ନୂଆଦିଲ୍ଲୀ: ପପ୍‌-ଷ୍ଟାର୍ ତଥା ଗ୍ରାମୀ ଆୱାର୍ଡ ବିଜୟିନୀ ଗାୟିକା ଟେଲର୍ ସ୍ୱିଫ୍ଟଙ୍କ  ନାମରେ ଏକ ନୂଆ ପ୍ରଜାତିର ପୋକ/କୀଟର ନାମକରଣ କରାଯାଇଛି। ବିଶ୍ୱବିଦ୍ୟାଳୟ ୟୁସି ରିଭରସାଇଡର ଗବେଷକମାନେ ଅଷ୍ଟ୍ରେଲିଆରେ ଆବିଷ୍କୃତ ଉଦ୍ଭିଦ-ଖାଉଥିବା କୀଟର ଏକ ନୂଆ ପ୍ରଜାତିର ନାମ ‘ସ୍ୱିଫ୍ଟିଫାଇଲସ୍’ (Swiftiephylus) ରଖିଛନ୍ତି।

ଟେଲର ସ୍ୱିଫ୍ଟଙ୍କ ପ୍ରଶଂସକମାନଙ୍କୁ ‘ସ୍ୱିଫ୍ଟି’ କୁହାଯାଏ। ଏହି  ଶବ୍ଦ ସହିତ କୀଟର ମୂଳ ନାମକୁ ସଂଯୋଗ କରାଯାଇ  ‘Swiftiephylus’ ରଖାଯାଇଛି। ଏହି ଜେନସ୍ ମଧ୍ୟରେ ୪ଟି ପ୍ରଜାତି ଅଛନ୍ତି, ଯାହାର ନାମ ଟେଲର ସ୍ୱିଫ୍ଟ ଏବଂ ତାଙ୍କର ପ୍ରସିଦ୍ଧ ଆଲବମ୍‌ ଗୁଡ଼ିକରୁ ଶବ୍ଦ ସଂଗ୍ରହ କରି ରଖାଯାଇଛି ।

​​​​​​​

୧. Swiftiephylus taylorae 
୨. Swiftiephylus amator (ତାଙ୍କ 'Lover' ଆଲବମ୍‌ରୁ)

୩. Swiftiephylus intrepidus (ତାଙ୍କ 'Fearless' ଆଲବମ୍‌ରୁ ନିଆଯାଇଛି )

୪. Swiftiephylus poetorum 

ଏହି ପୋକଗୁଡ଼ିକ ହାଲୁକା ହଳଦିଆ ଏବଂ ଲାଲ୍ ରଙ୍ଗର। ଗବେଷକ ସାରା ଶ୍ରୋଡର୍‌ଙ୍କ କହିବାନୁସାରେ, ଟେଲର୍ ସ୍ୱିଫ୍ଟଙ୍କ ସୁନେଲୀ ରଙ୍ଗର କେଶ  ଓ ଲାଲ୍ ଓଠ ଭଳି ଏହି ପୋକଗୁଡ଼ିକ ଦିଶନ୍ତି। ଏହି ପୋକଗୁଡ଼ିକ ଅଷ୍ଟ୍ରେଲିଆର 'ସି-ଓକ୍' ଗଛରେ ରୁହନ୍ତି। ସେଗୁଡ଼ିକ ମଣିଷ, ପଶୁ କିମ୍ବା ଉଦ୍ଭିଦ ପାଇଁ କ୍ଷତିକାରକ ନୁହଁନ୍ତି।

 ୧୯୯୫ ରୁ ୨୦୦୪ ମଧ୍ୟରେ ସଂଗୃହୀତ ନମୂନାଗୁଡ଼ିକୁ ଅନୁଧ୍ୟାନ କରି 'Insect Systematics and Evolution' ଜର୍ଣ୍ଣାଲରେ ଏହା ପ୍ରକାଶ କରାଯାଇଛି। ଜୈବବିବିଧତା ଓ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତି ଜନସାଧାରଣଙ୍କ ସଚେତନତା ବୃଦ୍ଧି ପାଇଁ ଟେଲର ସ୍ୱିଫ୍ଟଙ୍କ ନାମ ବ୍ୟବହାର କରାଯାଇଛି।