ସୋର ୨୪।୬: ୬ ମାସ ଧରି ପାଇନଥିଲେ ଦରମା । ସେଥିପାଇଁ ମାନସିକ ଭାରସାମ୍ୟ । ଆଉ ଏବେ ହୃଦଘାତରେ ଚାଲିଗଲା ଶିକ୍ଷକଙ୍କ ଜୀବନ l ଏଭଳି ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ଚକିତ କରିଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଅନ୍ତର୍ଗତ ନୟାଖଣ୍ଡି ପଞ୍ଚାୟତ କଅଁଳଖୁଣ୍ଟା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗାଁର ଲକ୍ଷ୍ମୀଧର ମହାନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଦୁରୂଖାଗୋଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ l ୬ ମାସ ତଳେ ଲକ୍ଷ୍ମୀଧର ଖଇରା ବ୍ଲକ ସୁଜାଗଡ଼ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ l ବଦଳି ହେବା ପରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ L.P.C. ସହିତ ଆବଶ୍ୟକ କାଗଜପତ୍ର ଦେଉନଥିଲେ ବୋଲି ଅଭିଯୋଗ ହୋଇଛି । ଯାହା ଫଳରେ ଲକ୍ଷ୍ମୀଧର ଦରମା ପାଇବାରୁ ବଞ୍ଚିତ ଥିଲେ l ବାରମ୍ବାର କୋରାପୁଟ ଯାଇ କାର୍ଯ୍ୟାଳୟରେ ଗୁହାରି କରିବା ପରେ ମଧ୍ୟ କେହି ଶୁଣିନଥିଲେ l କାର୍ଯ୍ୟାଳୟରେ ଥିବା କର୍ମଚାରୀ ଅଧିକ ଲାଞ୍ଚ ମାଗିଥିଲେ । ଯାହା ଦେବାକୁ ଲକ୍ଷ୍ମୀଧର ଅସମର୍ଥ ଥିଲେ l ଦରମା ନପାଇବାରୁ ପରିବାର ଚଳାଇବା ତାଙ୍କ ପକ୍ଷରେ ସମ୍ଭବ ନଥିଲା l ଯାହାକୁ ନେଇ ଲକ୍ଷ୍ମୀଧର ଅନେକ ସମୟରେ ମାନସିକ ବିଶାଦରେ ଥିଲେ l ବୁଧବାର ସକାଳେ ଘରେ ବସିଥିବା ସମୟରେ ହଠାତ ହୃଦଘାତରେ ଲକ୍ଷ୍ମୀଧରଙ୍କର ମୃତ୍ୟୁ ଘଟିଥିଲା l

Also Read:- ପୁରୀରେ ହୋଟେଲ୍ ମାଲିକଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର

ଏ ନେଇ ଲକ୍ଷ୍ମୀଧରଙ୍କ ଭାଇ ଲମ୍ବୋଧର ମହାନ୍ତି ଶିକ୍ଷା ବିଭାଗ ଓ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ଦାୟୀ କରି ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି l ଘଟଣାର ଖବର ପାଇ ବାଲେଶ୍ୱର ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମେଡିକାଲରେ ପହଞ୍ଚି ପରିବାର ଲୋକଙ୍କୁ ଭେଟିବା ସହିତ ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି l ନହେଲେ ଜନ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି l