ନୂଆଦିଲ୍ଲୀ: ଭାରତ ନିଜର ବିଶାଳ ସାଂସ୍କୃତିକ ଓ ପ୍ରାକୃତିକ ଆକର୍ଷଣ ସତ୍ତ୍ୱେ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଶିତ କରିପାରୁନି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଗତବର୍ଷ ଭାରତ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୮.୧% ହ୍ରାସ ହୋଇ ୯୧.୫ଲକ୍ଷକୁ ପହଞ୍ଚିଯାଇଛି। ଗତବର୍ଷ ଭାରତ ଆସିଥିବା ବିଦେଶୀ ପର୍ଯ୍ୟଟଙ୍କ ସଂଖ୍ୟା ୯୧ଲକ୍ଷ ୫୦ ହଜାରରେ ସୀମିତ ଥିଲା,ଯାହା ୨୦୧୯ ମସିହାର ୧.୦୯କୋଟି ତୁଳନାରେ ପାଖାପାଖି ୧୬% କମ୍। ତେବେ ଆଶ୍ଚର୍ଯ୍ୟର କଥା ୩୦ଲକ୍ଷରୁ କମ ଜନସଂଖ୍ୟାର ଆଲବାନିଆକୁ ଭାରତ ଅପେକ୍ଷା ଅଧିକ ପର୍ଯ୍ୟଟକ ପହଞ୍ଚୁଛନ୍ତି।

ପର୍ଯ୍ୟଟନ ମନ୍ତ୍ରାଳୟଙ୍କ ଅନୁସାରେ ଗତବର୍ଷ ଭାରତ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ଆମେରିକା ଓ ୟୁରୋପରୁ ଆସିଥିଲେ। ବୈଶ୍ୱିକ ଗଣମାଧ୍ୟମ ଅନୁସାରେ ପର୍ଯ୍ୟଟନ ଓ ପର୍ଯ୍ୟଟକ ଉଦ୍ୟୋଗ ସହ ଜଡିତ ଅଧିକାରୀମାନେ ଭାରତକୁ ପର୍ଯ୍ୟଟକ ହ୍ରାସର ଅନେକ କାରଣ କହିଛନ୍ତି। ଏଥିରେ ଠକେଇ, ସୁରକ୍ଷା ସମ୍ପର୍କିତ ଚିନ୍ତା, ପରିବହନ ସମସ୍ୟା ଓ ଜଟିଳ ଭିସା ପ୍ରକ୍ରିୟା ଆଦି ରହିଛି। ତେବେ ଭାରତୀୟ ପର୍ଯ୍ୟଟନ ଉଦ୍ୟୋଗ ଏବେ ଘୋରଇ ପର୍ଯ୍ୟଟକଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ଗତ ବର୍ଷ ଘରୋଇ ଯାତ୍ରୀଙ୍କ ସଂଖ୍ୟା ୪୬% ବଢି ୪୨୯ କୋଟିକୁ ପହଞ୍ଚି ଯାଇଛି, ଯାହା କୋଭିଡ-୧୯ ମହାମାରୀ ପୂର୍ବ ସମୟ ସ୍ତରର ପାଖାପାଖି ୨ ଗୁଣା। ଆୟବୃଦ୍ଧି, ଭଲ ଭିତ୍ତିଭୂମି ସାଙ୍ଗକୁ ଧାର୍ମିକ ସ୍ଥଳ ଯାତ୍ରା ପାଇଁ ଲୋକଙ୍କ ବଢୁଥିବା ଆଗ୍ରହ ଏହି ବୃଦ୍ଧିକୁ ଗତି ଦେଇଛି।

ଏହି ପରିବର୍ତ୍ତନ ବିଦେଶୀ ପର୍ଯ୍ୟଟକଙ୍କ ଯାତ୍ରା ବାବଦ ବ୍ୟୟ ବଢାଇଛି ଓ ପର୍ଯ୍ୟଟନ ଉଦ୍ୟୋଗକୁ ଭାରତୀୟ ଯାତ୍ରୀଙ୍କ ଆବଶ୍ୟକତା ଅନୁରୂପ ନିଜର ସେବା ପ୍ରସ୍ତୁତ କରିବାରେ ପ୍ରେରିତ କରିଛି। ଦୁର୍ବଳ ଟଙ୍କା ଭାରତୀୟଙ୍କ ବିଦେଶ ଯାତ୍ରାକୁ ମହଙ୍ଗା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନାଗରିକଙ୍କୁ ସେମାନଙ୍କ ଯାତ୍ରା ବଜେଟ୍ ଦେଶ ଭିତରେ ଖର୍ଚ୍ଚ କରିବାକୁ ନିବେଦନ କରିଛନ୍ତି। ଏଥିରେ ଭାରତରେ ବିଦେଶୀ ପର୍ଯ୍ୟଟନର ଦୁର୍ବଳ ସଂଖ୍ୟାର ପ୍ରଭାବ ପର୍ଯ୍ୟଟନରୁ ହେଉଥିବା ଆୟକୁ ପ୍ରଭାବିତ କରିଛି। ସରକାରଙ୍କ ଥିଙ୍କ ଟ୍ୟାଙ୍କ ‘ନୀତି ଆୟୋଗ’ ଜୁନ ରେ ଜାରି ଏକ ରିପୋର୍ଟରେ କହିଛନ୍ତି ଯେ ଭାରତର ୩୫ ବିଲିୟନ ଡଲାର ବିଦେଶୀ ପର୍ଯ୍ୟଟନ ଆୟ ତୁର୍କିୟେ, ଥାଇଲ୍ୟାଣ୍ଡ ଓ ସାଉଦୀ ଆରବ ଭଳି ଛୋଟ ପର୍ଯ୍ୟଟନ ବଜାର ଠାରୁ ମଧ୍ୟ ପଛରେ ରହିଛି।

ପର୍ଯ୍ୟଟନ ଉଦ୍ୟୋଗ ସହ ସମ୍ପୃକ୍ତ ଅଧିକାରୀଙ୍କ କହିବା କଥା ହେଉଛି ୯୧.୪ ଲକ୍ଷର ସଂଖ୍ୟା ମଧ୍ୟ ବାସ୍ତବିକ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାକୁ ବଢେଇକି ଦେଖଉଛି। କାରଣ ଏଥିରେ ଚିକିତ୍ସା ଓ ପରିବାରକୁ ଭଟିବା ଭଳି ଅନ୍ୟ କାରଣରେ ଭାରତ ଆସୁଥିବା ଲୋକେ ବି ସାମିଲ ଅଛନ୍ତି। ଇଣ୍ଡିଆନ ଆସୋସିଏସନ ଅଫ ଟୁର ଅପରେଟର୍ସ ଅଧ୍ୟକ୍ଷ ରବି ଗୋସାଇଙ୍କ ଅନୁମାନ ଯେ ଭାରତ ଆସୁଥିବା ବିଦେଶୀ ଅବକାଶ ପର୍ଯ୍ୟଟକଙ୍କ ବାସ୍ତବ ସଂଖ୍ୟା ମାତ୍ର ୨୦ରୁ ୩୦ ଲକ୍ଷ ମଧ୍ୟରେ ସୀମିତ।