କେନ୍ଦୁଝର: ତାମିଲନାଡୁସ୍ଥିତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ କେନ୍ଦୁଝର ଜିଲ୍ଲାର ୧୦୦ରୁ ଅଧିକ ଜୁଆଙ୍ଗ ଯୁବତୀ । ଶ୍ରମିକମାନଙ୍କ ମଧ୍ୟରୁ କିଏ ପଞ୍ଚମ ତା ଆଉ କିଏ ମାଟ୍ରିକ୍ ପରେ ପାଠପଢ଼ା ଛାଡ଼ିଛନ୍ତି । ଅର୍ଥାଭାବରୁ ପାଠପଢ଼ାରେ ମଧ୍ୟ ଡୋରି ବନ୍ଧା ଯାଇଛି । ସ୍କୁଲ କଲେଜ ଯିବା ବୟସରେ ସେମାନେ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ । ଦୁଇଟି ସିଫ୍ଟରେ କାମ କରୁଥିଲେ । ସକାଳ ୯ଟାରୁ ରାତି ୯ଟା ଗୋଟେ ସିଫ୍ଟ । ରାତି ୯ଟାରୁ ସକାଳ ୯ଟା ଆଉ ଗୋଟେ । ଫ୍ୟାକ୍ଟ୍ରି ପରିସରରେ ଶ୍ରମିକମାନେ ରହିବା ପାଇଁ ୪ଟି ବଡ଼ କୋଠରୀ ରହିଛି । ଗୋଟିଏ ସିଫ୍ଟରେ ଶହେ ପର୍ଯ୍ୟନ୍ତ ଶ୍ରମିକ କାମ କରନ୍ତି । ଗତ ଶନିବାର ଅର୍ଥାତ ୨୦ ତାରିଖ ରାତିରେ ଯେଉଁମାନେ କାମ କରିଥିଲେ ସେମାନେ ସକାଳ ୯ଟାରେ ଫେରି ନିଜ ରୁମ୍ରେ ବିଶ୍ରାମ ନେଉଥିଲେ ।

ରବିବାର ଯୋଗୁ ବିରିୟାନୀ ହୋଇଥିଲା । କେନ୍ଦୁଝର ଜିଲ୍ଲା କୋଡ଼ିପଶା ଗାଁ ସୁଜନୀ ଜୁଆଙ୍ଗଙ୍କୁ ଅନ୍ୟ ମହିଳା ଶ୍ରମିକମାନେ ଖାଇବାକୁ ଡାକିଥିଲେ । ସେ ବିରିୟାନୀ ଖାଇବାକୁ ମନା କରିଥିଲେ । ନିଦରେ ଶୋଇ ଯାଇଥିଲେ । ମାତ୍ର କିଏ ଜାଣିଥିଲା ସେହି ନିଦ୍ରା ହେବ ଶେଷନିଦ୍ରା । ଦିନ ପ୍ରାୟ ୧୧ଟା ସମୟରେ ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା । କାରଖାନା ଭିତରେ ଥିବା ଶ୍ରମିକମାନେ ବାହାରକୁ ପଳାଇ ଯାଇ ଜୀବନ ବଞ୍ଚାଇଥିଲେ । ଆଉ ଯେଉଁମାନେ ବିଶ୍ରାମ ନେଉଥିଲେ ସେମାନେ ସବୁଦିନ ପାଇଁ ଶୋଇପଡ଼ିଥିଲେ ବୋଲି ତାମିଲନାଡୁରୁ ଏବେ ଗାଁକୁ ଫେରିଥିବା ପ୍ରତିଭା ଜୁଆଙ୍ଗ କହିଛନ୍ତି ।

ଶୋଇବା ଅବସ୍ଥାରେ ଦିନ ପ୍ରାୟ ୧୧ଟା ସମୟରେ ଗ୍ୟାସ୍ ଲିକ୍ ହୋଇଥିଲା । ତେଣୁ ବିଶ୍ରାମ ନେବା ଅବସ୍ଥାରେ କେବଳ କେନ୍ଦୁଝର ଜିଲ୍ଲାର ୧୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଅନୁଗୁଳ ଜିଲ୍ଲାର ଜଣେ ମଧ୍ୟ ପ୍ରାଣ ହରାଇଛନ୍ତି । ମାରାତ୍ମକ ଗ୍ୟାସ୍ ଲିକ୍ ଯୋଗୁ ନିଶ୍ୱାସ ନେବାରେ ସମସ୍ୟା ସହିତ ଆଖିରୁ ଲୁହ ବୋହି ଯାଉଥିଲା । ୩୦ ଜଣ ଗୁରୁତର ସେଠାରେ ଚିିକିତ୍ସିତ ହେଉଛନ୍ତି । ମୃତକମାନେ ହେଲେ ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁର ବ୍ଲକର ବାସିନ୍ଦା । ମୃତକମାନଙ୍କ ମଧ୍ୟରେ କୋଡିପଶାରେ ୨ ଜଣ ଅଳ୍ପ ବୟସର ମହିଳା ଶ୍ରମିକ ସୁଜନୀ ଜୁଆଙ୍ଗ ଓ ଫୁଲମଣୀ ଜୁଆଙ୍ଗ ଅଛନ୍ତି । ଆହୁରି ୩୦ରୁ ଉଦ୍ଧ୍ୱର୍ ଶ୍ରମିକ ଆହତ ହୋଇ ୪ଟି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଓ ଆସାମ ରାଜ୍ୟର ପ୍ରାୟ ୧୦୦ ଜଣ ଯୁବକ ଯୁବତୀ ତାମିଲନାଡୁ ସ୍ଥିତ ଏକ (ସି ଫୁଡ୍ କମ୍ପାନୀ) ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିଲେ । ଓଡ଼ିଶାରୁ ଗରିବ ଏବଂ ଶ୍ରମିକମାନଙ୍କୁ ଦଲାଲମାନେ ନେଇ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିଥିବା ବେଳେ ଗତ ରବିବାର ଏହି ଅଘଟଣ ଘଟିଥିଲା । ସେଠାରେ କାମ କରୁଥିବା ଓଡ଼ିଶାର ୬୬ ଜଣଙ୍କୁ ରାଜ୍ୟ ସରକାର ଫେରାଇ ଆଣିଛନ୍ତି। ଏହି ଶ୍ରମିକ ମାନଙ୍କୁ ନେଇ ସେମାନଙ୍କ ଅଭିଭାବକଙ୍କୁ ଶନିବାର ହସ୍ତାନ୍ତର କରାଯାଇଛି । ସବୁଠାରୁ ଅଧିକ ଶ୍ରମିକ କୋଡିପଶା ଗ୍ରାମରୁ ଯାଇଥିଲେ । ୨ ଜଣ ପ୍ରାଣ ହରାଇବା ପରେ ୧୪ ଜଣ ଘରକୁ ଫେରିଛନ୍ତି । ରତନୀ ଜୁଆଙ୍ଗ, ପଦ୍ମିନୀ ଜୁଆଙ୍ଗ, ଅଞ୍ଜଳି ଜୁଆଙ୍ଗ, ସରସ୍ୱତୀ ଜୁଆଙ୍ଗ, ଆରତି ଜୁଆଙ୍ଗ, ଗୁରୁବାରୀ ଜୁଆଙ୍ଗ, ବୁଧୁନୀ ଜୁଆଙ୍ଗ ଏବଂ ରିଙ୍କି ଜୁଆଙ୍ଗ ୮ ଜଣ ତାମିଲନାଡୁରେ ଚିକିତ୍ସିତ ହେଉଛନ୍ତି ।

ହରିଚନ୍ଦନପୁର ଥାନା ଅଞ୍ଚଳର ଜନୈକ ମହିଳା ଦଲାଲ ଏବଂ କାଳିଆହୋତା ଗ୍ରାମର ଶ୍ରୀକାନ୍ତ ଜୁଆଙ୍ଗଙ୍କ ଆର୍ଥିକ ପ୍ରଲୋଭନରେ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ କାର୍ଯ୍ୟ କରିବାକୁ ୪ ମାସ ତଳେ ସେମାନେ ଯାଇଥିଲେ ବୋଲି ଫେରି ଆସିଥିବା ଶ୍ରମିକମାନେ କହିଛନ୍ତି । କେନ୍ଦୁଝର ଜିଲ୍ଲାରୁ ପାଖାପାଖି ଶହେ ଶ୍ରମିକ କାମ କରିବାକୁ ବାଧ୍ୟ ହୋଇ ଯାଇଥିଲେ ବୋଲି ସେମାନେ କହିଛନ୍ତି । ଗାଁରେ କାମ କରିବାକୁ ସୁଯୋଗ ନାହିଁ, ପାଠ ପଢ଼ିବା ପାଇଁ ଭିତ୍ତିଭୂମି ନାହିଁ । ହାତୀଙ୍କ ବିତ୍ପାତ ଯୋଗୁ ଚାଷ କରିବା ସମ୍ଭବ ନାହିଁ । ତେଣୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟରେ କାମ କରି ରୋଜଗାର କରିବା ପାଇଁ ସେମାନେ ତାମିଲନାଡୁ ଯାଇଥିଲେ । ମାସକୁ ୧୫ ହଜାର ଟଙ୍କା ପାରିଶ୍ରମିକରେ ଯାଇଥିଲେ । ମାତ୍ର ଦଲାଲ ସେଥିରୁ ନିଜର ଅଂଶ ନେଇଯିବା ପରେ ମାସକୁ ୯ ହଜାର ଟଙ୍କା ମିଳୁଥିଲା ବୋଲି ତାମିଲନାଡୁରୁ ଫେରିଥିବା ଶ୍ରମିକମାନେ କହିଛନ୍ତି ।

