News7 Logo

ଇଏ ସେହି ସିଜେଆଇ ସୁଶୀଳା କାର୍କି, ମହାଭିଯୋଗ ପରେ ବି ବିଚାରପତିଙ୍କୁ ଏପରି ବଞ୍ଚାଇଥିଲେ ସୁପ୍ରିମକୋର୍ଟ

NEWS7
sushila

ନୂଆଦିଲ୍ଲୀ ୧୧/୦୯: ବଡ଼ ରାଜନୈତିକ ସଙ୍କଟ ଦେଇ ଗତି କରୁଛି ନେପାଳ । ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା, ସଂସଦରେ ବିବାଦ ଓ ସେନା ଦଖଲ ପରେ କାଠମାଣ୍ଡୁରୁ ସାରା ଦେଶ ପର୍ଯ୍ୟନ୍ତ ଯୁବପିଢ଼ି ରାସ୍ତା ଉପରେ ନିରନ୍ତର ପ୍ରତିବାଦ କରୁଛନ୍ତି । ବିଶେଷକରି ନୂତନପିଢ଼ି ପୁରୁଣା ନେତାମାନଙ୍କ ଉପରୁ ବିଶ୍ୱାସ ହରାଇ ବସିଛନ୍ତି । ଏବେ ସେମାନେ ଏପରି ଚେହେରା ଖୋଜୁଛନ୍ତି ଯେଉଁମାନେ ନିରପେକ୍ଷ ଓ ସଚ୍ଚୋଟ ବୋଲି ବିବେଚିତ ହୁଅନ୍ତି । ଏହାରି ଭିତରେ ସବୁଠାରୁ ଅଧିକ ଆଲୋଚନା ଗୋଟିଏ ନାମ, ଯିଏ ହେଉଛନ୍ତି ସୁଶୀଳା କାର୍କି । ଯିଏ ନେପାଳର ପ୍ରଥମ ମହିଳା ମୁଖ୍ୟ ବିଚାରପତି ରହିସାରିଛନ୍ତି । ଦାବି କରାଯାଉଛି ଯେ ଯୁବନେତାମାନେ ତାଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବରେ ବାଛିଛନ୍ତି । ଖୁବ୍ ଶୀଘ୍ର ଏହାର ଆନୁଷ୍ଠାନିକ ଘୋଷଣା କରାଯିବ।
ସୁଶୀଳାଙ୍କ ବିରୋଧରେ ଆସିଥିଲା ମହାଭିଯୋଗ: 
ନେପାଳର ପ୍ରଥମ ମହିଳା ମୁଖ୍ୟ ବିଚାରପତି ସୁଶୀଳା କାର୍କି । ଯାହାଙ୍କ ବିରୋଧରେ ୨୦୧୭ରେ ସଂସଦରେ ଆସିଥିଲା ମହାଭିଯୋଗ ପ୍ରସ୍ତାବ । ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ଓ ପୋଲିସ ମୁଖ୍ୟଙ୍କ ନିଯୁକ୍ତିକୁ ବାତିଲ କରିବାର ଅଭିଯୋଗ ଆସିଥିଲା । ପ୍ରସ୍ତାବ ଆସିବା ମାତ୍ରେ, ସମ୍ବିଧାନ ଅନୁଯାୟୀ ତାଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଥିଲା । କିନ୍ତୁ ପରେ ବଦଳିଗଲା ସବୁ କାହାଣୀ । ସୁଶୀଳା କାର୍କି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ତାଙ୍କ ସପକ୍ଷରେ ଏକ ଐତିହାସିକ ରାୟ ଦେଇଥିଲେ । କୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ଯେ ବ୍ୟକ୍ତିଗତ ପ୍ରତିଶୋଧ କିମ୍ବା ରାଜନୈତିକ ଚାପ ପାଇଁ ମହାଭିଯୋଗ ବ୍ୟବହାର କରାଯିବା ଉଚିତ୍ ନୁହେଁ। ଏହି ନିର୍ଦ୍ଦେଶ ପରେ, ସୁଶୀଳା କାର୍କି ପୁଣି ଥରେ ଅଧିକାର ଫେରିପାଇଥିଲେ।
ଅବସରର ଦିନକ ପୂର୍ବରୁ ମହାଭିଯୋଗ ପ୍ରତ୍ୟାହାର: 
ଦେଶ ଓ ବିଦେଶରୁ ଶୁଭିଥିଲା ବିରୋଧର ସ୍ୱର । ଏହି ମହାଭିଯୋଗ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଆକ୍ରମଣ । ବର୍ଦ୍ଧିତ ଚାପ ଓ କୋର୍ଟର ମନୋଭାବ ଦେଖି, ସଂସଦ ଶେଷରେ ୬ ଜୁନ୍ ୨୦୧୭ରେ ମହାଭିଯୋଗ ପ୍ରସ୍ତାବକୁ ପ୍ରତ୍ୟାହାର କରିନେଇଥିଲା । ଏହାର ପରଦିନ, ଅର୍ଥାତ୍ ୭ ଜୁନ୍ ରେ, ସୁଶୀଳା କାର୍କି ସମ୍ମାନର ସହିତ ତାଙ୍କ ଚାକିରିରୁ ଅବସର ନେଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା କେବଳ ତାଙ୍କର କଠୋର ଭାବମୂର୍ତ୍ତିକୁ ମଜବୁତ କରେ ନାହିଁ । ବରଂ ଏହା ମଧ୍ୟ ଦର୍ଶାଏ ଯେ ଯଦି ନ୍ୟାୟପାଳିକା ଦୃଢ଼ ରହିଥାଏ । ତେବେ ରାଜନୈତିକ ଚାପ ସତ୍ତ୍ୱେ ନ୍ୟାୟର ପଥକୁ ଅଟକାଯାଇପାରିବ ନାହିଁ ।