Tamilnadu Politics: ତାମିଲନାଡ଼ୁର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ରାଜ୍ୟ ରାଜନୀତିରେ ଆସିଛି ବଡ଼ ଟୁଇଷ୍ଟ। ଟିଭିକେ ମୁଖ୍ୟ ଥାଲାପତି ବିଜୟ ଶୁକ୍ରବାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ଵନାଥ ଆର୍ଲେକରଙ୍କୁ ଭେଟି ସରକାର ଗଢିବାକୁ ଦାବି ଉପସ୍ଥାପନ କରିଥିଲେ। ହେଲେ ଟିଭିକେ ଓ ଏହାର ସହଯୋଗୀଙ୍କୁ ମିଶାଇ ସଂଖ୍ୟା ୧୧୬ରେ ପହଞ୍ଚି ପାରିଛି। ସରକାର ଗଠନ ପାଇଁ ଆବଶ୍ୟକୀୟ ‘ମ୍ୟାଜିକ୍ ନମ୍ବର’ ପହଞ୍ଚିବାରେ ବିଫଳ ହୋଇଛି।ଏହି କାରଣରୁ ରାଜ୍ୟପାଳ ଏ ପର୍ଯ୍ୟନ୍ତ ବିଜୟଙ୍କୁ ସରକାର ଗଢିବାକୁ ମଞ୍ଜୁରୀ ଦେଇ ନାହାନ୍ତି। ଫଳରେ ଶନିବାର ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବ ଏବେ ଅଟକି ଯାଇଥିବା ସୂତ୍ରରୁ ସୂଚନା ମିଳିଛି। ଏହା ପୂର୍ବରୁ ସିପିଏମ ନେତା ଦାବି କରିଥିଲେ ଯେ, ରାଜ୍ୟପାଳ ସରକାର ଗଢିବାକୁ ଟିଭିକେକୁ ଆମନ୍ତ୍ରିତ କରିଥିଲେ।

Also Read: ତାମିଲନାଡୁ ରାଜନୀତିରେ ନୂଆ ଟୁଇଷ୍ଟ, ସରକାର ଗଢ଼ିବା ପାଇଁ DMK-AIADMK ହାତ ମିଳାଇଲେ ଇସ୍ତଫା ଦେବେ TVKର ୧୦୮ ବିଧାୟକ

ଅଟକିଛି ବହୁମତ, ଦୂରରେ ସରକାର

ଶୁକ୍ରବାର ସନ୍ଧ୍ୟାରେ ବିଜୟ ରାଜ୍ୟପାଳ ଆର.ଭି. ଅର୍ଲେକରଙ୍କୁ ଭେଟି ୧୧୬ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ। କିନ୍ତୁ ତାମିଲନାଡୁରେ ସରକାର ଗଠନ ପାଇଁ ୧୧୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜୟ ଏପର୍ଯ୍ୟନ୍ତ ବହୁମତ ପ୍ରମାଣ କରିପାରି ନାହାନ୍ତି। ସେଥିପାଇଁ ରାଜ୍ୟପାଳ ତାଙ୍କୁ ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ ଦେଇନାହାନ୍ତି।

କେଉଁଠି ରହିଲା ଅସୁବିଧା ?

ବିଜୟଙ୍କୁ କଂଗ୍ରେସ (୫ ବିଧାୟକ) ଏବଂ ବାମପନ୍ଥୀ ଦଳ (CPI ଓ CPM - ମୋଟ ୪ ବିଧାୟକ) ସମର୍ଥନ ଦେଇଥିଲେ ମଧ୍ୟ ସଂଖ୍ୟା ୧୧୬ରେ ଅଟକିଛି। ସରକାର ଗଠନ ପାଇଁ ଆଉ ୨ ଜଣ ବିଧାୟକଙ୍କ ସମର୍ଥନ ଜରୁରୀ। ବିଜୟଙ୍କ ଦ୍ୱାରା ଦିଆଯାଇଥିବା ସମର୍ଥନ ପତ୍ରରେ VCK ଏବଂ IUML ର ବିଧାୟକଙ୍କ ନାମ ନାହିଁ। ଏହି ଦୁଇ ଦଳ ପାଖରେ ୨-୨ ଜଣ ବିଧାୟକ ଅଛନ୍ତି। ଚର୍ଚ୍ଚା ହେଉଛି ଯେ, ମେଣ୍ଟର ଜଣେ ବିଧାୟକ ଶେଷ ମୁହୂର୍ତ୍ତରେ ବିଜୟଙ୍କୁ ସମର୍ଥନ ଦେବାକୁ ମନା କରିଦେଇଛନ୍ତି। ତାଙ୍କୁ ମନାଇବା ପାଇଁ ଏବେ ଘନ ଘନ ଆଲୋଚନା ଚାଲିଛି।

Also Read: ‘ଆବଶ୍ୟକ ୧୧୮ ଦସ୍ତକ୍ଷତ ନେଇ ଆସ’: ପୁଣି ବିଜୟଙ୍କୁ ବିଦା କରିଦେଲେ ରାଜ୍ୟପାଳ

କଂଗ୍ରେସ ଓ ବାମ ଦଳର ସମର୍ଥନ

କଂଗ୍ରେସ ପୂର୍ବରୁ ହିଁ ବିଜୟଙ୍କୁ ସମର୍ଥନ ଦେବାକୁ ଘୋଷଣା କରିସାରିଛି। ସେହିପରି ସିପିଆଇ ଏବଂ ସିପିଏମ୍ ମଧ୍ୟ ତାଙ୍କ ସହ ରହିଛନ୍ତି। କିନ୍ତୁ VCK, AMMK ଏବଂ IUML ସହ ମେଣ୍ଟ ଗଠନ କରିବା ପ୍ରକ୍ରିୟାରେ ବାଧା ଉପୁଜିଥିବାରୁ ଶନିବାର ହେବାକୁ ଥିବା ଭବ୍ୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ବାତିଲ ହେବା ଏକ ପ୍ରକାର ନିଶ୍ଚିତ।