ଚେନ୍ନାଇ: ତାମିଲ ସୁପରଷ୍ଟାର ଥାଲାପତି ବିଜୟଙ୍କ ବହୁପ୍ରତୀକ୍ଷିତ ତଥା ଅନ୍ତିମ ଫିଲ୍ମ କୁହାଯାଉଥିବା 'ଜନ ନାୟକନ୍' (Jana Nayagan) କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫିଲ୍ମଟି ଏବେ ସେନ୍ସର ବୋର୍ଡର କଟକଣାରେ ଫସି ରହିଥିବା ବେଳେ, ପାଇରେଟେଡ୍ ୱେବସାଇଟ ଗୁଡ଼ିକରେ ଏହାର ହାଇ-ଡେଫିନିସନ୍ (HD) ପ୍ରିଣ୍ଟ୍ ଲିକ୍ ହୋଇଯାଇଛି। ଫିଲ୍ମର ପୂରା ପ୍ରିଣ୍ଟ୍ ଲିକ୍ ହେବା ଫିଲ୍ମ ନିର୍ମାତା ଏବଂ ପ୍ରଶଂସକଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଛି ଏବଂ ପାଇରେସି ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି।

କ୍ଲିପ୍ ପରେ ଏବେ ପୂରା ଫିଲ୍ମ ଭାଇରାଲ୍

ପ୍ରଥମେ ସୋସିଆଲ ମିଡିଆରେ ଫିଲ୍ମର ଟାଇଟଲ୍ କ୍ରେଡିଟ୍ସ, ଇଣ୍ଟ୍ରୋ ସିନ୍ (ପ୍ରବେଶ ଦୃଶ୍ୟ) ଏବଂ କ୍ଲାଇମାକ୍ସ କ୍ଲିପ୍ ଲିକ୍ ହୋଇଥିଲା। ନିର୍ମାତାମାନେ ଏହାକୁ ତୁରନ୍ତ ଏକ୍ସ (X) ଓ ଅନ୍ୟାନ୍ୟ ପ୍ଲାଟଫର୍ମରୁ ହଟାଇବାରେ ଲାଗିଥିବା ବେଳେ, ହଠାତ୍ ସମ୍ପୂର୍ଣ୍ଣ HD ଫିଲ୍ମଟି ଲିକ୍ ହେବା ସମସ୍ତଙ୍କୁ ଚକିତ କରିଛି।

ଏପରିକି ଶୁକ୍ରବାର ସକାଳେ ଫିଲ୍ମର ଉଇକିପିଡିଆ (Wikipedia) ପେଜ୍ରେ ମଧ୍ୟ ଏକ ଲିକ୍ ହୋଇଥିବା ୟୁଆରଏଲ୍ (URL) ଦେଖିବାକୁ ମିଳିଥିଲା, ଯଦିଓ ଏହା ଏକ ଭାଇରସ୍ କିମ୍ବା ମାଲିସିୟସ୍ (malicious) ଲିଙ୍କ୍ ମଧ୍ୟ ହୋଇପାରେ।

Also Read: 

ଫ୍ୟାନ୍ସମାନେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ପ୍ରଡକ୍ସନ୍ ହାଉସ୍କୁ ପୋଲିସରେ ଦୃଢ଼ ଅଭିଯୋଗ କରିବାକୁ ଅନୁରୋଧ କରିଛନ୍ତି।

ପାଇରେସି ସାଇଟ୍ ଦେଖାଇଲା'ନୈତିକତା'

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବେଆଇନ ଭାବେ ତାମିଲ ଫିଲ୍ମ ଲିକ୍ କରିବା ପାଇଁ ବଦନାମ ଥିବା ପାଇରେସି ୱେବସାଇଟ୍ 'ତାମିଲଏମଭି' (TamilMV) ଏହି ଫିଲ୍ମକୁ ନିଜ ପ୍ଲାଟଫର୍ମରେ ଅପଲୋଡ୍ କରିବାକୁ ମନା କରିଦେଇଛି। ଏକ ସ୍ୱତନ୍ତ୍ର ନୋଟ୍ ସେୟାର କରି ସେମାନେ ଲେଖିଛନ୍ତି ଯେ, "ଅଭିନେତାଙ୍କ ସହ ଜଡ଼ିତ ରାଜନୈତିକ ବିବାଦ ବିଷୟରେ ଆମେ ଅବଗତ। ଆମର ନୈତିକତା ଅନୁଯାୟୀ, ଥିଏଟରରେ ଫିଲ୍ମ ରିଲିଜ୍ ହେବା ପରେ ହିଁ ଆମେ କଣ୍ଟେଣ୍ଟ ଅପଲୋଡ୍ କରୁ। ତେଣୁ ଅଫିସିଆଲ୍ ରିଲିଜ୍ ପୂର୍ବରୁ ଏହି ଫିଲ୍ମ ଆମ ସାଇଟରେ ଅପଲୋଡ୍ କରାଯିବ ନାହିଁ।"

କାହିଁକି ରିଲିଜ୍ ହୋଇପାରୁନି'ଜନ ନାୟକନ୍'?

ବିଜୟ ରାଜନୀତିରେ ପୂର୍ଣ୍ଣକାଳୀନ ସମୟ ଦେବା ପୂର୍ବରୁ 'ଜନ ନାୟକନ୍' ହେଉଛି ତାଙ୍କର ଶେଷ ବିଦାୟୀ ଫିଲ୍ମ।

ଏହା ଚଳିତ ବର୍ଷ ଜାନୁଆରୀ ୯ ତାରିଖରେ ରିଲିଜ୍ ହେବାର ଥିଲା, କିନ୍ତୁ ଫିଲ୍ମର କିଛି ଦୃଶ୍ୟ ଲୋକଙ୍କ ଆବେଗକୁ ଆଘାତ ଦେଇପାରେ ଦର୍ଶାଇ ସେନ୍ସର ବୋର୍ଡ ଆପତ୍ତି ଉଠାଇବାରୁ ରିଲିଜ୍ ଘୁଞ୍ଚିଥିଲା।

ନିର୍ମାତାମାନେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପରେ କେସ୍ ପ୍ରତ୍ୟାହାର କରି ସେନ୍ସର ବୋର୍ଡର ରିଭାଇଜିଂ କମିଟି ନିକଟରେ ଫିଲ୍ମ ପେସ୍ କରିବାକୁ ରାଜି ହୋଇଥିଲେ। ବର୍ତ୍ତମାନ ଏହି ଫିଲ୍ମ କମିଟିର ଅନୁମୋଦନ ଅପେକ୍ଷାରେ ରହିଛି।

ନିର୍ବାଚନ ସରିବା ପରେ ହିଁ ମିଳିବ କ୍ଲିୟରାନ୍ସ?

ବର୍ତ୍ତମାନ ବିଜୟ ନିଜ ନୂଆ ଦଳ 'ତାମିଲଗା ଭେଟ୍ରି କାଜଗମ୍' (TVK) ଗଠନ କରି ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ମଇଦାନରେ ଅଛନ୍ତି। ଏହି ଫିଲ୍ମରେ ମଧ୍ୟ ରାଜନୈତିକ ବାର୍ତ୍ତା ରହିଥିବାରୁ, ନିର୍ବାଚନ ଶେଷ ହେବା ପରେ ହିଁ ଫିଲ୍ମକୁ କ୍ଲିୟରାନ୍ସ ମିଳିବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି।

କେଭିଏନ୍ (KVN) ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଏହି କମର୍ସିଆଲ୍-ପଲିଟିକାଲ୍ ଏଣ୍ଟରଟେନର ଫିଲ୍ମରେ ବିଜୟଙ୍କ ବ୍ୟତୀତ ପୂଜା ହେଗଡେ, ବବି ଦେଓଲ, ମମିତା ବୈଜୁ, ଗୌତମ ମେନନ୍, ପ୍ରକାଶ ରାଜ ଏବଂ ପ୍ରିୟାମଣିଙ୍କ ଭଳି ବଡ଼ ତାରକା ଅଭିନୟ କରିଛନ୍ତି।