ନୂଆଦିଲ୍ଲୀ:  ଫ୍ଲାଇଦୁବାଇ ହିରୋ ପାଇଲଟ୍‌ ସ୍ମିତ ମଚ୍ଛାର ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି  । ତାଙ୍କର ଖପୁରୀରେ ଗମ୍ଭୀର ଆଘାତ ଲାଗିଥିବା ବେଳେ ଫ୍ରାକ୍ଚର ହୋଇଥିଲା । ଯଦିଓ ତାଙ୍କର ଚିକିତ୍ସା କରଯାଇଥିଲା, କିନ୍ତୁ ଏବେ ପୁଣି ଏକ ଜରୁରୀ ସର୍ଜରୀ କରାଯାଉଛି ବୋଲି ଏନଡିଟିଭିରେ ଖବର ପ୍ରକାଶ ପାଇଛି । ବିମାନରେ ତାଙ୍କର ଓମାନୀ କୋ-ପାଇଲଟ୍‌ ହମାଦ୍ ଅଲ୍-ହାମାମୀର ଆକ୍ରମଣରେ ସେ ଗୁରୁତର ହୋଇଥିଲେ । ଏହା ପରେ ବି, ସେ ନିଜର ସାହସିକତା ଦେଖାଇ କକପିଟ୍‌ର ଦ୍ବାର ଖୋଲିବାରେ ସକ୍ଷମ ହୋଇଥିଲେ । ଆଉ ଏଥିପାଇଁ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁଙ୍କ ଜୀବନ ବଞ୍ଚିଯାଇଥିଲା । ତାଙ୍କର ଏହି ସାହାସିକତା ପାଇଁ ପାଇଲଟ୍‌ ସ୍ମିତ ମଚ୍ଛାରଙ୍କୁ ସାରା ଦୁନିଆ ସଲାମ କରୁଛି ।

ସ୍ମିତ ମଚ୍ଛାର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଦମ୍ୟ ସାହାସ ଦେଖାଇଥିଲେ । ମଚ୍ଛାରଙ୍କ ଉପରେ ଆକ୍ରମଣ ପରେ ବିମାନଟି ପ୍ରାୟ ୧୮,୦୦୦ ଫୁଟ୍ ତଳକୁ ଖସିଆସିଥିଲା । ସାଉଦି ଆରବର ତାବୁକ୍‌ସ୍ଥିତ ପ୍ରିନ୍ସ ସୁଲତାନ୍ ବିନ୍ ଅବଦୁଲଅଜିଜ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା। ସାଉଦି ଆରବରେ ଡାକ୍ତରମାନେ ଗୁରୁତର ଅସ୍ତ୍ରୋପଚାର କରି କ୍ୟାପଟେନ୍ ମଚ୍ଛାରଙ୍କ ମୁଣ୍ଡର ଭଙ୍ଗା ହାଡ଼କୁ ଠିକ କରିଥିଲେ। ଏହାପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବିମାନ ଯୋଗେ ୟୁଏଇ ଆବୁଧାବିର ମିଲିଟାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିା । ଆକ୍ରମଣରେ ସ୍ମିତଙ୍କ ମୁଣ୍ଡ ହାଡ଼ ଭାଙ୍ଗିଥିବା ବେଳେ ଏହାର ଛୋଟିଆ ଅଂଶ ମସ୍ତିଷ୍କ ଆଡ଼କୁ ଚାଲି ଯାଇଥିଲା । ତେଣୁ ଏଭଳି ଗୁରୁତର ଅବସ୍ଥାରେ ସମୟ ସମୟରେ ସର୍ଜରୀର ଆବଶ୍ୟକତା ପଡ଼ିଥାଏ ବୋଲି ଡାକ୍ତର କହିଛନ୍ତି । 

ମୁଣ୍ଡ ବ୍ୟତୀତ ତାଙ୍କର ହାତ, ଗୋଡ଼, ଛାତି ଏବଂ ପେଟରେ ଅନେକ ଆଘାତ ଲାଗିଛି । କିନ୍ତୁ ବିଶେଷଜ୍ଞ ଡାକ୍ତରଙ୍କ ନଜରରେ ଥିବା କ୍ୟାପଟେନ୍ ମଚ୍ଛାର ଚିକିତ୍ସାରେ ଭଲ ପ୍ରତିକ୍ରିୟା ଦେଉଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କଲ୍‌ ମାଧ୍ୟମରେ ତାଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। କଥାବାର୍ତ୍ତା ସମୟରେ କ୍ୟାପଟେନ୍ ମଚ୍ଛାର କହିଥିଲେ ଯେ, ଆକ୍ରମଣରେ ତଳେ ପଡ଼ିଥିବା ସତ୍ତ୍ୱେ ବିମାନଟି ତଳକୁ ଖସୁଥିବା ଦେଖି ସେ ନିଜ ଜୀବନ ସହ ଅନ୍ୟ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଶେଷ ଚେଷ୍ଟା କରି କକପିଟ୍‌ର ଦ୍ବାର ଖୋଲିଥିଲେ। ତାଙ୍କ ପରିବାରକୁ ମଧ୍ୟ ହସ୍ପିଟାଲରେ ଦେଖା କରିବାକୁ ଅନୁମତି ଦିଆଯାଇଛି।