ମୁମ୍ବାଇ: ଟାଟା ଗ୍ରୁପ୍‌ରେ ଏନ୍. ଚନ୍ଦ୍ରଶେଖରନଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ପୁଣି ୫ ବର୍ଷ ପାଇଁ ନିଯୁକ୍ତ କରାଯିବାକୁ ନେଇ ବିବାଦ ଏବେ ଆଇନଗତ ଲଢ଼େଇର ରୂପ ନେଇଛି। ଟାଟା ଟ୍ରଷ୍ଟସର ଅଧ୍ୟକ୍ଷ ନୋଏଲ୍ ଟାଟାଙ୍କ ଆପତ୍ତିର ଜବାବରେ ଟାଟା ସନ୍ସ କହିଛି ଯେ, ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ସମ୍ପୂର୍ଣ୍ଣ ବୈଧ ଏବଂ କମ୍ପାନୀର ନିୟମ ଓ ଆର୍ଟିକଲ୍ସ ଅଫ୍ ଆସୋସିଏସନ୍ (AoA) ଅନୁସାରେ ହୋଇଛି।

ରଏଟର୍ସର ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୨୪ରେ ନୋଏଲ୍ ଟାଟାଙ୍କୁ ପଠାଇଥିବା ଏକ ଚିଠିରେ ଟାଟା ସନ୍ସ କହିଛି ଯେ, ଚନ୍ଦ୍ରଶେଖରନଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ ପୁଣି ଅଧ୍ୟକ୍ଷ କରିବା ପାଇଁ ବୋର୍ଡ ବୈଧ ଭାବେ ନିଷ୍ପତ୍ତି ନେଇଛି। ବୋର୍ଡ ସଦସ୍ୟମାନେ ଟାଟା ସନ୍ସ ପ୍ରତି ନିଜର ଦାୟିତ୍ୱ ଅନୁସାରେ ନିଷ୍ପତ୍ତି ନେଇଥିବା କମ୍ପାନୀ କହିଛି।

ନିଜ ପକ୍ଷକୁ ମଜବୁତ କରିବା ପାଇଁ ଟାଟା ସନ୍ସ ତିନୋଟି ଆଇନଗତ ମତାମତର ମଧ୍ୟ ଉଲ୍ଲେଖ କରିଛି। ଏଥିରେ ଆଇନଜୀବୀଙ୍କ ସହିତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିମାନଙ୍କ ମତାମତ ମଧ୍ୟ ସାମିଲ ଥିବା ରଏଟର୍ସକୁ ସୂଚନା ଦେଇଥିବା ଘଟଣା ସହ ଜଡ଼ିତ ଦୁଇ ଜଣ ବ୍ୟକ୍ତି କହିଛନ୍ତି।

ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ନେଇ ଟାଟା ସନ୍ସ ବୋର୍ଡରେ ମତଭେଦ ପ୍ରକାଶ ପାଇଛି। ଟାଟା ଟ୍ରଷ୍ଟସ୍ ପକ୍ଷରୁ ନୋଏଲ୍ ଟାଟା ଏହି ନିଷ୍ପତ୍ତିକୁ ବିରୋଧ କରିଥିବା ବେଳେ, ଟ୍ରଷ୍ଟସର ଅନ୍ୟ ନୋମିନି ନିର୍ଦ୍ଦେଶକ ଭେଣୁ ଶ୍ରୀନିବାସନ ଏହାକୁ ସମର୍ଥନ କରିଥିବା ରଏଟର୍ସ ରିପୋର୍ଟ କରିଛି।

ଟାଟା ସନ୍ସର ପ୍ରାୟ ୬୬ ପ୍ରତିଶତ ଅଂଶଧନ ଟାଟା ଟ୍ରଷ୍ଟସ୍ର ନିୟନ୍ତ୍ରଣରେ ରହିଛି। ନୋଏଲ୍ ଟାଟାଙ୍କ ମତ ହେଉଛି, ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ପାଇଁ ଟାଟା ଟ୍ରଷ୍ଟସର ନୋମିନି ନିର୍ଦ୍ଦେଶକଙ୍କ ଆବଶ୍ୟକ ସମର୍ଥନ ଦରକାର ଥିଲା। ଟାଟା ଟ୍ରଷ୍ଟସ୍ ମଧ୍ୟ ଟାଟା ସନ୍ସର ଆର୍ଟିକିଲ ଅଫ ଆସୋସିଏସନରେ ଥିବା ବିଶେଷ ଭୋଟିଂ ବ୍ୟବସ୍ଥା ବୋର୍ଡ ପାଳନ କରିଥିଲା କି ନାହିଁ, ତାହା ଯାଞ୍ଚ କରୁଛି।

Also Read- ୨୦୨୬ରେ ଭାରତର ଶ୍ରେଷ୍ଠ ଧନୀ କିଏ? ନୂଆ ବିଲେନିୟର ତାଲିକାରେ ସାମିଲ ହେଲେ୨୭ ଜଣ

ଅନ୍ୟପଟେ ଟାଟା ସନ୍ସ ଏହି ଯୁକ୍ତିକୁ ଖାରଜ କରିଛି। କମ୍ପାନୀର କହିବା ଅନୁସାରେ, ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ପାଇଁ ବୋର୍ଡର ନିଷ୍ପତ୍ତି କମ୍ପାନୀର ନିୟମ ଏବଂ ପ୍ରଚଳିତ ଆଇନ ଅନୁସାରେ ହୋଇଛି।

ଏହି ବିବାଦ ଏବେ କେବଳ ଚନ୍ଦ୍ରଶେଖରନଙ୍କ ଭବିଷ୍ୟତକୁ ନେଇ ସୀମିତ ରହିନାହିଁ। ଟାଟା ସନ୍ସର ଶାସନ ବ୍ୟବସ୍ଥା ଏବଂ କମ୍ପାନୀର ପ୍ରସ୍ତାବିତ ଷ୍ଟକ୍ ମାର୍କେଟ୍ ଲିଷ୍ଟିଂକୁ ନେଇ ମଧ୍ୟ ମତଭେଦ ତୀବ୍ର ହୋଇଛି। ଟାଟା ସନ୍ସ ପବ୍ଲିକ୍ ଲିଷ୍ଟିଂ ଦିଗରେ ଆଗକୁ ବଢ଼ୁଥିବା ବେଳେ ଟାଟା ଟ୍ରଷ୍ଟସ୍ ଏହାକୁ ବିରୋଧ କରୁଛି।

ଏହା ସହିତ ଟାଟା ସନ୍ସ ନିଜର ନନ୍-ବ୍ୟାଙ୍କିଂ ଫାଇନାନ୍ସିଆଲ୍ କମ୍ପାନୀ (NBFC) ପଞ୍ଜୀକରଣ ସମର୍ପଣ କରିବା ପାଇଁ କରିଥିବା ଆବେଦନକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଖାରଜ କରିଛି। ଫଳରେ ଟାଟା ଗ୍ରୁପର ଆଭ୍ୟନ୍ତରୀଣ ଶାସନ ବିବାଦ ସହିତ ନିୟାମକୀୟ ଚାପ ମଧ୍ୟ ବଢ଼ିଛି।