ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ଗୁରୁବାର ଚଳଚିତ୍ର ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କ ପକ୍ଷରୁ ରୁଜୁ ଏକ ମାମଲାକୁ ଖାରଜ କରି ଦେଇଛନ୍ତି।ଏହି ମୋକଦ୍ଦମାରେ ତମନ୍ନା ପୁଡୁଚେରୀସ୍ଥିତ କମ୍ପାନୀ ‘ପାୱାର ସୋପସ୍ ଲିମିଟେଡ’ଙ୍କଠାରୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ସେ ଅଭିଯୋଗ କରିଥିଲେ ଯେ କମ୍ପାନୀ ତାଙ୍କୁ ନିଜ ବ୍ରାଣ୍ଡ ଆମ୍ବାସେଡର କରିବା ଲାଗି ହୋଇଥିବା ବୁଝାମଣା ଅବଧି ପରେ ମଧ୍ୟ ସାବୁନ ରାପର ଓ ପ୍ରମୋସନାଲ ମେଟେରିୟାଲରେ ତାଙ୍କ ଛବି ଉପଯୋଗ ଜାରି ରଖିଛି।

ତେବେ ଉଚ୍ଚନ୍ୟାୟାଳୟଙ୍କ ବିଚାରପତି ଜଷ୍ଟିସ୍ ପି.ଭେଲମୁରୁଗନ ଓ ଜଷ୍ଟିସ୍ କେ.ଗୋବିନ୍ଦରାଜନ ତିଲକୱଡିଙ୍କ ଖଣ୍ଡପୀଠ ତମନ୍ନାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ତମନ୍ନା ହାଇକୋର୍ଟଙ୍କ ସିଙ୍ଗଲ ଜଜଙ୍କ ଦ୍ୱାରା ୧୭ ଏପ୍ରିଲ ୨୦୧୭ରେ ତାଙ୍କ ୨୦୧୧ ମସିହାର ସିଭିଲ କେସ୍ କୁ ଖାରଜ କରିବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ସିଙ୍ଗଲ ଜଜ ବେଞ୍ଚଙ୍କ ଜଷ୍ଟିସ୍ ଟି.ରବିନ୍ଦ୍ରନଙ୍କ ଦ୍ୱାରା ସିଭିଲ ମାମଲାକୁ କ୍ଷତିପୂରଣ ସହ ଖାରଜ କରିବା ନିଷ୍ପତ୍ତିରେ ଦଖଲ ଦେବା ପାଇଁ କୌଣସି କାରଣ ମିଳି ନାହିଁ।

ତମନ୍ନାଙ୍କ ଅଭିଯୋଗ କ’ଣ?
୨୦୧୧ ମସିହା ଅଭିଯୋଗରେ ତମନ୍ନା କହିଥିଲେ ଯେ ଫିଲ୍ମ ଓ ବିଜ୍ଞାପନ ଉଭୟ ଉଦ୍ୟୋଗରେ ତାଙ୍କ ପ୍ରୋଫାଇଲ ବେଶ୍ ଗୁରୁତ୍ୱ ରଖେ। ୨୦୦୮ ମସିହାରେ ପାୱାର ସୋପସ୍ ତାଙ୍କ ସହ ସମ୍ପର୍କ କରିଥିଲା ଓ ତାଙ୍କୁ ନିଜର ପ୍ରଡକ୍ଟ ପାଇଁ ବ୍ରାଣ୍ଡ ଆମ୍ବାସେଡର କରିବାକୁ ପ୍ରସ୍ତାବ ଦେଇଥିଲା। କମ୍ପାନୀ ନିଜ ପ୍ରଡକ୍ଟର ପ୍ରଚାର ନିମନ୍ତେ ତାଙ୍କୁ ବେତନ ଦେବାକୁ ମଧ୍ୟ କହିଥିଲା। ଏଥି ପାଇଁ ୭ ଅକ୍ଟୋବର ୨୦୦୮ ମସିହାରେ ଉଭୟପକ୍ଷ ମଧ୍ୟରେ ଏକ ବୁଝାମଣା ହୋଇଥିଲା। ଏହା ପରେ ତମନ୍ନା ଏକ ଫଟୋ ସୁଟ୍ ରେ ଅଂଶ ଗ୍ରହଣ କରିଥିଲେ ଏହା ପରେ କମ୍ପାନୀର କାରବାରରେ ଅନେକଗୁଣା ବୃଦ୍ଧି ହୋଇଥିଲା। ଅଭିନେତ୍ରୀ କହିଛନ୍ତି ଯେ ପାୱାର ସୋପସ୍ ୬ ଅକ୍ଟୋବର ୨୦୦୯ ପରେ ମଧ୍ୟ ଏହି ବୁଝାମଣାକୁ ଜାରି ରଖିବାକୁ ଇଛୁକ ଥିଲା। ହେଲେ ଏଥିରେ ତମନ୍ନା ରାଜି ହୋଇ ନଥିଲେ।

