ଆଗ୍ରା/ଇମ୍ଫାଲ: ତାମିଲନାଡୁ ଏକ୍ସପ୍ରେସ ଟ୍ରେନର ଏକ ସୁଟକେସରୁ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ନୃଶଂସ ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀଙ୍କୁ ମଣିପୁରରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଆସାମର କାଛାର ଜିଲ୍ଲାର ୨୨ ବର୍ଷୀୟ ମାଣିକ ଉଦ୍ଦିନ ଲସ୍କର ଏବଂ ତାଙ୍କ ପତ୍ନୀ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ୨୧ ବର୍ଷୀୟା ଭଗବତୀ ମାଝୀ।

ଏହି ଦମ୍ପତି ଦୀର୍ଘ ୨୪ ଦିନ ଧରି ଫରାର ଥିଲେ। ଏମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ରାଜ୍ୟରେ ଚଢ଼ାଉ ଜାରି ରଖିଥିଲା। ଶେଷରେ ମଣିପୁରରେ ଲୁଚି ରହିଥିବା ଜଣାପଡିବା ପରେ ଶନିବାର ତାମିଲନାଡୁ ପୁଲିସ ଓ ମଣିପୁର ପୁଲିସ ମିଳିତ ଚଢ଼ାଉ କରି ଜିରିବାମ ଜିଲ୍ଲାର କାଶୀପୁରରୁ ଏମାନଙ୍କୁ ଗିରଫ କରିଛି। ଗିରଫ ପରେ ଏମାନଙ୍କୁ ଚେନ୍ନାଇର ଗୁଡୁଭାଞ୍ଚେରୀ ପୋଲିସ ଷ୍ଟେସନର ଏସଏଚଓଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ସୂଚନା ଦେଇଛି।

ଏକ୍ସପ୍ରେସରେ ଥିବା ସୁଟକେଶରୁ ଆସିଲା ପଚା ଗନ୍ଧ

ଗତ ଅଗଷ୍ଟ ୫ ତାରିଖରେ ତାମିଲନାଡୁ ଏକ୍ସପ୍ରେସ ଟ୍ରେନଟି ଆଗ୍ରା କ୍ୟାଣ୍ଟ ଷ୍ଟେସନରେ ପହଞ୍ଚିବା ପରେ ଏକ ଅଣସଂରକ୍ଷିତ ବଗିରେ ଥିବା ଏକ ନାଲି ରଙ୍ଗର ସୁଟକେସରୁ ପ୍ରବଳ ଦୁର୍ଗନ୍ଧ ବାହାରିଥିଲା। ଶୁଟକେଶଟିକୁ କେହି ଜଣେ ଛାଡ଼ି ପଳାଇଥିଲେ। ଯାତ୍ରୀମାନେ ଏନେଇ ଅଭିଯୋଗ କରିବା ପରେ ରେଳବାଇ ପୋଲିସ ସୁଟକେସଟିକୁ ଯାଞ୍ଚ କରିଥିଲା। ସେଥିରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଥିଲା। ମୃତଦେହର ଫୋରେନସିକ ଯାଞ୍ଚ କରିବା ପରେ ମହିଳା ଜଣକ ଓଡ଼ିଶାର ହୟାଥୁନ ନିଶା (୩୮) ବୋଲି ଜଣାପଡ଼ିଥିଲା। ତାଙ୍କ ଘର ଜଗତସିଂହପୁରରେ। ସେ ଚେନ୍ନାଇ ନିକଟସ୍ଥ ଗୁଡୁଭାଞ୍ଚେରୀରେ ରହି ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ।

ଘରୁ ମିଳିଲା ଶରୀରର ଅନ୍ୟ ଅଂଶ

ତଦନ୍ତ ସମୟରେ ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନର ସିସିଟିଭି ଫୁଟେଜରୁ ପୋଲିସକୁ ପ୍ରମାଣ ମିଳିଥିଲା। ଭିଡିଓରେ ଅଭିଯୁକ୍ତ ମାଣିକ ଲସ୍କର ସେହି ଭାରୀ ନାଲି ସୁଟକେସଟିକୁ ବୋହି ନେଉଥିବା ବେଳେ ତାଙ୍କ ସହ ପତ୍ନୀ ଭଗବତୀ ମଧ୍ୟ ଥିବା ଦେଖାଯାଇଥିଲା। ଏହାକୁ ଆଧାର କରି ପୋଲିସ ଚେନ୍ନାଇର ଗୁଡୁଭାଞ୍ଚେରୀରେ ଥିବା ସେମାନଙ୍କ ଭଡ଼ା ଘର ଠାବ କରିଥିଲା। ସେହି ଘରେ ଚଢ଼ାଉ ବେଳେ ଏକ ବଡ଼ ରନ୍ଧା ପାତ୍ର (ଡେକଚି) ଭିତରେ ମୃତ ମହିଳାଙ୍କ ଶରୀରର ଅନ୍ୟ କିଛି କଟା ଅଂଶ ସଂରକ୍ଷିତ କରି ରଖାଯାଇଥିବା ଦେଖିବାକୁ ମିଳିଥିଲା।

ପୂର୍ବରୁ ଗୁଡୁଭାଞ୍ଚେରୀ ଥାନାରେ ମହିଳା ଜଣକ ନିଖୋଜ ଥିବା ନେଇ ଏକ ମାମଲା ରୁଜୁ ହୋଇଥିଲା, କିନ୍ତୁ ଶରୀରର ଅଂଶ ମିଳିବା ପରେ ପୋଲିସ ଏହାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରିଥିଲା। ମୃତଦେହ ଟ୍ରେନରେ ଛାଡ଼ି ଦେବା ପରେ ଏହି ଦମ୍ପତି ଫରାର ହୋଇଯାଇଥିଲେ। ପୋଲିସ ସେମାନଙ୍କୁ ଟ୍ରାକ କରି ମଣିପୁରରୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟଙ୍କୁ ମଣିପୁରର ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବା ପରେ ଟ୍ରାଞ୍ଜିଟ ୱାରେଣ୍ଟରେ ତାମିଲନାଡୁ ଅଣାଯିବ। ସେମାନଙ୍କୁ ପଚରାଉଚରା କରିବା ପରେ ହିଁ ଏହି ନୃଶଂସ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।