ନୂଆଦିଲ୍ଲୀ ୦୩/୧୦:ଦିନେ ଛତିଶଗଡ଼ର ବସ୍ତର ଜଙ୍ଗଲରେ ଏମାନେ ରାଜ୍ କରୁଥିଲେ । ହାତରେ ଥିଲା ବନ୍ଧୁକ । ଏବେ ବଲିଉଡ୍ ଅଫର୍ । ଖୁବ୍ଶୀଘ୍ର ବଡ଼ ପରଦାକୁ ଆସିବେ ୯ ମହିଳା ନକ୍ସଲ । ଏଣିକି ଜଙ୍ଗଲରେ ନୁହେଁ, ରିଲ୍ ଲାଇଫ୍ରେ ଦେଖାଇବେ ପରାକାଷ୍ଠା । ରାଜ୍ୟରେ ଆତ୍ମସମର୍ପଣ କରି ମୁଖ୍ୟଧାରାରେ ସାମିଲ ହୋଇଥିବା ୯ ଜଣ ପୂର୍ବତନ ମହିଳା ନକ୍ସଲଙ୍କୁ ଛତିଶଗଡ଼ର ନକ୍ସଲ ହିଂସା ଉପରେ ପର୍ଯ୍ୟବସିତ ଏକ ହିନ୍ଦୀ ଫିଲ୍ମରେ ଅଭିନୟର ସୁଯୋଗ ମିଳିଛି ।

ନିକଟରେ ଏମାନେ ରାୟପୁରର ଏକ ସରକାରୀ କାର୍ଯ୍ୟକ୍ରମରେ ରାମ୍ପ ୱାକ୍ କରି ଦେଶରେ ଖବରର ଶିରୋନାମା ହୋଇଥିଲେ । ଫିଲ୍ମରେ ଅଭିନୟ ପୂର୍ବରୁ ଏମାନଙ୍କୁ ବିଧିବଦ୍ଧ ତାଲିମ ଦିଆଯିବ । ରିପୋର୍ଟ ଅନୁସାରେ, ଏହି ଫିଲ୍ମ ୧୯୯୪ରେ ଅବିଭକ୍ତ ମଧ୍ୟପ୍ରଦେଶର ବସ୍ତରରେ ଘଟିଥିବା ଏକ ବାସ୍ତବ ଓ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାକୁ ପରଦାକୁ ଆଣିବ । ନିର୍ମାତା କାହାଣୀକୁ ସମ୍ପୂର୍ଣ୍ଣ ବାସ୍ତବ ଓ ଜୀବନ୍ତ କରି ପରଦାକୁ ଆଣିବାକୁ ଚାହାନ୍ତି । ସେଥିପାଇଁ ଫିଲ୍ମରେ ବାସ୍ତବ ଜୀବନରେ ନକ୍ସଲବାଦର ଶିକାର ହୋଇଥିବା ଏବଂ ଏବେ ମୁଖ୍ୟଧାରାକୁ ଫେରିଥିବା ୯ ମହିଳାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ନଭେମ୍ବର-ଡିସେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ ।

ବସ୍ତରର ଘନ ଜଙ୍ଗଲ ଓ ଦକ୍ଷିଣ ବସ୍ତର ଅଞ୍ଚଳରେ ଅଧିକାଂଶ ସୁଟିଂ ହେବ । ସୁକମା ଜିଲ୍ଲାର ପୁନର୍ବାସ କେନ୍ଦ୍ରରେ ନୂଆ ଜୀବନର ଆରମ୍ଭ କରିଥିବା ସୁଶୀଲା, ଆନ୍ଦେ ଭୀମେ, କୁଂଜାମ ହିଡମେ, ମାଇକମ ମହିମା, ନନ୍ଦିନୀ, ଡୋଡି ରାମେ, ଜୋଗୀ ଭେଟ୍ଟୀ ଓ ପୋଡିୟମ୍ ରାଜେ ଯେତେବେଳେ ରାୟପୁରର ଏକ ମଞ୍ଚରେ ଆତ୍ମବିଶ୍ୱାସର ସହ ରାମ୍ପ ୱାକ୍ କଲେ, ସେମାନଙ୍କ ଭିଡିଓ ସୋସିଆଲ ମିଡିଆରେ ଚହଳ ପକାଇଲା । ସେମାନଙ୍କ ଆତ୍ମବିଶ୍ୱାସ ଫିଲ୍ମ ନିର୍ମାତା ଆକାଶ ଆଦିତ୍ୟ ଲାମାଙ୍କ ଧ୍ୟାନ ଆକର୍ଷଣ କଲା । ‘ବେଙ୍ଗଲ ୧୯୪୭’ର ନିର୍ଦ୍ଦେଶକ ଆକାଶ ନିଜେ ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳରେ କାମ କରିଛନ୍ତି। ମୁଖ୍ୟସ୍ରୋତଙ୍କୁ ଆସିଥିବା ଏହି ମହିଳାଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ସେ ମନ ବଳାଇଲେ ।

ଏବେ ଫିଲ୍ମରେ କାମ ଦେବା ପୂର୍ବରୁ ଏମାନଙ୍କର ଔପଚାରିକ ଅଡିସନ୍ ହେବ । ମନୋନୀତ ମହିଳାଙ୍କ ପାଇଁ ମୁମ୍ବାଇ ଧାରାରେ ଅତିକମ୍ରେ ୧୫ ଦିନର ଏକ ସ୍ୱତନ୍ତ୍ର ଅଭିନୟ କର୍ମଶାଳା ଆୟୋଜିତ ହେବ । ଏଥିରେ ସେମାନଙ୍କୁ କ୍ୟାମେରା ସମ୍ନାରେ ଅଭିନୟ କରିବାର କଳା ଶିଖାଯିବ । ଏହି ବଡ଼ ପରିବର୍ତ୍ତନକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟ ଖୁସି ବ୍ୟକ୍ତ କରିଛନ୍ତି । ବସ୍ତର କ୍ଷେତ୍ରରେ ଲୋକଙ୍କ ପ୍ରତିଭାର ଅଭାବ ନାହିଁ । କେବଳ ମଞ୍ଚ ଓ ଉଚିତ୍ ସୁଯୋଗର ଆବଶ୍ୟକ ଥିଲା ବୋଲି କହିଛନ୍ତି ।