ପଡାଙ୍ଗ ୨୮।୧୧: ସାମୁଦ୍ରିକ ବାତ୍ୟା ‘ସେନୟାର’ ମାଲେସିୟାର କୁଆଲାଲମ୍ପୁର ନିକଟସ୍ଥ କ୍ୟାରିଆଇଲ୍ୟାଣ୍ଡରେ ଦ୍ୱିତୀୟବାର ଲ୍ୟାଣ୍ଡଫଲ କରିଛି। ନିକଟସ୍ଥ ଟେଲୋକ କେମାଙ୍ଗ ପାଣିପାଗ କେନ୍ଦ୍ର ରିପୋର୍ଟ ଅନୁସାରେ ବାତ୍ୟା ଭୂ-ଭାଗକୁ ପ୍ରବେଶ କାଳରେ ଘଣ୍ଟାପ୍ରତି ୭୫ କି.ମି ବେଗରେ ପବନ ସହ ପ୍ରବଳ ବର୍ଷିଛି। ବାତ୍ୟାର ପ୍ରଥମ ଓ ଦ୍ୱିତୀୟ ଲ୍ୟାଣ୍ଡଫଲ ଏ ପର୍ଯ୍ୟନ୍ତ ୨୫୮ ଜଣ ଲୋକଙ୍କ ମୃତ୍ୟୁର କାରଣ ହେଲାଣି। ସାମୁଦ୍ରିକ ବାତ୍ୟା ଯୋଗୁ ସୁମାତ୍ରା ପଡାଙ୍ଗର ଲୁବୁକ ମିନଟୁରନ ବ୍ୟାପକ ପ୍ରଭାବିତ ହୋଇଛି।

ବାତ୍ୟା ଯୋଗୁ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଇଣ୍ଡୋନେସିଆ ଆଚେ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ବିରୁଏନ ରିଜେନ୍ସୀରେ ଥିବା ନଜମୁଲ ହିଦାୟତ ଅଲ ଅଜିଜିୟା ଇସ୍ଲାମିକ୍ ବୋର୍ଡିଂ ସ୍କୁଲର ଏକ ଛାତ୍ରାବାସ ଭୂ-ସ୍ଖଳନ ଯୋଗୁ ନଦୀକୁ ଭୂଶୁ଼ଡି ପଡିଛି। ତେବେ ପୂର୍ବରୁ ଛାତ୍ରାବାସକୁ ଖାଲି କରି ଦିଆଯାଇଥିବାରୁ ଅଳ୍ପକେ ଶହଶହ ଛାତ୍ରଙ୍କ ଜୀବନ ବଞ୍ଚି ଯାଇଛି। ସେହିପରି ଇଣ୍ଡୋନେସିୟା ପଶ୍ଚିମ ସୁମାତ୍ରାର କାବୁପାଟେନ ଅଗମରେ ନାଗରୀ ମିନନଜୌର କେକାମାତନ ତଞ୍ଜୁଙ୍ଗ ରାୟାରେ ବିନାଶକାରୀ ବନ୍ୟାର ପ୍ରଳୟଙ୍କରୀ ଦୃଶ୍ୟ ଏବେ ସାମ୍ନାକୁ ଆସିଛି।

ବଙ୍ଗୋପସାଗରରେ ଏକକାଳୀନ ୨ଟି ଘୂର୍ଣ୍ଣିବାତ୍ୟା ସୃଷ୍ଟି ହେବା ଓ ଉଭୟ ବାତ୍ୟାର ନାମକରଣ ହେବା ପ୍ରଥମ ଘଟଣା। ଏଥିରୁ ସେନୟାର ମାଲେସିୟା କୁଆଲାଲମ୍ପୁରରେ ଭୂ-ଭାଗକୁ ପ୍ରବେଶ କରିସାରିଥିବା ବେଳେ ଶ୍ରୀଲଙ୍ଗାରେ ‘ଡିଟୱାହ’ ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଇଛି। ଏହି ଦୁଇଟିଜାକ ସାମୁଦ୍ରିକ ବିତ୍ପାତ ପ୍ରବଳ ବନ୍ୟାର କାରଣ ପାଲଟିଥିବା ବେଳେ ସାଇକ୍ଲୋନ ‘ମୋଚା’ ପରେ ସିନୟାର ଦ୍ୱିତୀୟ ଭୟଙ୍କର ପ୍ରାକୃତିକ ବିତ୍ପାତ ସାବ୍ୟସ୍ତ ହୋଇଛି।

ଇଣ୍ଡୋନେସିଆରେ ଅଚାନକ ଆସିଥିବା ବନ୍ୟାରେ ପଡାଙ୍ଗ ସହରରେ ଗୁନୁଆଙ୍ଗ ନାଗୋ ପ୍ରୋଜେକ୍ଟ ବ୍ରିଜ୍ କୁ ଭସାଇ ନେଇଛି। ଫଳରେ ପୌହ ଓ କୁରୁଞ୍ଜି ଜିଲ୍ଲା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ଏଥିରେ ସେମିୟୁଲେଇ ଇଣ୍ଡୋନେସିଆରେ ୨୭ ନଭେମ୍ବର ବୁଧବାର ୬.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ପରିସ୍ଥିତିକୁ ଅଧିକ ଜଟିଳ କରିଛି। ଏକ୍ସ କାଟୋ ସିଙ୍ଗକାରକ ଜିଲ୍ଲା ସାନିୟାଙ୍ଗବାକାରୁ ଭୟାନକ ବିନାଶର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।