ଛତ୍ରପୁର ୯।୧୧: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଉପୁଜିଥିବା ବନ୍ୟା ପରିସ୍ଥିତି ଯୋଗୁଁ ବିଭିନ୍ନ ସ୍କୁଲ ମାନଙ୍କରେ ପାଣି ପଶି ଯାଇଥିଲା l ଫଳରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରାଯାଇଥିଲା l ଦୀର୍ଘ ଦିନର ଛୁଟି ପରେ ଆଜିଠାରୁ ସ୍କୁଲଗୁଡ଼ିକ ପୁଣି ଥରେ ଖୋଲିଛି । ପାଠପଢ଼ା ସ୍ବାଭାବିକ ଭାବେ ଆରମ୍ଭ ହୋଇଛି । ଏବେ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବାରୁ ଏବଂ ସ୍କୁଲ ପରିସର ଗୁଡ଼ିକୁ ସଫା ସୁତୁରା କରାଯିବା ପରେ ପିଲାମାନେ ପୁଣି ଥରେ ଉତ୍ସାହର ସହ ବିଦ୍ୟାଳୟକୁ ଫେରିଛନ୍ତି ।

ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ବରପଲ୍ଲୀ ଠାରେ ଥିବା ବରପଲ୍ଲୀ ଋଷିକୂଲ୍ୟା ଉଚ୍ଚ ବିଦ୍ୟାପୀଠଟି ଋଷିକୂଲ୍ୟା ନଦୀର ପାର୍ଶ୍ୱରେ ରହିଥିବା ବେଳେ ବନ୍ୟା ଯୋଗୁଁ ନଦୀର ପାଣି ସ୍କୁଲ ପାଚେରୀ ଭାଙ୍ଗି ସ୍କୁଲରେ ପଶିଯାଇଥିଲା । ଏପରିକି କୋଠା ପିଲର ମଧ୍ୟ ନଷ୍ଟ ହୋଇଯାଇଛି । ସ୍କୁଲ ଭିତରେ ୮ରୁ ୯ ଫୁଟ ପାଣି ପଶିଥିଲା । ଏହାଦ୍ୱାରା ସ୍କୁଲରେ ଥିବା ବିଭିନ୍ନ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି l

ସ୍କୁଲରେ ଥିବା ଲାଇବ୍ରେରୀ, ବିଭିନ୍ନ ଫାଇଲ, ଏଲଇଡି ଟିଭି, ରୋଷେଇ ସାମଗ୍ରୀ ଆଦି ନଷ୍ଟ ହୋଇଯାଇଥିବା ବେଳେ ଖେଳ ପଡିଆରେ କାଦୁଅ ଭର୍ତ୍ତି ହୋଇ ରହିଛି l ସେହିପରି ବିଦ୍ୟାଳୟ କୋଠାଟି ବିପଦ ସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି l ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି l

Also Read:- ଦୀପାବଳିରେ କର୍ମଚାରୀଙ୍କୁ ମାଲିକଙ୍କ ବଡ଼ ଉପହାର, ଜଣ ପିଛା ଦେଲେ ୧ ଲକ୍ଷରୁ ଅଧିକ ବୋନସ୍

ସୋମବାର ଛାତ୍ରଛାତ୍ରୀ ମାନେ ଉତ୍ସାହର ସହିତ ପାଠ ପଢିବା ପାଇଁ ସ୍କୁଲକୁ ଆସିଥିବା ବେଳେ ଏହାର ଖୁବଶୀଘ୍ର ମରାମତି କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି l ଅନ୍ୟପଟେ ଏହିସବୁ ସମସ୍ୟା ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ପ୍ରଧାନ ଶିକ୍ଷକ କହିଛନ୍ତି l ବନ୍ୟା ପାଇଁ ଗଞ୍ଜାମ ଜିଲ୍ଲାର ବହୁ ସ୍କୁଲରେ ପାଣି ପଶିଥିଲା । ଜିଲ୍ଲାରେ ୩ ହଜାରରୁ ଅଧିକ ସରକାରୀ ସ୍କୁଲ ଥିବାବେଳେ ୪୯୮ଟି ସ୍କୁଲ କ୍ଷତିଗ୍ରସ୍ତ ହେବାସହ ୧୦୩୨ଟି ଶ୍ରେଣୀ ଗୃହ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନ ହୋଇଛି ବୋଲି ସୂଚନା ମିଳିଛି ।