୨୦୧୦ ମସିହାରେ ତମନ୍ନା ଯେତେବେଳେ ‘ୱିପ୍ରୋ’ ସହିତ ତାର ସାବୁନର ପ୍ରଚାର ପାଇଁ କଥାବାର୍ତ୍ତା କରୁଥିଲେ ସେତେବେଳେ ଜାଣିବାକୁ ପାଇଥିଲେ ଯେ ପାୱାର ସୋପସ୍ ବୁଝାମଣା ଅବଧି ସମାପ୍ତ ହେବା ପରେ ମଧ୍ୟ ତାଙ୍କ ଭିଡିଓ ଏବଂ ଫଟୋ ଉପଯୋଗ ଜାରି ରହିଛି। ଏଣୁ ୨୦୧୧ ମସିହାରେ ସେ ପାୱାର ସୋପସ୍ ବିରୋଧରେ ମୋକଦ୍ଦମା କରିବାକୁ ନିଷ୍ପତ୍ତି ନେଇଥିଲେ।

ପାୱାର ସୋପସର ତର୍କ
ତେବେ ଅଭିନେତ୍ରୀଙ୍କ ସମସ୍ତ ଅଭିଯୋଗକୁ ପାୱାର ସୋପସ୍ ଅସ୍ୱୀକାର କରିଛି। କହିଛି ଯେ ୨୦୦୮ ମସିହାରେ ଯେତେବେଳେ ବୁଝାମଣା ହୋଇଥିଲା ସେତେବେ ତମନ୍ନା ଏତେ ପ୍ରସିଦ୍ଧ ନଥିଲେ। କମ୍ପାନୀ କହିଛି ଯେ ତାଙ୍କୁ ୧ ବର୍ଷ କଣ୍ଟ୍ରାକ୍ଟ ଲାଗି ୧ ଲକ୍ଷ ଟଙ୍କା ଦିଆଯାଇଥିଲା। ତେବେ ତାଙ୍କ କାରଣରୁ କମ୍ପାନୀର କାରବାର ବଢିଯାଇଥିଲା ବୋଲି ତମନ୍ନା ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। କମ୍ପାନୀ ଏହା ବି ଜୋର ଦେଇ କହିଛି ଯେ ତାଙ୍କ ସହ କଣ୍ଟ୍ରାକ୍ଟ ସମାପ୍ତ ହେବା ପରେ କମ୍ପାନୀ ତାଙ୍କ ଛବି ବ୍ୟବହାର କରିବା ବନ୍ଦ କରିଦେଇଥିଲା।

କ'ଣ କହିଲେ କୋର୍ଟ ?
ଉଭୟ ପକ୍ଷଙ୍କ ତର୍କ ଶୁଣିବା ପରେ ଜଜ୍ ତାଙ୍କ ରାୟରେ କହିଛନ୍ତି ଯେ ଅଭିନେତ୍ରୀ ତାଙ୍କ ମାମଲା ସମର୍ଥନରେ କୌଣସି ଏପରି ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି ଯାହାକୁ ଅସ୍ୱୀକାର କରି ହେବନି। ବିଚାରପତି ଜଷ୍ଟିସ୍ ରବିନ୍ଦ୍ରନ କହିଛନ୍ତି ଯେ ବାଦୀ ଏହି ମୋକଦ୍ଦମା ଏପରି ପ୍ରମାଣ ଆଧାରରେ ରୁଜୁ କରିଛନ୍ତି ଯାହା ଅବିଶ୍ୱସନୀୟ ଓ ଅସ୍ୱୀକାର୍ଯ୍ୟ। ଏଣୁ ସେ ତାଙ୍କ ଦାବି ପୁରଣ କରିବା ପାଇଁ ନିଜ ମାମଲା ପ୍ରମାଣିତ କରିବାକୁ ଅକ୍ଷମ ହୋଇଛନ୍ତି।