ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ତରୁଣ ତେଜପାଲଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଜଷ୍ଟିସ ଆଲୋକ ଆରାଧେଙ୍କ ଖଣ୍ଡପୀଠ ତେଜପାଲଙ୍କ ସରେଣ୍ଡରରୁ ଛାଡ଼ ପାଇଁ ଦାୟର ଆବେଦନକୁ ଖାରଜ କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ତରୁଣ ତେଜପାଲ ୨ ସପ୍ତାହ ମଧ୍ୟରେ ସରେଣ୍ଡର କରିବା ପରେ ହିଁ ତାଙ୍କ ଦଣ୍ଡାଦେଶ ବିରୋଧୀ ଆବେଦନର ଶୁଣାଣି ହୋଇପାରିବ। ସର୍ବୋଚ୍ଚ ଅଦାଲତ ଏହି ଆବେଦନର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ରେ ଧାର୍ଯ୍ୟ କରିଛନ୍ତି ।

ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ନିଜର ୨୦୨୧ ର ନିର୍ଦ୍ଦୋଷ ଆଦେଶକୁ ରଦ୍ଦ କରି ୨୦୧୩ ଦୁଷ୍କର୍ମ ମାମଲାରେ ତେଜପାଲଙ୍କୁ ଅଗଷ୍ଟ ୬ରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହି ଆଦେଶ ବିରୋଧରେ ତରୁଣ ତେଜପାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟ ନିୟମାବଳୀକୁ ନେଇ କହିଥିଲେ ଯେ, ସରେଣ୍ଡର ସାର୍ଟିଫିକେଟ୍ ବିନା ଅପିଲ ଶୁଣାଣି ହୋଇପାରିବ ନାହିଁ ।

ତେଜପାଲଙ୍କ ଓକିଲ କପିଲ ସିବଲ ଦର୍ଶାଇଥିଲେ ଯେ, ହାଇକୋର୍ଟ ତାଙ୍କୁ ଆତ୍ମସମର୍ପଣ ପାଇଁ ସମୟ ଦେଇଥିବାରୁ ତୁରନ୍ତ ଗିରଫଦାରୀରୁ ମୁକ୍ତି ମିଳିବା ଉଚିତ । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିନଥିଲେ। ୨୦୧୩ ନଭେମ୍ବରରେ ଗୋଆର ଏକ ହୋଟେଲ ଲିଫ୍ଟ ଭିତରେ ଜଣେ ସହକର୍ମୀ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ତେଜପାଲ ଗିରଫ ହୋଇଥିଲେ। ୨୦୨୧ ମସିହାରେ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ତାଙ୍କୁ ଖଲାସ କରିଥିଲେ । କିନ୍ତୁ ହାଇକୋର୍ଟ ଗତ ଅଗଷ୍ଟ ୬ରେ ତାଙ୍କୁ ଜେଲ ଦଣ୍ଡାଦେଶ ଦେଇଥିଲେ ।