ଢାକା, ୧୭|୧୧: ଶେଖ ହସିନା ଦୋଷୀ । ତାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ଇଣ୍ଡରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ୍ । ମାନବିକତା ବିରୋଧରେ ଦାଖଲ ହୋଇଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ ଗୁଲାମ ମୁର୍ତାଜାଙ୍କ ଖଣ୍ଡପୀଠ ଶେଷରେ ହସିନାଙ୍କ ବିରୋଧରେ ରାୟ ଦେଇଛନ୍ତି ।

ବାଂଲାଦେଶୀ ଗଣମାଧ୍ୟମ ଅନୁଯାୟୀ, ରାୟ ପ୍ରଦାନ କରିବା ସମୟରେ, କୋର୍ଟ ହସିନାଙ୍କ ଅଡିଓ ମଧ୍ୟ ଜାରି କରିଥିଲେ । ଯାହା ବାଂଲାଦେଶରେ ଭାଇରାଲ ହୋଇଥିଲା। ଏହି ଅଡିଓରେ, ହସିନା ପୋଲିସ ମୁଖ୍ୟଙ୍କୁ ଲୋକଙ୍କ ଉପରେ ଗୁଳି ଚଳାଇବାକୁ କହୁଥିବା ଶୁଣିବାକୁ ମିଳିଥିଲା ।କୋର୍ଟ ରାୟ ପ୍ରଦାନ କରିବା ସମୟରେ ମାନବାଧିକାର କମିଶନର ରିପୋର୍ଟକୁ ମଧ୍ୟ ଉଲ୍ଲେଖ କରିଛନ୍ତି ।

​​​​​​​ପ୍ରାୟ ୪୦୦ ପୃଷ୍ଠାର ଦସ୍ତାବିଜ ପଢିବା ପରେ କୋର୍ଟ ରାୟ ଦେଇଥିଲେ । ୬ଟି ପର୍ଯ୍ୟାୟରେ ରାୟ ପ୍ରକାଶ ପାଇଥିଲା । ଯାହା ହସିନାଙ୍କ ବିରୋଧରେ ଯାଇଛି । ବିକ୍ଷୋଭ ବେଳେ ସେ ପୋଲିସକୁ ନିରସ୍ତ୍ର ଜନତାଙ୍କ ଉପରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲିକପ୍ଟରରେ ଧାରଣା ଦେଉଥିବା ଛାତ୍ରଙ୍କ ଉପରେ ହେଲିକପ୍ଟରରୁ ବୋମା ପକାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଯାହା ମାନବିକତାକୁ ଉଲ୍ଲଙ୍ଘନ କରୁଥିବା କୋର୍ଟ ଦର୍ଶାଇଥିଲେ । ଶେଷରେ କୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ଆହୁରି ମଧ୍ୟ ମୃତ୍ୟୁ ହେଲା ଯାଏଁ ତାଙ୍କୁ ଜେଲରେ ରଖିବାକୁ କୋର୍ଟ ଆଦେଶ ଦେଇଛନ୍ତି  

ରାୟର ଗୋଟିଏ ଦିନ ପୂର୍ବରୁ ହସିନାଙ୍କ ଦଳ ଆୱାମୀ ଲିଗକୁ ଦେଶବ୍ୟାପୀ "ସମ୍ପୂର୍ଣ୍ଣ ବନ୍ଦ" ଘୋଷଣା କରାଯାଇଥିଲା । ତେବେ ବାଂଲାଦେଶରେ ବନ୍ଦ ଡାକରା ଏପରି ସମୟରେ ଦିଆଯାଇଛି, ଯେତେବେଳେ ୟୁନୁସ୍ ସରକାର ପୂର୍ବରୁ ଆୱାମୀ ଲିଗର ସମସ୍ତ କାର୍ଯ୍ୟକଳାପକୁ ନିଷିଦ୍ଧ କରିସାରିଛି । ଦୁଇ ନେତାଙ୍କ ସମର୍ଥକ ମୁହାଁମୁହିଁ ହେବାର ସମ୍ଭାବନା ଥିବାରୁ ଏବେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ​​​​​​​ଉତ୍ତେଜନା ରୋକିବା ପାଇଁ ଢାକା ପୋଲିସ କମିସନର ଶେଖ ମହମ୍ମଦ ସଜ୍ଜାଦ ଅଲ୍ଲୀ ପୋଲିସ୍ ଅଧିକାରୀମାନଙ୍କୁ ପୋଲିସ ଉପରେ ଆକ୍ରମଣ କରୁଥିବା କିମ୍ବା ହିଂସାକୁ ଉସୁକାଉଥିବା ଯେକୌଣସି ବ୍ୟକ୍ତିଙ୍କ ଉପରେ ଗୁଳି ଚାଳନା କରାଯିବା ନେଇ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।