ନୂଆଦିଲ୍ଲୀ ୧୫।୧୦: ନିଜ ପେଟ ପାଇଁ ଭିକ୍ଷା ମାଗୁଥିଲେ… ହେଲେ ସେହି ଟଙ୍କାରେ ନିଜ ପାଇଁ କିଛି କିଣିଲେନି! ଭିକ୍ଷା କରି ସଞ୍ଚୟ କଲେ ୧୭ ଲକ୍ଷ ଟଙ୍କା। ଆଉ ସେହି ଟଙ୍କାକୁ ନିଜ ପାଇଁ ନୁହେଁ, ମନ୍ଦିରକୁ ଆସୁଥିବା ହଜାର ହଜାର ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରିଦେଲେ। ଏହା ଆନ୍ଧ୍ରପ୍ରଦେଶର ଶିବରାମ ରେଡ୍ଡିୟାରଙ୍କ କାହାଣୀ। ପାଞ୍ଚ ବର୍ଷର ତ୍ୟାଗ, ନିଷ୍ଠା ଓ ନିଃସ୍ୱାର୍ଥପର ସେବାର ଏହି କାହାଣୀ ଏବେ ସମସ୍ତଙ୍କ ପାଇଁ ପାଲଟିଛି ପ୍ରେରଣା। ଯେଉଁ ଟଙ୍କାରେ ନିଜ ଜୀବନକୁ ଟିକିଏ ସହଜ କରିପାରିଥାନ୍ତେ, ସେହି ଟଙ୍କାକୁ ସେ ଉତ୍ସର୍ଗ କରିଦେଲେ ଅନ୍ୟମାନଙ୍କ ସୁବିଧା ପାଇଁ।

ଆନ୍ଧ୍ରପ୍ରଦେଶର ତ୍ରିପୁରାନ୍ତକମ୍ ଗାଁରେ ଥିବା ବାଲା ତ୍ରିପୁରାସୁନ୍ଦରୀ ଦେବୀ ମନ୍ଦିରକୁ ପର୍ବପର୍ବାଣି ସମୟରେ ଆସୁଥିବା ଭକ୍ତଙ୍କ ଭିଡ଼ ତାଙ୍କୁ ବ୍ୟଥିତ କରିଥିଲା। ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ଠେଲାପେଲା ଓ ଅବ୍ୟବସ୍ଥା ଦେଖି ସେ ଏହାର ସ୍ଥାୟୀ ସମାଧାନ କରିବାକୁ ଚିନ୍ତା କଲେ। ଏଥିପାଇଁ ଆରମ୍ଭ ହେଲା ତାଙ୍କର ପାଞ୍ଚ ବର୍ଷର ଏକ ଅସାଧାରଣ ଯାତ୍ରା। ଭିକ୍ଷାବୃତ୍ତି କରି ଯେଉଁ ଟଙ୍କା ମିଳୁଥିଲା, ସେଥିରୁ ଅଧିକାଂଶ ସଞ୍ଚୟ କରୁଥିଲେ ଶିବରାମ। ନିଜର ବ୍ୟକ୍ତିଗତ ଖର୍ଚ୍ଚକୁ ସର୍ବନିମ୍ନ ରଖିବା ସହ ଦିନକୁ ମାତ୍ର ଥରେ ଖାଦ୍ୟ ଖାଇ ସେ ନିଜ ଲକ୍ଷ୍ୟ ଦିଗରେ ଆଗେଇ ଚାଲିଥିଲେ। ପାଞ୍ଚ ବର୍ଷର ପରିଶ୍ରମ ପରେ ସଞ୍ଚୟ ହେଲା ୧୭ ଲକ୍ଷ ଟଙ୍କା। ଆଉ ସେହି ଟଙ୍କାରେ ମନ୍ଦିର ପରିସରରେ ଲାଗିଲା ସ୍ଥାୟୀ ଲୁହା ରେଲିଂ। ଏହାଦ୍ୱାରା ଭକ୍ତଙ୍କ ଧାଡ଼ି ପରିଚାଳନା ସହ ଭିଡ଼ ନିୟନ୍ତ୍ରଣ କରିବା ମଧ୍ୟ ସହଜ ହେଲା।

ଏତେ ବଡ଼ କାମ କରିବା ପରେ ମଧ୍ୟ ତାଙ୍କ ମନରେ ନାହିଁ ଗର୍ବ କି ଅହଂକାର। ନିଜର ଏହି ସେବାକୁ ସେ ମା’ ଦେବୀଙ୍କ ଆଶୀର୍ବାଦ ବୋଲି ମାନନ୍ତି। ତାଙ୍କ କହିବା ଅନୁସାରେ, ମା’ ହିଁ ତାଙ୍କୁ ଏହି ସେବା କରିବାକୁ ପ୍ରେରଣା ଦେଇଥିଲେ। ଶିବରାମ ରେଡ୍ଡିୟାରଙ୍କ କାହାଣୀ ଆମକୁ ଶିଖାଏ, ମହାନ ହେବା ପାଇଁ ଧନୀ ହେବା ଜରୁରୀ ନୁହେଁ। ଜରୁରୀ ହେଉଛି ଏକ ବଡ଼ ହୃଦୟ ଓ ଅନ୍ୟର ଦୁଃଖ ବୁଝିବାର ମନ।କାରଣ ପ୍ରକୃତ ଦାନର ମୂଲ୍ୟ ଟଙ୍କାରେ ନୁହେଁ, ବରଂ ତାହା ପଛରେ ଥିବା ତ୍ୟାଗ ଓ ମାନବିକତାରେ ରହିଛି।