କଅଁଳ ବୟସରେ କୋଡ଼ିପଶା ପଞ୍ଚାୟତର କୋଡ଼ିପଶା, କଅଁଶ ଗ୍ରାମରୁ ପ୍ରାୟ ୨୪ ଜଣ ଅଳ୍ପ ବୟସ୍କ ଶ୍ରମିକ କାମ କରିବାକୁ ଯାଇଥିଲେ । ବାଂଶପାଳ ବ୍ଲକ ମୁଖ୍ୟାଳୟ କୋଡ଼ିପଶା ଗାଁରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ ।

ଗାଁରେ ବର୍ଷରେ ମାତ୍ର ଗୋଟିଏ ୨ଟି ଉନ୍ନୟନ କାମ ହୋଇଥାଏ । ସେହିକାମ ଶ୍ରମିକ ବଦଳରେ ମେସିନ ଦ୍ୱାରା କରାଯାଇଥାଏ । ତେଣୁ ଶ୍ରମିକମାନଙ୍କୁ କାମ କରିବାକୁ ସୁଯୋଗ ନାହିଁ । ବଣ, ଜଙ୍ଗଲ ଘେରା କୋଡ଼ିପଶା ଗ୍ରାମରେ ସବୁଠାରୁ ବଡ଼ ସମସ୍ୟା ହାତୀ । ହାତୀ ଯୋଗୁ ଚାଷ ଉଜୁଡ଼ି ଯାଇଛି । ପାଠ ନାହିଁ, ଚାଷ ନାହିଁ, କାମ ନାହିଁ । ତେଣୁ ବାଧ୍ୟ ହୋଇ ଦଲାଲ ଦ୍ୱାରା ତାମିଲନାଡୁ କାମ କରିବାକୁ ପ୍ରାୟ ୪ବର୍ଷ ହେବ ଯାଉଥିବା ତାମିଲନାଡୁ ଫେରନ୍ତାଙ୍କ ଅଭିଭାବକ ଧନେଶ୍ୱର ଅଧିକାରୀ, ନରସିଂହ ଅଧିକାରୀ କହିଛନ୍ତି ।

କୋଡ଼ିପଶା ଗାଁଠାରୁ କିଛି ଦୂରରେ ଏକ ଆଶ୍ରମ ସ୍କୁଲ ରହିଛି । ସେଠାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲାଯାଇଛି । ଅଧିକ ପାଠପଢ଼ିବା ପାଇଁ ଭିତ୍ତିଭୂମି ନାହିଁ । ତେଣୁ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି । ୧୦ ଜଣ ଛାତ୍ରଛାତ୍ରୀ କଲେଜରେ ପଢ଼ିବାକୁ ନାମ ଲେଖାଇଥିଲେ । ଶୁଆକାଟି କଲେଜ, କେନ୍ଦୁଝର ପୁରୁଣା ବଜାର କଲେଜ ଓ ଝାଡ଼ବେଲଦା କଲେଜରେ କିଛି ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ଅଢ଼େଇ ବର୍ଷ ତଳେ ଗାଁକୁ ଲକ୍ଷ୍ମୀ ବସ୍ ଆସୁଥିଲା । କଲେଜରେ ନାମ ଲେଖାଇଥିବା ପିଲାମାନେ ଲକ୍ଷ୍ମୀ ବସ୍ରେ ଯାଉଥିଲେ କଲେଜକୁ ପଢ଼ିବାକୁ । କୋଡ଼ିପଶାକୁ ନିିକଟସ୍ଥ ତୁଳସୀଚୌରା ଓ ହରିଡାଗୋଠର ପିଲାମାନେ ଆସି ବସ୍ରେ ଚଢ଼ି ଯାଉଥିଲେ । ମାତ୍ର ବସ୍ ବନ୍ଦ ହେବା ପରେ ପିଲାମାନଙ୍କ ପାଠପଢ଼ାରେ ଡୋରି ବନ୍ଧା ଯାଇଥିବା ଯୁକ୍ତ ୨ ରେ ନାମ ଲେଖାଇ ପାଠପଢ଼ା ଛାଡିଥିବା ପ୍ରତିଭା ଜୁଆଙ୍ଗ କହିଛନ୍ତି ।