ଚେନ୍ନାଇ: ତାମିଲନାଡୁ ରାଜନୀତିରେ ନୂଆ ଟୁଇଷ୍ଟ। ନୂଆ ସରକାର ଗଠନକୁ ନେଇ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଏବେ ଏକ ନୂଆ ମୋଡ଼ ନେଇଛି। ବିଜୟଙ୍କ ନେତୃତ୍ୱାଧୀନ ତାମିଲଗା ଭେଟ୍ରି କାଜଗମ (TVK) ଏବେ ଏକ ବଡ଼ ଧରଣର ଚେତାବନୀ ଦେଇଛି। ସୂତ୍ର ଅନୁଯାୟୀ, ଯଦି ପାରମ୍ପରିକ ପ୍ରତିଦଦ୍ଵନ୍ଦୀ DMK କିମ୍ବା AIADMK ସରକାର ଗଠନ ପାଇଁ କୌଣସି ପ୍ରୟାସ କରନ୍ତି, ତେବେ TVKର ସମସ୍ତ ୧୦୮ ଜଣ ବିଧାୟକ ସାମୂହିକ ଭାବେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି।

ପାର୍ଟି ତର୍କ ଦେଇଛି ଯେ, ସବୁଠୁ ବଡ଼ ପାର୍ଟି ହୋଇଥିବାରୁ ରାଜ୍ୟପାଳଙ୍କୁ ସରକାର ଗଠନ ପାଇଁ ତାଙ୍କ ନେତା ବିଜୟଙ୍କୁ ଆମନ୍ତ୍ରିତ କରିବା ଉଚିତ୍। ମାତ୍ର ଏ ପର୍ଯ୍ୟନ୍ତ ରାଜ୍ୟପାଳ ସେମିତି କରି ନାହାନ୍ତି। ଓଲଟା ଥାଲାପତି ବିଜୟ ଦୁଇ ଦୁଇ ଥର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରି ସାରିଛନ୍ତି। ଏହା ସତ୍ତ୍ଵେ ରାଜ୍ୟପାଳ ସରକାର ଗଢିବାକୁ ଆମନ୍ତ୍ରିତ ନ କରି ୧୧୮ ବିଧାୟକଙ୍କ ସମର୍ଥନ ପତ୍ର ମାଗିଛନ୍ତି।

Also Read: ମମତା ଇସ୍ତଫା ନ ଦେବାରୁ ରାଜ୍ୟପାଳଙ୍କ ଆକ୍ସନ, ଭଙ୍ଗ କଲେ ପଶ୍ଚିମବଙ୍ଗ ବିଧାନସଭା

DMK-AIADMK ମଧ୍ୟରେ ଗୁପ୍ତ ବୁଝାମଣା ସନ୍ଦେହ

ତାମିଲନାଡୁ ନିର୍ବାଚନ ଫଳାଫଳ ଅନୁଯାୟୀ TVKକୁ ୧୦୮ଟି ଆସନ ମିଳିଥିବା ବେଳେ ବହୁମତ ପାଇଁ ଆବଶ୍ୟକ ୧୧୮ ସଂଖ୍ୟାରୁ ସେ ମାତ୍ର ୧୦ଟି ଆସନ ପଛରେ ଅଛନ୍ତି। କଂଗ୍ରେସ (୫ ଆସନ) TVKକୁ ସମର୍ଥନ ଦେବାକୁ ଘୋଷଣା କରିଥିଲେ ସୁଦ୍ଧା ଅନ୍ୟ ଦଳଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିନାହିଁ। ଏହି ସମୟରେ TVKକୁ ସନ୍ଦେହ ହେଉଛି ଯେ, DMK (୫୯ ଆସନ) ଏବଂ AIADMK (୪୭ ଆସନ) ଏକାଠି ହୋଇ ସରକାର ଗଠନ କରିପାରନ୍ତି କିମ୍ବା TVKକୁ ସରକାର ଗଢ଼ିବାକୁ ନଦେବା ପାଇଁ ହାତ ମିଳାଇ ପାରନ୍ତି। ଏହା ହେଲେ ରାଜ୍ୟ ରାଜନୀତିରେ ଏହା ଏକ ବିରଳ ଘଟଣା ହେବ, କାରଣ ଏହି ଦୁଇ ଦଳ ଦଶନ୍ଧି ଦଶନ୍ଧି ଧରି ପରସ୍ପରର ଘୋର ଶତ୍ରୁ ଭାବେ ଜଣାଶୁଣା।

ବିଧାୟକଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ସମ୍ଭାବ୍ୟ 'ଅପରେସନ ଲୋଟସ' କିମ୍ବା ବିଧାୟକ କିଣାବିକାକୁ ରୋକିବା ପାଇଁ ସମସ୍ତ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। DMK ନିଜ ବିଧାୟକମାନଙ୍କୁ ଚେନ୍ନାଇ ବାହାରକୁ ନଯିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ AIADMK ନିଜ ବିଧାୟକଙ୍କୁ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ କହିଛି। TVKର ଏହି ସାମୂହିକ ଇସ୍ତଫା ନିଷ୍ପତ୍ତି ରାଜ୍ୟରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିପାରେ, ଯାହାଦ୍ୱାରା ରାଜ୍ୟରେ ପୁଣି ଥରେ ନିର୍ବାଚନ ହେବା ପରି ପରିସ୍ଥିତି ଉପୁଜିପାରେ।

Also Read: କରୁଣାନିଧିଙ୍କ ପଛରେ ଛିଡ଼ା ହୋଇଥିଲେ, ଏବେ ଡିଏମକେକୁ ଶାସନରୁ ବିଦା କଲେ​​​​​​​

ସଂଖ୍ୟା ଗଣିତ (ମୋଟ୍ ସିଟ୍ ୨୩୪)

TVK: ୧୦୮

DMK: ୫୯

AIADMK: ୪୭

Congress: ୦୫

PMK: ୦୪

Others (CPI, CPM, VCK, etc.): ୨୦