ନୂଆଦିଲ୍ଲୀ ୧୫।୧୦; ଉତ୍ତରପ୍ରଦେଶର ମେରଠରୁ ଆସିଥିବା ଏକ ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ ଆସିଛି ସବୁଠୁ ବଡ଼ ରାୟ। ମର୍ଚାଣ୍ଟ ନେଭି ଅଧିକାରୀ ସୌରଭ ରାଜପୁତ ହତ୍ୟା ମାମଲାରେ ଅଦାଲତ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମିକ ସାହିଲ ଶୁକ୍ଲାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ବୁଧବାର ଦିନ ଜିଲ୍ଲା ଓ ସେସନ୍ସ ଜଜ୍ ଅରବିନ୍ଦ କୁମାର ମିଶ୍ର ଏହି ଐତିହାସିକ ରାୟ ଶୁଣାଇବା ପରେ କୋର୍ଟ କକ୍ଷରେ ଏକ ସ୍ତବ୍ଧାବସ୍ଥା ସୃଷ୍ଟି ହୋଇଥିଲା। ରାୟ ଶୁଣିବା ପରେ ଉଭୟ ଦୋଷୀ ଭାଙ୍ଗି ପଡ଼ିଥିଲେ ଏବଂ ଜୋରରେ କାନ୍ଦିବାକୁ ଲାଗିଥିଲେ। ଜେଲ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ୍ୟୁଦଣ୍ଡାଦେଶ ମିଳିବା ପରଠାରୁ ଉଭୟ କିଛି ବି ଖାଇବା କିମ୍ବା ପିଇବାକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି।"

ଏହି ରାୟ ପରେ ଜେଲ୍ ପ୍ରଶାସନ ଉଭୟଙ୍କ ଉପରେ କଡ଼ା ନଜର ରଖିଛି। ସାହିଲଙ୍କୁ କଏଦୀ ନମ୍ବର ୩୯୫ ଏବଂ ମୁସ୍କାନଙ୍କୁ କଏଦୀ ନମ୍ବର ୩୯୬ ଦିଆଯାଇ ଅଲଗା ଅଲଗା ଉଚ୍ଚ-ସୁରକ୍ଷାଯୁକ୍ତ ବାରାକ୍ରେ ରଖାଯାଇଛି। ସିସିଟିଭି ଏବଂ ସୁରକ୍ଷା କର୍ମୀଙ୍କ ଜରିଆରେ ୨୪ ଘଣ୍ଟା ସେମାନଙ୍କ ଉପରେ କଡ଼ା ପହରା ଦିଆଯାଉଛି। ନିୟମ ଅନୁଯାୟୀ, ସେମାନଙ୍କ ଜେଲ୍ ପୋଷାକରେ ମଧ୍ୟ ପରିବର୍ତ୍ତନ କରାଯାଉଛି-ସାହିଲ ଏକ ଧଳା କୁର୍ତ୍ତା-ପାଇଜାମା ଏବଂ ମୁସ୍କାନ ଏକ କ୍ରିମ୍ ରଙ୍ଗର ଶାଢ଼ି କିମ୍ବା ସୁଟ୍ ପିନ୍ଧିବେ। ରିପୋର୍ଟ ଅନୁଯାୟୀ, ଦୋଷୀମାନେ ନିଜର ଆଇନଗତ ବିକଳ୍ପ ସମ୍ପର୍ଣ୍ଣରେ ପଚାରି ବୁଝିଥିବାବେଳେ, ସେମାନଙ୍କୁ କୁହାଯାଇଛି ଯେ ସେମାନେ ସେସନ୍ସ କୋର୍ଟଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ହାଇକୋର୍ଟରେ ଅପିଲ୍ କରିପାରିବେ। ତେବେ, ନିୟମ ଅନୁଯାୟୀ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ ହେବା ପୂର୍ବରୁ ହାଇକୋର୍ଟଙ୍କ ସ୍ୱୀକୃତି ମିଳିବା ବାଧ୍ୟତାମୂଳକ ଅଟେ।

୧୨୬ ଥର ଶୁଣାଣି ଏବଂ ୨୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ପ୍ରଦାନ କରାଯାଇଥିବା ଏହି ରାୟରେ ଅଦାଲତ ଭଗବଦ୍ ଗୀତା ଏବଂ ମହାଭାରତର ଉଲ୍ଲେଖ କରିଛନ୍ତି। 'ଧର୍ମ' ଏବଂ ନ୍ୟାୟ ସମ୍ବନ୍ଧରେ ଆଲୋଚନା କରି ବିଚାରପତି ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ଅନ୍ୟାୟ କରନ୍ତି କିମ୍ବା ଧର୍ମ ବିରୁଦ୍ଧରେ ଆଚରଣ କରନ୍ତି, ସେମାନଙ୍କୁ କଠୋରତମ ଦଣ୍ଡ ଦେବା ଅଦାଲତର ପରମ କର୍ତ୍ତବ୍ୟ। ଏହି ଘଟଣାରେ ସବୁଠୁ ବଡ଼ କଥା ହେଲା, ମୁସ୍କାନଙ୍କୁ ତାଙ୍କ ନିଜ ପିତାମାତା ମଧ୍ୟ ପରିତ୍ୟାଗ କରିଦେଇଛନ୍ତି। ରାୟ ଆସିବା ପୂର୍ବରୁ ତାଙ୍କ ପରିବାର କହିଥିଲେ ଯେ, ସେମାନଙ୍କ ଜ୍ୱାଇଁ ସୌରଭ ଜଣେ ଅତି ଭଲ ମଣିଷ ଥିଲେ ଏବଂ ଯଦି ସେମାନଙ୍କ ଝିଅକୁ ମୃତ୍ୟୁଦଣ୍ଡ ମଧ୍ୟ ମିଳେ, ତେବେ ତାଙ୍କର କୌଣସି ଆପତ୍ତି ନାହିଁ। ଜେଲରେ ଥିବା ସମୟରେ ମୁସ୍କାନଙ୍କୁ ଦେଖା କରିବାକୁ ତାଙ୍କ ପରିବାରରୁ କେହି ବି ଯାଇନଥିଲେ।