ନୂଆଦିଲ୍ଲୀ: ଭୀଷଣ ଗ୍ରୀଷ୍ମ ଓ ବଢୁଥିବା ମରୁଡ଼ି ଆଶଙ୍କାରେ ଦେଶ ଆଗରେ ପାଣି ଏବେ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। କେନ୍ଦ୍ରୀୟ ଜଳ ଆୟୋଗ ଦ୍ୱାରା ଜାରି ତାଜା ସୂଚନା ଅନୁସାରେ ମେ ମାସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଶର ପ୍ରମୁଖ ଜଳଭଣ୍ଡାରମାନଙ୍କରେ ଜଳ ସ୍ତର ଦ୍ରୁତ ହ୍ରାସ ହୋଇଛି। ମାତ୍ର ୨୨ ଦିନରେ ଜଳସ୍ତର ୧୨% ପର୍ଯ୍ୟନ୍ତ ହ୍ରାସ ହୋଇଛି। ଏହା ପରେ ଏବେ ମୋଟ କ୍ଷମତାର ମାତ୍ର ୨୫% ପାଣି ଅଛି। ଦେଶର ପ୍ରମୁଖ ୧୬୬ଟି ଜଳ ଭଣ୍ଡାରରେ ମେ ଶେଷ ସପ୍ତାହ ସୁଦ୍ଧା ମୋଟ ଷ୍ଟକ୍ ହ୍ରାସ ହୋଇ ୪୫.୪୧୯ ବିଲିୟନ କ୍ୟୁବିକ୍ ମିଟରକୁ ପହଞ୍ଚିଛି।

ମେ ମାସରେ ହ୍ରାସ ହୋଇଛି ଜଳସ୍ତର
ମେ ପ୍ରଥମ ସପ୍ତାହରେ ଏହି ସବୁ ଜଳ ଭଣ୍ଡାରରେ ୬୬.୮୩୦ ବିଲିୟନ କ୍ୟୁବିକ୍ ମିଟର ପାଣିଥିଲା, ଯାହା ଜଳଭଣ୍ଡାରମାନଙ୍କର ମୋଟ କ୍ଷମତାର ୩୬.୪୧% ଥିଲା। ଏହାର ସିଧା ଅର୍ଥ ହେଉଛି ଭୀଷଣ ରୌଦ୍ରତାପ ଓ ପାଣିର ଚାହିଦା କାରଣରୁ ଗୋଟିଏ ମାସରେ ମୁଖ୍ୟ ଜଳ ସ୍ରୋତରୁ ପାଖାପାଖି ୨୧.୪୧୧ ବିଲିୟନ କ୍ୟୁବିକ୍ ମିଟର ପାଣି ହ୍ରାସ ହୋଇଛି। ପାଣିପାଗ ବିଭାଗ ଇତି ମଧ୍ୟରେ ଅଲ ନିନୋ ପ୍ରଭାବ ନେଇ ସତର୍କ କରି ସାରିଲେଣି, ଯାହା ଏବେ ଚିନ୍ତାକୁ ବଢାଇ ଦେଇଛି। ତେବେ ଆଶ୍ୱସ୍ତିର କଥା ଯାହା ଏବେ ବିଭିନ୍ନ ଜଳଭଣ୍ଡରର ଜଳ ସ୍ତର ଗତବର୍ଷର ଏହି ଅବଧି ତୁଳନାରେ ଥିବା ଜଳସ୍ତର ଠାରୁ ବେଶ୍ ଭଲ ସ୍ଥିତିରେ ଅଛି। ହେଲେ ଜଳଭଣ୍ଡାର ସବୁ ଯେଉଁ ଭଳି ଖାଲି ହେଉଛି ଆଗାମୀ ସପ୍ତାହଗୁଡିକ ଲାଗି ଚିନ୍ତାର କାରଣ ପାଲଟିଲାଣି।

ବଢୁଛି ସଂକଟଗ୍ରସ୍ତ ଜଳ ଭଣ୍ଡାର ସଂଖ୍ୟା
ମେ ମାସ ଆରମ୍ଭରେ ଯେତେବେଳେ ଗରମ କମ ଥିଲା ସେତେବେଳେ ଦେଶର ୧୧୨ ଜଳ ଭଣ୍ଡାରର ଜଳ ସ୍ତର ବେଶ୍ ଭଲ ସ୍ଥିତିରେ ଥିଲା। ହେଲେ ଦେଶରେ ଗ୍ରୀଷ୍ମ ପ୍ରବାହ ଯେପରି ବଢିବାକୁ ଲାଗିଲା ସେହି ଅନୁସାରେ ଜଳ ଭଣ୍ଡାରମାନଙ୍କର ଜଳ ସ୍ତର ହ୍ରାସ ହେବାରେ ଲାଗିଲା। ଅତ୍ୟଧିକ ଗ୍ରୀଷ୍ମ କାରଣରୁ ମେ ମାସ ଶେଷ ସପ୍ତାହ ଆସିବା ବେଳକୁ ଅନେକ ଜଳ ଭଣ୍ଡାର ଖାଲି ହୋଇଗଲାଣି। ଏଣୁ ଜଳ ସଂକଟର ସମ୍ମୁଖୀନ ହୋଇଥିବା ନଦୀବନ୍ଧଙ୍କ ସଂଖ୍ୟା ୧୧ରୁ ବଢି ୧୫ ହୋଇଯାଇଛି।

