ନୂଆଦିଲ୍ଲୀ: ଟିଭିକେ ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଗୁରୁବାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ୨୩ ବିଧାୟକଙ୍କୁ ସାମିଲ କରାଯାଇଥିବା ବେଳେ, ଏଥିରେ ଦୁଇ କଂଗ୍ରେସ ବିଧାୟକ ସ୍ଥାନ ପାଇଛନ୍ତି। ଆଉ ଏହା ସହ ତାମିଲନାଡୁ​‌ରେ ପ୍ରାୟ ୬୦ ବର୍ଷ ପରେ କଂଗ୍ରେସ ସରକାରରେ ସାମିଲ ହୋଇଛି। ତେବେ ଏସବୁ ଭିତରେ ଗୁରୁବାର ଶପଥ ଗ୍ରହଣ ସମାରୋହ ସମୟରେ ଏକ ନାଟକୀୟ ଘଟଣା ଘଟିଥିଲା। କଂଗ୍ରେସ ବିଧାୟକ ରାଜେଶ କୁମାର ଶପଥ ଗ୍ରହଣ ସମୟରେ ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନାଁରେ ନାରା ଲଗାଇଥିଲେ। ଯାହାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ ରାଜ୍ୟପାଳ।

ସୂଚନାଯୋଗ୍ୟ, ଶପଥ ଗ୍ରହଣ ସମାରୋହ ଲୋକ ଭବନରେ ଆୟୋଜିତ ହୋଇଥିଲା। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଇ ଆର୍ଲେକର ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଟିଭିକେ ବିଧାୟକ ଶ୍ରୀନାଥ, ଏସ. କମାଲୀ, ସି. ବିଜୟଲକ୍ଷ୍ମୀ ଏବଂ ଆର. ଭି. ରଞ୍ଜିତକୁମାର ପ୍ରଥମେ ମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ। ତାଙ୍କ ପରେ କଲ୍ଲିପୁରରୁ କଂଗ୍ରେସର ଦୁଇ ବିଧାୟକ ଏସ. ରାଜେଶ କୁମାର ଏବଂ ମୈଲରୁ ନିର୍ବାଚିତ ପି. ବିଶ୍ବନାଥନ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ।

Also Read: ବିଜୟ ସରକାରର ପ୍ରଥମ କ୍ୟାବିନେଟ ସଂପ୍ରସାରଣ, ହେଲେ ଚର୍ଚ୍ଚା​ରେ କଂଗ୍ରେସ

ତାଗିଦ କଲେ ରାଜ୍ୟପାଳ

ତେବେ ଏସ ରାଜେଶ କୁମାର ଶପଥ ପତ୍ର ପଢ଼ିବା ସାରିବା ପରେ ହଠାତ୍ କଂଗ୍ରେସ ନେତା କାମରାଜ, ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରଶଂସାରେ ନାରା ଲଗାଇଥିଲେ। ସେ କହିଥିଲେ, ‘କାମରାଜ ଅମର ରହେ, ଭାରତ ରତ୍ନ ରାଜୀବ ଗାନ୍ଧୀ ଅମର ରହେ ଏବଂ ଜନନେତା ରାହୁଲ ଗାନ୍ଧୀ ଜିନ୍ଦାବାଦ।’’ ହେଲେ ଏହା ଶୁଣିବା ମାତ୍ରେ ମଞ୍ଚ ଉପରେ ତାଙ୍କ ପାଖରେ ଛିଡ଼ା ହୋଇଥିବା ତାମିଲନାଡୁ ରାଜ୍ୟପାଳ ବିଶ୍ବନାଥ ଆର୍ଲେକର ତାଙ୍କୁ ଅଟକାଇ ତାଗିଦ କରିଥିଲେ ଏବଂ କହିଥିଲେ, ଏହା ଆପଣଙ୍କ ଶପଥର ଅଂଶ ନୁହେଁ। ରାଜ୍ୟପାଳ ସ୍ମିତ ହସ ସହ ତାଙ୍କୁ କହିଥିଲେ ଯେ, ଆପଣଙ୍କୁ ଯେଉଁ ଲିଖିତ ଶପଥ ପତ୍ର ଦିଆଯାଇଛି, ତାହାକୁ ପଢ଼ନ୍ତୁ। ଏହା ପରେ ଏସ. ରାଜେଶ କୁମାର ମଧ୍ୟ ସେଠାରେ ଅଟକିଯାଇଥିଲେ ଏବଂ ଦସ୍ତକ୍ଷତ କରିବାକୁ ଚାଲିଯାଇଥିଲେ।

