ନୂଆଦିଲ୍ଲୀ ୧୫।୧୦; ଶାରଦୀୟ ନବରାତ୍ରିରେ ମା’ ଦୁର୍ଗାଙ୍କ ଆରାଧନା ପାଇଁ ଭକ୍ତିମୟ ହୋଇଉଠିଛି ପରିବେଶ। ନବରାତ୍ରିରେ ସାତ୍ତ୍ୱିକ ଆହାର… ଶୁଦ୍ଧ ଆଚରଣ ଓ ମା’ଙ୍କ ଆରାଧନା! ଏହି ସମୟରେ ଅନେକ ଭକ୍ତ ସାତ୍ତ୍ୱିକ ଆହାର ଗ୍ରହଣ କରିବା ସହ ପିଆଜ, ରସୁଣ ଓ ଆମିଷଠାରୁ ଦୂରେଇ ରହନ୍ତି। କିନ୍ତୁ ଦେଶରେ ଏମିତି କିଛି ଶକ୍ତିପୀଠ ରହିଛି, ଯେଉଁଠି ଦେବୀଙ୍କୁ ଅର୍ପଣ କରାଯାଏ ଆମିଷ ଭୋଗ। କେଉଁଠି ମାଛ, ତ ଆଉ କେଉଁଠି ମାଂସ! ପରମ୍ପରା ଭିନ୍ନ, ଉପାସନାର ରୂପ ଭିନ୍ନ… ହେଲେ ଆସ୍ଥା ଗୋଟିଏ। ଆସନ୍ତୁ ଜାଣିବା, ଦେଶର ଏହି ଅନନ୍ୟ ଧାର୍ମିକ ପରମ୍ପରା ବିଷୟରେ।

ପୁରୀର ମା’ ବିମଳାଙ୍କଠାରୁ ଆରମ୍ଭ କରି ଆସାମର ମା’ କାମାଖ୍ୟା ଏବଂ ପଶ୍ଚିମବଙ୍ଗର ମା’ ତାରାଙ୍କ ପୀଠ ପର୍ଯ୍ୟନ୍ତ—ପ୍ରତ୍ୟେକ ସ୍ଥାନରେ ପୂଜାର ରୀତିନୀତି ଓ ପରମ୍ପରାର ରହିଛି ଭିନ୍ନ ପରିଚୟ। ତେବେ କେଉଁ ପୀଠରେ କିଭଳି ଭୋଗ ଅର୍ପଣ କରାଯାଏ? ଆସନ୍ତୁ ଜାଣିବା।

ମା’ ବିମଳା ମନ୍ଦିର

ଓଡ଼ିଶାର ପୁରୀ। ଶ୍ରୀମନ୍ଦିର ପରିସରରେ ଅବସ୍ଥିତ ମା’ ବିମଳାଙ୍କ ମନ୍ଦିର ଏକ ପ୍ରମୁଖ ଶକ୍ତିପୀଠ। ଦୁର୍ଗାପୂଜା ସମୟରେ ଏଠାରେ ପାଳନ କରାଯାଏ ସ୍ୱତନ୍ତ୍ର ରୀତିନୀତି। ପରମ୍ପରା ଅନୁଯାୟୀ, ନିର୍ଦ୍ଦିଷ୍ଟ ପୂଜାବିଧିରେ ମା’ଙ୍କୁ ଆମିଷ ଭୋଗ ଅର୍ପଣ କରାଯାଏ। ଏହି ପରମ୍ପରା ମା’ ବିମଳାଙ୍କ ଉପାସନାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

ତରକୁଲହା ଦେବୀ ମନ୍ଦିର

ଉତ୍ତର ପ୍ରଦେଶର ଗୋରଖପୁରରେ ରହିଛି ତରକୁଲହା ଦେବୀଙ୍କ ପ୍ରସିଦ୍ଧ ମନ୍ଦିର। ଏଠାରେ ମଧ୍ୟ ବଳି ଓ ମାଂସ ପ୍ରସାଦ ସହ ଜଡ଼ିତ ଧାର୍ମିକ ପରମ୍ପରା ରହିଛି। ବିଶେଷକରି ଚୈତ୍ର ନବରାତ୍ରି ଓ ରାମନବମୀ ସମୟରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମେ।

