କଟକ ୨୭/୧୧: ପୋଲିସ ଏସ୍ଆଇ ପରୀକ୍ଷାରେ ବଡ ଜାଲିଆତିର ତନାଘନା ପାଇଁ ଝାରପଡା ଜେଲ୍‌ରେ ପହଞ୍ଚିଲା ସିବିଆଇ ଟିମ୍ । ୪ ଅଭିଯୁକ୍ତ ଲୋକନାଥ ସାହୁ, ତାରିଫ ଅହମ୍ମଦ ଖାନ,ବିଶ୍ବରଞ୍ଜନ ବେହେରା ଓ ବିଶ୍ବରଞ୍ଜନ ହରିଚନ୍ଦନଙ୍କୁ ୩ଦିନିଆ ରିମାଣ୍ଡରେ ନେବାକୁ ଝାରପଡା ଜେଲ୍‌ରେ ଡେରା ପକାଇଛନ୍ତି ସିବିଆଇର ଟିମ୍ । ୪ ଅଭିଯୁକ୍ତଙ୍କୁ ୩ଦିନିଆ ରିମାଣ୍ଡରେ ନେବାକୁ ଗତକାଲି ଅନୁମତି ଦେଇଥିଲେ ସ୍ବତନ୍ତ୍ର CJM ସିବିଆଇ କୋର୍ଟ ।

​​​​​​​

ଏସ୍ଆଇ ପରୀକ୍ଷା ଜାଲିଆତିକୁ ନିକଟ ଅତୀତରେ ନିଯୁକ୍ତିର ସବୁଠାରୁ ବଡ ଘୋଟାଲା ବୋଲି କୁହାଯାଉଛି । ଓଡ଼ିଶା ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ହୋଇଥିଲା । ପ୍ରଥମେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ସିଆଇଡିକୁ ଦିଆଯାଇଥିଲା । ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି  ସନ୍ଦେହରେ ଏହି ନିଷ୍ପତ୍ତି ହୋଇଥିଲା । ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ  ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ଏପରି ବଡ ନିଷ୍ପତ୍ତି ନେଇଥିଲେ । ଅନୁସନ୍ଧାନରୁ ଜଣାପଡିଥିଲା ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇପାରେ । ଏହା ସହିତ ଦୁର୍ନୀତିରେ ଆନ୍ତଃରାଜ୍ୟ  ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ସନ୍ଦେହ ହୋଇଥିଲା  ।  ସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାଶ କରିବାକୁ ମୁଖ୍ୟମନ୍ତ୍ରୀ ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କରିଥିଲେ  । ଏବେ ସୁଦ୍ଧା ଜାଲିଆତି ମାମଲାରେ ୧୨୦ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରୁ ୧୧୪ ଜଣଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି ।