ନୂଆଦିଲ୍ଲୀ ୨୮। ୧୨; ଘନ ଅନ୍ଧାରରେ କୁହୁଡ଼ି ହେଲା କାଳ । ବାଟ ଜାଣିପାରିଲେନି ବସ୍ ଚାଳକ । ଖାଇକୁ ଖସିଗଲା ଯାତ୍ରୀବାହୀ ବସ୍ । ମଧ୍ୟ ଆମେରିକା ସ୍ଥିତ ଗ୍ୱାଟେମାଳାରେ ଭୀଷଣ ସଡ଼କ ଦୁର୍ଘଟଣା ହୋଇଛି । ମର୍ମନ୍ତୁଦ ଦୁର୍ଘଟଣାରେ ଅତକମରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୧ ଜଣ ପୁରୁଷ, ୩ ଜଣ ମହିଳା ଏବଂ ପିଲାମାନେ ଅଛନ୍ତି । ଘନ କୁହୁଡ଼ି ଦୁର୍ଘଟଣାର କାରଣ ବୋଲି ଅନୁମାନ କରାଯାଉଛି ।

ଟୋଟୋନିକାପାନ୍ ସହର ବାହାରେ ଥିବା ଇଣ୍ଟରଆମେରିକାନ୍ ରୋଡ୍ରେ ଏହି ଦୁର୍ଘଟଣା ଘଟିଛି । ଏହି ଅଞ୍ଚଳରେ ଘନ କୁହୁଡ଼ି ପାଇଁ ଜଣାଶୁଣା । ଯାହା ଦୃଶ୍ୟମାନତାକୁ ହ୍ରାସ କରିଥାଏ ଫଳରେ ଡ୍ରାଇଭରମାନଙ୍କ ପାଇଁ ଗାଡ଼ି ଚଲାଇବା ବହୁତ କଷ୍ଟକର ହୋଇପଡ଼େ । ବସ୍ଟି ଗ୍ୱାଟେମାଳା ସିଟିରୁ ମେକ୍ସିକୋ ସୀମା ନିକଟସ୍ଥ ସାନ୍ ମାର୍କୋସ୍କୁ ଯାତ୍ରା କରୁଥିଲା । ୭୫ ମିଟର ଗଭୀର ଖାଇକୁ ଖସି ପଡ଼ିଥିଲା ବସ୍ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କୁହୁଡ଼ି ଦୁର୍ଘଟଣାର ସମ୍ଭାବ୍ୟ କାରଣ ହୋଇପାରେ । ଦୁର୍ଘଟଣାର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଯେଉଁଥିରେ ବସ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖି ବାକୁ ମିଳିଛି । ଅଗ୍ନିଶମ କର୍ମଚାରୀମାନେ ମୃତଦେହ ସହିତ ଆହତମାନଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବିଭାଗର ମୁଖପାତ୍ର ଲିଆଣ୍ଡ୍ରୋ ଆମାଡୋ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୧୧ ଜଣ ପୁରୁଷ, ୩ ଜଣ ମହିଳା ଏବଂ ଜଣେ ନାବାଳକ ଅଛନ୍ତି । ୧୯ ରୁ ଅଧିକ ଆହତଙ୍କ ଚିକିତ୍ସା ଜାରି ରହିଛି । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି- ''ଆନ୍ତଃ-ଆମେରିକୀୟ ରୁଟରେ ଘଟିଥିବା ଦୁର୍ଘଟଣାରେ ମୁଁ ମର୍ମାହତ । ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ଆମେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛୁ । " ଗ୍ୱାଟେମାଳା ରାଷ୍ଟ୍ରପତି ବର୍ଣ୍ଣାର୍ଡୋ ଆରେଭାଲୋ ସୋସିଆଲ ମିଡିଆରେ ଏକ ବିବୃତ୍ତିରେ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରି ଏହା କହିଛନ୍ତି । ପ୍ରଶାସନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଭବିଷ୍ୟତରେ ଏପରି ଦୁର୍ଘଟଣା ରୋକିବା ପାଇଁ ସଡ଼କ ସୁରକ୍ଷା ପଦକ୍ଷେପଗୁଡ଼ିକର ମଧ୍ୟ ସମୀକ୍ଷା କରାଯାଉଛି ।