ମା’ କାମାଖ୍ୟା ମନ୍ଦିର

ଆସାମର ନୀଳାଚଳ ପାହାଡ଼ରେ ଅବସ୍ଥିତ ମା’ କାମାଖ୍ୟାଙ୍କ ମନ୍ଦିର। ଦେଶର ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଏହି ପୀଠ ତାନ୍ତ୍ରିକ ଉପାସନା ଓ ପ୍ରାଚୀନ ପରମ୍ପରା ପାଇଁ ପ୍ରସିଦ୍ଧ। ଏଠାରେ ନିର୍ଦ୍ଦିଷ୍ଟ ରୀତିନୀତି ଅନୁସାରେ ମାଛ ଓ ମାଂସ ଭୋଗ ଅର୍ପଣ କରାଯାଏ। ତେବେ ଏହି ଭୋଗ ପ୍ରସ୍ତୁତିରେ ମଧ୍ୟ କିଛି ସ୍ୱତନ୍ତ୍ର ନିୟମ ପାଳନ କରାଯାଏ।

ତାରାପୀଠ ମନ୍ଦିର

ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ରହିଛି ମା’ ତାରାଙ୍କ ପ୍ରସିଦ୍ଧ ତାରାପୀଠ। ତାନ୍ତ୍ରିକ ସାଧନା ଓ ଶାକ୍ତ ପରମ୍ପରା ସହ ଜଡ଼ିତ ଏହି ପୀଠରେ ମାଛ ଓ ମାଂସ ଭୋଗ ଅର୍ପଣ କରିବାର ପରମ୍ପରା ରହିଛି। ଏଠାରେ ଭୋଗର ରୀତିନୀତି ମା’ ତାରାଙ୍କ ଉପାସନାର ଏକ ପ୍ରମୁଖ ଅଂଶ।

କାଳୀଘାଟ ମନ୍ଦିର

କୋଲକାତାର କାଳୀଘାଟ ମନ୍ଦିର। ମା’ କାଳୀଙ୍କ ଏହି ପ୍ରସିଦ୍ଧ ପୀଠରେ ମଧ୍ୟ ଆମିଷ ଭୋଗ ସହ ଜଡ଼ିତ ପରମ୍ପରା ଦେଖିବାକୁ ମିଳେ। ମାନସିକ ପୂରଣ ପରେ କେତେକ ଭକ୍ତ ଛେଳି ବଳି ଅର୍ପଣ କରନ୍ତି। ଏଠାକାର ପୂଜାବିଧି ଓ ଭୋଗ ପରମ୍ପରା ବଙ୍ଗୀୟ ଶାକ୍ତ ଉପାସନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

ପାରାସିନିକାଡାଭୁ ମନ୍ଦିର

କେରଳର ପାରାସିନିକାଡାଭୁ ମନ୍ଦିରର ପରମ୍ପରା ମଧ୍ୟ ଅନ୍ୟ ସ୍ଥାନଠାରୁ ଭିନ୍ନ। ଏଠାରେ ଭଗବାନ ମୁଥାପ୍ପନଙ୍କୁ ମାଛ ଓ ତାଳରସରୁ ପ୍ରସ୍ତୁତ ପାନୀୟ ଅର୍ପଣ କରାଯାଏ। ଏହି ପରମ୍ପରା କେରଳର ସ୍ଥାନୀୟ ଲୋକଧର୍ମ ଓ ଆସ୍ଥା ସହ ଗଭୀର ଭାବେ ଜଡ଼ିତ।

ଭାରତରେ ପୂଜାପଦ୍ଧତି ଓ ଭୋଗର ପରମ୍ପରା ସ୍ଥାନଭେଦରେ ଭିନ୍ନ। କେଉଁଠି ସାତ୍ତ୍ୱିକ ଭୋଗ, ତ ଆଉ କେଉଁଠି ପ୍ରଚଳିତ ରୀତିନୀତି ଅନୁସାରେ ଆମିଷ ଭୋଗ। ଏହି ବିବିଧତା ହିଁ ଭାରତୀୟ ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ଏକ ବିଶେଷ ଦିଗ।