ମୁମ୍ବାଇ: ଟି-୨୦ ବିଶ୍ଵକପ୍ ୨୦୨୬ ବଡ଼ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଶେଷ ପର୍ଯ୍ୟନ୍ତ ଲଢି ହାରିଲା ନେପାଳ। କିନ୍ତୁ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତି ନେଇଛି ଏହି ଅନଭିଜ୍ଞ ଦଳ। ଆଉ ମ୍ୟାଚକୁ ବହୁ କଷ୍ଟରେ ୪ ରନରେ ଜିତିବାରେ ସଫଳ ହୋଇଛି ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୮୪ ରନ କରିଥିଲା। ଜବାବରେ ନେପାଳ କଡ଼ା ଟକ୍କର ଦେଇ ମ୍ୟାଚକୁ ଶେଷ ବଲ୍ ପର୍ଯ୍ୟନ୍ତ ନେଇ ୬ ଓ୍ଵିକେଟ୍ ରାଇ ୧୮୦ ରନ କରି ପାରିଛି। ଦୀପେନ୍ଦ୍ର ସିଂ ଏରି ୪୪ ରନ କରିଥିବା ବେଳେ ଲୋକେଶ ବନା ୩୯ ରନର ଦ୍ରୁତ ଇନିଂସ ଖେଳିଥିଲେ ମଧ୍ୟ ଦଳ ବିଜୟଠୁ ୪ ରନ ଦୂରରେ ରହି ଯାଇଥିଲା। ଅଧିନାୟକ ରୋହିତ ପୌଡେଲ ୩୯ ରନ କରିଥିଲେ। ଶେଷ ଓଭରରେ ନେପାଳକୁ ଜିତିବା ପାଇଁ ଦରକାର ଥିଲା ୧୦ ରନ। କିନ୍ତୁ ସାମ କରନ ୨୦ ତମ ଓଭର ବୋଲିଂ କରି ଇଂଲଣ୍ଡକୁ ଲଜ୍ଜାଜନକ ପରାଜୟରୁ ବଞ୍ଚାଇଛନ୍ତି। ଆଉ ଚଳିତ ଟି-୨୦ ବିଶ୍ଵକପରେ ବଡ଼ ବିପର୍ଯ୍ୟୟରୁ ବଞ୍ଚି ଯାଇଛି ଇଂଲଣ୍ଡ। ବ୍ୟାଟିଂରେ ଇଂଲଣ୍ଡ ପକ୍ଷରୁ ହ୍ୟାରି ବ୍ରୁକ ଓ ଜ୍ୟାବକ ବେଥେଲ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

୧୮୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ନେପାଳର ଦୁଇ ଓପନର କୁଶଲ ଭୁରତେଲ ଓ ଆସିଫ ଶେଖ ୩୭ ରନ ଯୋଡ଼ିଥିଲେ। ଆସିଫ ୭ ରନ କରି ଆଉଟ୍ ହୋଇଥିଲେ। କୁଶଲ ଉପଯୋଗୀ ୨୯ ରନ କରିଥିଲେ। ଏହା ପରେ ଅଧିନାୟକ ରୋହିତ ପୌଡେଲ ଓ ଦୀପେନ୍ଦ୍ର ସିଂ ଏରି ଇନିଂସ ସମ୍ଭାଳିଥିଲେ। ଦୁହେଁ ଇଂଲଣ୍ଡ ବୋଲରଙ୍କ ଉଚିତ୍ ମୁକାବିଲା କରି ତୃତୀୟ ଓ୍ଵିକେଟ୍ ପାଇଁ ୮୨ ରନ ଯୋଡ଼ିଥିଲେ। ତେବେ ଏହି ଦୁଇ ସେଟ୍ ବ୍ୟାଟର ଆଉଟ୍ ହେବା ନେପାଳକୁ ବଡ଼ ଝଟକା ଦେଇଥିଲା। ପୌଡେଲ ୩୯ ରନ ଓ ଦୀପେନ୍ଦ୍ର ୪୪ ରନ କରି ପାଭିଲିୟନ ଫେରିଥିଲେ।

ତଥାପି ହାର ମାନି ନ ଥିଲା ନେପାଳ। ପ୍ରତିଟି ରନ ପାଇଁ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। କିନ୍ତୁ ଶେଷ ପର୍ଯ୍ୟନ୍ତ ଲୋକେଶ ବାମ୍ କ୍ରିଜରେ ରହି ନେପାଳ ବିଜୟକୁ ଉଜ୍ଜିବୀତ ରଖିଥିଲେ।ହେଲେ ଇଂଲଣ୍ଡ ନିଜ ଅଭିଜ୍ଞତାର ଫାଇଦା ଉଠାଇ ମ୍ୟାଚକୁ ବହୁ କଷ୍ଟରେ ଜିତିବାରେ ସଫଳ ହୋଇଛି। ଶେଷ ଓଭରରେ ୧୦ ଦରକାର ଥିଲେ ହେଁ ନେପାଳ ୫ ରନ କରି ପାରିଥିଲା। ଶେଷ ପର୍ଯ୍ୟନ୍ତ ଲଢି ୪ ରନରେ ହାରିଛି ନେପାଳ।