ନୂଆଦିଲ୍ଲୀ: ଭାରତୀ ବାୟୁସେନା (IAF)ର ନୂତମ ମୁଖ୍ୟ ଭାବରେ ନିଯୁକ୍ତି ପାଇଛନ୍ତି ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ । 
 ସେ ଭାରତୀୟ ବାୟୁସେନାର ୨୯ତମ ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ । ସେ ଅକ୍ଟୋବର ୩୧ ତାରିଖ ଅପରାହ୍ନରେ ବର୍ତ୍ତମାନର ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ ସିଂହଙ୍କ ସ୍ଥାନ ଗ୍ରହଣ କରିବେ । ବର୍ତ୍ତମାନ ବାୟୁସେନାର ଉପ-ମୁଖ୍ୟ ଭାବରେ କାର୍ଯ୍ୟରତ ଆଶୁତୋଷ ଦୀକ୍ଷିତ ଦାୟିତ୍ୱ ଗ୍ରହଣ କରିବା ପରେ ଏୟାର ଚିଫ୍ ମାର୍ଶାଲ ପଦବୀରେ ଅଧିଷ୍ଠିତ ହେବେ। ପ୍ରାୟ ଚାରି ଦଶନ୍ଧିର ସାମରିକ ସେବା ଅଭିଜ୍ଞତା ଥିବା ଏହି ଅଭିଜ୍ଞ ଫାଇଟର ପାଇଲଟ୍ ଭାରତର ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ 'ତେଜସ୍' ପ୍ରକଳ୍ପ ସହ ଜଡ଼ିତ ।

୧୯୬୬ ମସିହା ଡିସେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିବା ଆଶୁତୋଷ ଦୀକ୍ଷିତ, ୧୯୮୬ ମସିହା ଡିସେମ୍ବର ୬ ତାରିଖରେ ଭାରତୀୟ ବାୟୁସେନାର ଫାଇଟର ଷ୍ଟ୍ରିମ୍‌ରେ ଯୋଗ ଦେଇଥିଲେ। ଜଣେ ପରୀକ୍ଷାମୂଳକ ଟେଷ୍ଟ ପାଇଲଟ୍ ଏବଂ ଯୋଗ୍ୟତାସମ୍ପନ୍ନ ଫ୍ଲାଇଂ ଇନ୍‌ଷ୍ଟ୍ରକ୍ଟର ଭାବରେ ତାଙ୍କର ୩,୫୦୦ ରୁ ଅଧିକ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ସେ ମିରାଜ-୨୦୦୦, ମିଗ୍‌ର ବିଭିନ୍ନ ସଂସ୍କରଣ, କିରଣ, ଜାଗୁଆର, ଆଇଏଲ୍-୭୮, ହକ୍ ଏବଂ ତେଜସ୍ ଭଳି ଅତ୍ୟାଧୁନିକ ବିମାନ ଉଡ଼ାଇଛନ୍ତି। 

ଅପରେସନ୍ ସଫେଦ ସାଗର, ଅପରେସନ୍ ରକ୍ଷକ ଏବଂ ଅପରେସନ୍ ସିନ୍ଦୂର ଭଳି ପ୍ରମୁଖ ସାମରିକ ଅଭିଯାନରେ ତାଙ୍କର ଭୂମିକା ରହିଛି । ନିଜ କ୍ୟାରିୟରରେ ସେ ମିରାଜ-୨୦୦୦ ସ୍କ୍ୱାଡ୍ରନ୍, ପଶ୍ଚିମ ସେକ୍ଟରର ପ୍ରମୁଖ ଫ୍ରଣ୍ଟଲାଇନ୍ ଫାଇଟର ଏୟାର ବେସ୍ ଏବଂ ଦକ୍ଷିଣ ସେକ୍ଟରର ଫାଇଟର ଟ୍ରେନିଂ ବେସ୍‌ର ନେତୃତ୍ୱ ନେଇଛନ୍ତି। ଉପ-ମୁଖ୍ୟ ପଦବୀ ପୂର୍ବରୁ ସେ ସେଣ୍ଟ୍ରାଲ ଏୟାର କମାଣ୍ଡର ମୁଖ୍ୟ ଏବଂ ସିଡିଏସ୍ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍‌ର ଚିଫ୍ ଭାବରେ କାର୍ଯ୍ୟ କରିଥିଲେ। 

ଏହାସହ ଡେପୁଟି ଚିଫ୍ ଅଫ୍ ଦି ଏୟାର ଷ୍ଟାଫ୍ ଭାବରେ ସେ ବାୟୁସେନାର ନୀତି, ଯୋଜନା ଓ ସାମରିକ ଦକ୍ଷତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ନ୍ୟାସନାଲ ଡିଫେନ୍ସ ଏକାଡେମୀର ପୂରାତନ ଛାତ୍ର ଆଶୁତୋଷ ଦୀକ୍ଷିତ ବାଂଲାଦେଶରେ ଷ୍ଟାଫ୍ କୋର୍ସ ଏବଂ ନୂଆଦିଲ୍ଲୀର ନ୍ୟାସନାଲ ଡିଫେନ୍ସ କଲେଜରୁ ଗ୍ରାଜୁଏସନ୍ କରିଛନ୍ତି। ତାଙ୍କର ଅତୁଳନୀୟ ସେବା ପାଇଁ ତାଙ୍କୁ ୨୦୦୬ରେ ବାୟୁସେନା ପଦକ, ୨୦୧୧ରେ ବିଶିଷ୍ଟ ସେବା ପଦକ, ୨୦୨୩ରେ ଅତି ବିଶିଷ୍ଟ ସେବା ପଦକ ଏବଂ ୨୦୨୬ରେ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ କରାଯାଇଛି ।