ତେବେ ଜଳାଭାବର ସବୁଠୁ ଭୟାବହ ଚିତ୍ର ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରୁ ଆସୁଛି, ଯେଉଁଠି ଜଳଭଣ୍ଡାର ମାନଙ୍କର ଜଳ ସ୍ତର ସବୁଠୁ ନ୍ୟୁନତମ ସ୍ତରକୁ ପହଞ୍ଚିଗଲାଣି। ମେ ପ୍ରାରମ୍ଭ ସପ୍ତାହରେ ଏହି ସବୁ ଜଳଭଣ୍ଡାରମାନଙ୍କରେ ମୋଟ କ୍ଷମତାର ୨୬.୮୩% ପାଣି ଥିଲା, ଏହା ଏବେ ମେ ଅନ୍ତିମ ସପ୍ତାହ ରିପୋର୍ଟରେ ହ୍ରାସ ହୋଇ ମାତ୍ର ୧୭.୫୫% ହୋଇଯାଇଛି। ଏଣୁ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟମାନଙ୍କରେ ଜଳ ସଂକଟ ଦେଖା ଦେଇଛି। ଏଥିରେ ମହାରାଷ୍ଟ୍ରର ଭୀମା ଉଜ୍ଜୈନୀ ବନ୍ଧ ଓ ବିହାରର ଚନ୍ଦନ ବନ୍ଧ ଭଳି ବଡ଼ ବଡ଼ ଜଳାଶୟ ମେ ମାସ ପ୍ରାରମ୍ଭରୁ ଖାଲି ପଡିଛି।

ସଂକଟରେ ବିଦ୍ୟୁତ ଉତ୍ପାଦନ
ଜଳ ଭଣ୍ଡାରରେ ଜଳସ୍ତର ହ୍ରାସର ସିଧା ପ୍ରଭାବ ଦେଶର ହାଇଡ୍ରୋ ସେକ୍ଟର ଉପରେ ପଡିବାର ଏବେ ଆଶଙ୍କା ଦେଖାଦେଲାଣି। ଦେଶର ୨୦ ପ୍ରମୁଖ ଜଳ ବିଦ୍ୟୁତ ପ୍ରକଳ୍ପ ଥିବା ଜଳ ଭଣ୍ଡାରର ଜଳ ସ୍ତର ୮ ମେ ପୂର୍ବରୁ ସ୍ୱଭାବିକରୁ ହ୍ରାସ ହୋଇସାରିଥିଲା। ଏବେ ୬ ବଡ଼ ଜଳ ଭଣ୍ଡାରରେ ଜଳସ୍ତର ଚିନ୍ତାଜନକ ସ୍ଥିତିକୁ ପହଞ୍ଚି ସାରିଲାଣି। ଭୌଗଳିକ ଦୃଷ୍ଟିରୁ ଦେଖିବାକୁ ଗଲେ ମଧ୍ୟ ଭାରତର ଜଳ ଭଣ୍ଡାର କ୍ଷମତା ୪୧.୫୭%ରୁ ହ୍ରାସ ହୋଇ ୨୬.୬୦%କୁ ପହଞ୍ଚି ସାରିଥିବା ବେଳେ ପଶ୍ଚିମ ଭାରତରେ ୪୨.୩୬%ରୁ ହ୍ରାସ ହୋଇ ୨୮.୫୩%କୁ ପହଞ୍ଚି ଯାଇଛି। ଏଥିରେ ସାବରମତୀ ଭଳି କ୍ଷୁଦ୍ର ନଦୀମାନଙ୍କରେ ଏବେ ପାଣି ଅକାଳ ପଡିଗଲାଣି। ଏହି ଭୀଷଣ ଜଳ ସଂକଟରେ ଏବେ ସମସ୍ତଙ୍କ ନଜର ଆଗାମୀ ମୌସୁମୀ ଉପରେ ରହିଛି। ବର୍ଷା ଆରମ୍ଭ ହେଲେ ଦେଶର ଜଳ ଭଣ୍ଡାର ପୁଣି ଉଛୁଳିବ।