Tamil Nadu Paternity Leave: ଜୋସେଫ ବିଜୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ପରେ ଗୋଟିଏ ପରେ ଗୋଟିଏ ମିତି ନିଷ୍ପତ୍ତି ନେଉଛନ୍ତି, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହୁଛି। ଗୁରୁବାର ବିଜୟ ସରକାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥର କେବଳ ମହିଳାଙ୍କୁ ନୁହେଁ ପରୁଷଙ୍କୁ ବି ମିଳିବ ପିତୃତ୍ୱ ଛୁଟି। ତାମିଲନାଡୁର ପୁରୁଷ ସରକାରୀ କର୍ମଚାରୀମାନଙ୍କ ପାଇଁ ୧୫ ଦିନର ପିତୃତ୍ୱ ଛୁଟି (paternity leave) ଘୋଷଣା କରାଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ନୂଆ ଆଇନ ଅନୁସାରେ ବିବାହିତ ପୁରୁଷ ସରକାରୀ କର୍ମଚାରୀ ପିଲା ଜନ୍ମ ହେବାର ସାମ୍ବାବ୍ୟ ତାରିଖର ୧୫ ଦିନ ପୂର୍ବରୁ କିମ୍ବା ପିଲା ଜନ୍ମ ହେବାର ୬ ମାସ ମଧ୍ୟରେ ୧୫ ଦିନ ଛୁଟି ନେଇପାରିବେ। ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କରାଯାଇଥିବା ଘୋଷଣାରେ କୁହାଯାଇଛି “ପ୍ରଥମ ଥର ପାଇଁ ତାମିଲନାଡୁରେ 'ପିତୃତ୍ୱ ଛୁଟି' ଦିଆଯିବ! ବିବାହିତ ପୁରୁଷ ସରକାରୀ କର୍ମଚାରୀମାନଙ୍କୁ ୧୫ ଦିନର ପିତୃତ୍ୱ ଛୁଟି ମିଳିବ। ଏହି ଛୁଟି ଶିଶୁ ଜନ୍ମ ହେବାର ୧୫ ଦିନ ପୂର୍ବରୁ କିମ୍ବା ଶିଶୁ ଜନ୍ମ ହେବାର ୬ ମାସ ମଧ୍ୟରେ ନିଆଯାଇପାରିବ।”

ରାଜ୍ୟ ସରକାର କହିଛନ୍ତି ଯେ ଶିଶୁ ଜନ୍ମ ସମୟ ଉଭୟ ମାଆ ଓ ନବଜାତ ଶିଶୁ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ମାଆଙ୍କୁ ଶାରୀରିକ ଓ ସ୍ନେହଁପୂର୍ଣ୍ଣ ସମର୍ଥନ ଦେବା ଓ ଶିଶୁର ଯତ୍ନ ନେବାରେ ସାହାଯ୍ୟ କରିବା ପାଇଁ ବାପାଙ୍କ ଉପସ୍ଥିତି ଆବଶ୍ୟକ। ତେଣୁ ୧୫ ଦିନର ପିତୃତ୍ୱ ଛୁଟି ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମହିଳାଙ୍କ ପାଇଁ ବର୍ଷେ ଛୁଟି

ତାମିଲନାଡୁରେ ମହିଳାଙ୍କ ପାଇଁ ମାତୃତ୍ୱ ଛୁଟି ପୂରା ବର୍ଷେ ରହିଛି। ୩୬୫ ଦିନ ପାଇଁ ମହିଳା ମାତୃତ୍ୱ ଛୁଟି ନେଇପାରୁଛନ୍ତି। ତେଣୁ ପୁରୁଷ ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ଏଭଳି ସୁବିଧା ଦିଆଯାଉ ବୋଲି ରାଜ୍ୟର କର୍ମଚାରୀମାନେ ସରକାରଙ୍କ ପାଖରେ ଦାବି କରିଥିଲେ। ଏହି ଅନୁରୋଧ କରୁ ବିଚାର କରି ବିଜୟ ସରକାର ୧୫ ଦିନର ଛୁଟି ଦେବାକୁ ଘୋଷଣା କରିଛନ୍ତି। ଆଜିର ନିଷ୍ପତ୍ତିର ଦୁଇ ମାସ ପୂର୍ବରୁ ରାଜ୍ୟରେ ମାତୃତ୍ୱ ଛୁଟିକୁ ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ବିଜୟ ସରକାର। ତୃତୀୟ ସନ୍ତାନ ପାଇଁ ମହିଳାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବିଜୟ ସରକାର ଏହି ଛୁଟି ଅବଧି ବୃଦ୍ଧି କରିଥିଲେ।

Also Read- ହସ୍ପିଟାଲରେ ସମସ୍ତଙ୍କୁ ମାରୁଥିଲେ ଆତଙ୍କବାଦୀ, କିନ୍ତୁ ୨୦ ଜଣ ଗର୍ଭବତୀଙ୍କୁ ବଞ୍ଚାଇଦେଲେ ନର୍ସ ! ମୁମ୍ବାଇ ଆକ୍ରମଣର ଛାତିଥରା କାହାଣୀ

ଭାରତର ଏହିସବୁ ରାଜ୍ୟରେ ବି ଅଛି ପିତୃତ୍ୱ ଛୁଟି ?

ପିତୃତ୍ୱ ଛୁଟି କେବଳ ତାମିଲନାଡୁରେ ନୁହେଁ, ବିଭିନ୍ନ ରାଜ୍ୟରେ ରହିଛି। ସିକ୍କିମ, ରାଜସ୍ଥାନ, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ମଧ୍ୟପ୍ରଦେଶ ଓ ତାମିଲନାଡୁ ରାଜ୍ୟରେ ସରକାରୀ ପୁରୁଷ କର୍ମଚାରୀମାନଙ୍କୁ ପିତୃତ୍ୱ ଛୁଟି ଦିଆଯାଉଛି। ଏସବୁ ରାଜ୍ୟଗୁଡ଼ିକରେ ୧୫ ଦିନ ପାଇଁ ପିତୃତ୍ୱ ଛୁଟି ଦିଆଯାଉଥିବା ବେଳେ ସିକ୍କିମରେ ୩୦ ଦିନ ଓ କେରଳରେ ୧୦ ଦିନ ଛୁଟି ମିଳୁଛି। ଓଡ଼ିଶାରେ ସରକାରୀ କର୍ମଚାରୀଙ୍କ ପାଇଁ ୧୫ ଦିନର ପିତୃତ୍ୱ ଛୁଟି ବ୍ୟବସ୍ଥା ରହିଛି।