ଭଦ୍ରକ : ବାପାଙ୍କ ଆଖିରୁ ଲୁହ ଶୁଖୁନି। ଯବାନ ପୁଅକୁ ହରାଇ ଭାଙ୍ଗି ପଡ଼ିଛି ବାପା। ମେସ୍ ରେ ରହି ପାଠ ପଢୁଥିଲେ। ଭଲ ନମ୍ବର ରଖିବ, ବଡ଼ ଚାକିରି କରିବ। ସବୁ ସ୍ୱପ୍ନ ଧୂଳିଶାତ୍ ହୋଇଗଲା। ହଠାତ୍ ଖବର ଆସିଲା, ରେଳ ଧାରଣାରେ ପଡ଼ିଛି ପୁଅର ମୃତଦେହ।। କାନ୍ଦି କାନ୍ଦି ବାପା ଅଭିଯୋଗ କରିଛନ୍ତି ମୋ ପୁଅକୁ ମାରି ଦେଇଛନ୍ତି। ।

ମୃତକ ହେଲେ ବାଂଶଡା ଥାନା ଅଧୀନ ରାଉତରାପୁର ଗାଁର ଧନେଶ୍ୱର ରାଉତ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଜାନୁଗଞ୍ଜ ଠାରେ ଏକ ମେସ୍ ରେ ରହୁଥିଲେ । ଏବେ ତାଙ୍କ ମୃତଦେହ ଚରମ୍ପାରୁ ରାନ୍ଦିଆ ମଧ୍ୟରେ ଥିବା ବ୍ରିଜ୍ ନିକଟ ରେଳ ଧାରଣାରୁ ମିଳିଛି । ମୃତଦେହ ନିକଟରୁ କଲେଜ ବ୍ୟାଗ୍ ବି ମିଳିଛି।

ଘଟଣାକୁ ନେଇ ଭଦ୍ରକ ଜିଆରପି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । କିନ୍ତୁ ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ଧନେଶ୍ୱରଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି । ବାପା କହିଛନ୍ତି, ପୁଅ ମୋତେ ନଜଣେଇ କୁଆଡ଼େ ଯାଏନି। ପୁଅକୁ ସୁଚିନ୍ତିତ ହତ୍ୟା କରାଯାଇଥିବା ନେଇ ବାପା ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି ମଧ୍ୟ କହିଛନ୍ତି। ସତ କଣ ପୂରା ଘଟଣାର ତଦନ୍ତ ପରେ ହିଁ ଜଣା ପଡ଼ିବ।