିରିଜ ‘ଇଣ୍ଡିଆ ଡିସାଇଡ୍ସ’ IICDEM 2026ର ପ୍ରଥମ ଦିନ ପ୍ରଦର୍ଶନୀ ଅନୁଷ୍ଠିତ ହେବ।