୬ ଦଶନ୍ଧି ପରେ ଫେରିଲା କଂଗ୍ରେସ

ଉଲ୍ଲେଖଯୋଗ୍ୟ, ଏହି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ତାମିଲନାଡୁରେ ପ୍ରାୟ ୬ ଦଶନ୍ଧି ପରେ ସରକାରରେ ସ୍ଥାନ ପାଇଛି କଂଗ୍ରେସ। କାରଣ ଡିଏମକେ ଏବଂ ଏଆଇଏଡିଏମକେ କେବେବି ନିଜ ସହଯୋଗୀ ଦଳଙ୍କୁ ଶାସନରେ ସାମିଲ କରିନାହାନ୍ତି। ଏଥିରେ କଂଗ୍ରେସ ମଧ୍ୟ ରହିଛି। କଂଗ୍ରେସ ଭିନ୍ନ ଭିନ୍ନ ସମୟରେ ଦୁଇ ଦଳ ସହ ମେଣ୍ଟ କରିଥିଲା।

Also Read: ମଦ ଦୋକାନ ବନ୍ଦ ନିଷ୍ପତ୍ତିରେ କମଲ ହାସନ ଖୁସି, ବିଜୟଙ୍କୁ ପ୍ରଶଂସା କରି କହିଲେ-'ଭାଇ ତାଙ୍କ ପ୍ରତିଶ୍ରୁତି ରଖିଲେ'

ତାମିଲନାଡୁରେ କଂଗ୍ରେସ ଶେଷ ମୁଖ୍ୟମନ୍ତ୍ରୀ ଏମ. ଭକ୍ତବତ୍ସଲମ ଥିଲେ। ସେ ୧୯୬୩ରୁ ୧୯୬୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ସ୍ବାଧୀନ ଭାରତର ପ୍ରଥମ ଅଣ କଂଗ୍ରେସ ସରକାର ୧୯୬୭ରେ ଦ୍ରାବିଡ଼ ନେତା ଏବଂ ଡିଏମକେ ସଂସ୍ଥାପକ ସି. ଏନ. ଅନ୍ନାଦୁରାଇ ଗଢ଼ିଥିଲେ। ସେ ତତ୍କାଳୀନ କଂଗ୍ରେସ ସରକାର ବିରୋଧରେ ବିପୁଳ ସମର୍ଥନ ହାସିଲ କରିଥିଲେ।

ତାମିଲନାଡୁରେ କଂଗ୍ରେସର ପାଞ୍ଚ ବିଧାୟକ

ତାମିଲନାଡୁ ବିଧାନସଭାରେ କଂଗ୍ରେସରୁ ପାଞ୍ଚ ବିଧାୟକ ଟିଭିକେ ସରକାର ଏକ ଗୁରୁତ୍ବପୂର୍ଣ୍ଣ ଯୋଗାଦାନ ରହିଛି। କାରଣ ବିଜୟଙ୍କ ଟିଭିକେ ନିର୍ବାଚନ ଫଳାଫଳରେ ବହୁମତ ଠାରୁ କିଛି ଆସନ ଦୂରରେ ରହିଥିଲା। ଫଳରେ ତାଙ୍କୁ କଂଗ୍ରେସର ସମର୍ଥନ ଜରୁରୀ ଥିଲ। କଂଗ୍ରେସ ପ୍ରଥମେ ଟିଭିକେକୁ ସମର୍ଥନ ଦେବା ନେଇ ଘୋଷଣା କରିଥିଲା। ଆଉ ନିଜର ପୁରୁଣା ସହଯୋଗୀ ଡିଏମକେ ସହ ସଂପର୍କ ଛିନ୍ନ କରିଥିଲା। ଅବଶ୍ୟ କଂଗ୍ରେସ ୨୦ ବର୍ଷ ପର୍ଯ୍ୟନ୍ତ ଡିଏମକେର ସହଯୋଗୀ ରହିଥିଲା। କିନ୍‌ତୁ ରାଜ୍ୟରେ ଡିଏମକେର ମନ୍ତ୍ରାଳୟର କେବେବି ସାମିଲ ହୋଇପାରିନଥିଲା।