ଭୁବନେଶ୍ୱର ୨୮/୧୧ :ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଛି ଗଭୀର ଅବପାତ । ଏହା ବାତ୍ୟାରେ ପରିଣତ ହେବ । ଯାହାର ନାଁ ରହିଛି ‘ଡିଟୱା’ । ତେବେ ଏହାର ପ୍ରଭାବରେ ତାମିଲନାଡୁର ଅଧିକାଂଶ ସ୍ଥାନରେ ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତାମିଲନାଡୁର ରାୟଲସୀମାରେ ଅତି ପ୍ରବଳ ବର୍ଷା ନେଇ ଆଇଏମ୍ଡି ପୂର୍ବାନୁମାନ କରିଛି ।

ଆନ୍ଧ୍ରପ୍ରଦେଶ ଓ କେରଳରେ ମଧ୍ୟ ଏହି ବାତ୍ୟାର ପ୍ରଭାବ ରହିବ ।କେବଳ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅନ୍ୟ ଏକ ବାତ୍ୟା ‘ସେନୟାର’ ପ୍ରଭାବ ତାମିଲନାଡୁ ଉପରେ ପଡିବ । ସେନୟାର ପ୍ରଭାବରେ ମଧ୍ୟ ତାମିଲନାଡୁରେ ପ୍ରବଳ ବର୍ଷା ଓ ପବନ ବହିବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି ।

ସେପଟେ ବଙ୍ଗୋପ ସାଗରରେ ଏବେ ଯୋଡ଼ା ବାତ୍ୟା ସିଷ୍ଟମ ସକ୍ରିୟ ରହିଛି । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାତ୍ୟା ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଏହା ବାତ୍ୟା ‘ସେନ୍ୟାର’ରେ ପରିଣତ ହୋଇ ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବ ବୋଲି ଚିତ୍ର ସ୍ପଷ୍ଟ ହୋଇଛି ।

ତେବେ ଏହି ସିଷ୍ଟମର ପ୍ରଭାବ ଓଡ଼ିଶାରେ ପଡୁ ନଥିବା ବେଳେ, ଶ୍ରୀଲଙ୍କା ଉପକୂଳ ସମୁଦ୍ରରେ ସୃଷ୍ଟି ଲଘୁଚାପ ୨୮ କିମ୍ବା ୨୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ତାମିଲନାଡୁ ଓ ଆନ୍ଧ୍ରରେ ରହିବ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି। ତେବେ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ଯ ବାତ୍ୟାର ପ୍ରଭାବରେ ୩୦ ରୁ ଡିସେମ୍ବାର ୨ ତାରିଖ ଭିତରେ ରାଜ୍ୟର ଦକ୍ଷିଣ ଓଡିଶାର କିଛି କିଛି ଜିଲ୍ଲା ମାନଙ୍କରେ ସାମନ୍ୟ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।