ନ୍ୟୁୟର୍କ : ଆମେରିକାରେ ମିଳିମିଳା ସଂକ୍ରମଣ ପୁଣିଥରେ ଚିନ୍ତା ବଢ଼ାଇଛି । ଦ୍ରୁତ ଗତିରେ ବଢ଼ୁଥିବା ସଂକ୍ରମଣକୁ ନଜରରେ ରଖି ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥି ହୋକୁଲ୍ ସାରା ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଗତ କିଛି ଦଶନ୍ଧି ମଧ୍ୟରେ ଆମେରିକାରେ ମିଳିମିଳା ମାମଲା ବଢ଼ିବା ମଧ୍ୟରେ ନ୍ୟୁୟର୍କର ଏହି ପଦକ୍ଷେପ ଏବେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଆଣିଛି। ଗଭର୍ଣ୍ଣରଙ୍କ କାର୍ଯ୍ୟନିର୍ଦ୍ଦେଶ ଅନୁଯାୟୀ, ଅକ୍ଟୋବର ୩ ପର୍ଯ୍ୟନ୍ତ ନ୍ୟୁୟର୍କରେ ଚଳିତ ବର୍ଷ ୧୦୮ଟି ମିଳିମିଳା ମାମଲା ରିପୋର୍ଟ ହୋଇଛି। ନ୍ୟୁୟର୍କ ସିଟିରେ ୭ଟି ମାମଲା ରିପୋର୍ଟ ହୋଇଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳରେ ୧୦୧ଟି ମାମଲା ଚିହ୍ନଟ ହୋଇଛି।

ସଂକ୍ରମଣ ବଢ଼ିବା ପରେ ନ୍ୟୁୟର୍କର ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗଗୁଡ଼ିକ ଗ୍ରାମୀଣ ଅଞ୍ଚଳରେ MMR ଟିକାକରଣକୁ ତ୍ୱରାନ୍ୱିତ କରିଛନ୍ତି। ଜୁଲାଇ ୧୫ ପରଠାରୁ ଏହି ଅଞ୍ଚଳଗୁଡ଼ିକରେ ୧,୦୦୦ରୁ ଅଧିକ MMR ଟିକା ଦିଆଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ମିଳିମିଳା ସନ୍ଦେହ ଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜୀକୃତ ନର୍ସମାନେ ଟେଷ୍ଟ କରିପାରିବେ। ଏହା ସହିତ ଫାର୍ମାସିଷ୍ଟମାନେ ୨ ବର୍ଷ ବୟସରୁ ଶିଶୁମାନଙ୍କୁ MMR ଟିକା ଦେଇପାରିବେ। ନ୍ୟୁୟର୍କର ନୂଆ ନିର୍ଦ୍ଦେଶନୁଯାୟୀ ସମସ୍ତ MMR ଟିକାକରଣର ତଥ୍ୟ ୭୨ ଘଣ୍ଟା ମଧ୍ୟରେ ନ୍ୟୁୟର୍କ ଷ୍ଟେଟ୍ କିମ୍ବା ନ୍ୟୁୟର୍କ ସିଟିର ଇମ୍ୟୁନାଇଜେସନ୍ ରେଜିଷ୍ଟ୍ରିରେ ରିପୋର୍ଟ କରିବାକୁ କୁହାଯାଇଛି। ତେବେ ଟିକା ଦେବା ପୂର୍ବରୁ ରୋଗୀ କିମ୍ବା ଅଭିଭାବକଙ୍କ ଆଇନଗତ ସମ୍ମତି ନେବା ଆବଶ୍ୟକ ରହିଛି।

ପେନସିଲଭାନିଆରେ ବଢ଼ୁଛି ଅଧିକ ମାମଲା । ନ୍ୟୁୟର୍କର ପଡ଼ୋଶୀ ରାଜ୍ୟ ପେନସିଲଭାନିଆ ମଧ୍ୟ ମିଳିମିଳା ସଂକ୍ରମଣର ବଡ଼ ଚ୍ୟାଲେଞ୍ଜ ସାମ୍ନା କରୁଛି। ଅକ୍ଟୋବର ୨ ସୁଦ୍ଧା ରାଜ୍ୟରେ ୯୭୭ଟି ମାମଲା ଓ ୫ଟି ମୃତ୍ୟୁ ରିପୋର୍ଟ ହୋଇଥିଲା। ସୋମବାର ସ୍ୱାସ୍ଥ୍ୟ ଅଧିକାରୀମାନେ ମାମଲା ସଂଖ୍ୟା ୧,୦୦୦ ଅତିକ୍ରମ କରିଥିବା କହିଛନ୍ତି। ଗତ ୩ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ପେନସିଲଭାନିଆରେ ଏହା ସବୁଠାରୁ ବଡ଼ ମିଳିମିଳା ସଂକ୍ରମଣ ବୋଲି ଜଣାପଡ଼ିଛି। ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନ୍ (CDC) ଅନୁଯାୟୀ, ଆମେରିକାରେ ୧୯୯୧ ପରଠାରୁ ଚଳିତ ବର୍ଷ ସବୁଠାରୁ ଅଧିକ ମିଳିମିଳା ମାମଲା ରିପୋର୍ଟ ହୋଇଛି। ଦେଶରେ ପ୍ରାୟ ୩,୯୦୦ଟି ମାମଲା ରେକର୍ଡ ହୋଇଛି। ତେବେ ନ୍ୟୁୟର୍କ ଗଭର୍ଣ୍ଣର ହୋକୁଲ୍ କହିଛନ୍ତି, ଟିକା ଦ୍ୱାରା ପ୍ରତିରୋଧ କରାଯାଇପାରୁଥିବା ରୋଗରେ କାହାରି ଗୁରୁତର ଅସୁସ୍ଥତା କିମ୍ବା ମୃତ୍ୟୁ ହେବା ଉଚିତ ନୁହେଁ। ତେବେ ନ୍ୟୁୟର୍କରେ ଲାଗୁ ହୋଇଥିବା ଏହି ଜରୁରୀକାଳୀନ ଘୋଷଣା ଆସନ୍ତା ନଭେମ୍ବର ୪ ପର୍ଯ୍ୟନ୍ତ ବଳବତ୍ତର ରହିବ।