ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ବିଶେଷ କରି ତଳିଆ ଅଞ୍ଚଳ ମାନଙ୍କରେ ପାଣି ଜମିରହିବା ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଏମିତିକି ଅନେକ ସ୍ଥାନରେ ନଦୀ ଜଳ ପୋଲ ଉପରେ ପ୍ରବାହିତ ହେଉଥିବା ଖବର ମଧ୍ୟ ଆସୁଛି। ସେପଟେ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଯୋଗୁ ଆଗକୁ ଆହୁରି ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି। ଏସବୁ ଭିତରେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ବୈଠକ ପରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ। କେବଳ ବୈତରଣୀରେ କିଛି ସ୍ଥାନରେ ବନ୍ୟା ସ୍ଥିତି ଅଛି। ବୈତରଣୀର ଆଖୁଆପଦା, ଆନନ୍ଦପୁରରେ ଜଳସ୍ତର ବିପଦ ସଙ୍କେତ ପାଖାପାଖି ରହିଛି। ଯାଜପୁର ଏବଂ ଭଦ୍ରକରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରାଯାଇଛି।’’

Also Read: ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ, ତଳିଆ ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ

ସେ ଆହୁରି କହିଛନ୍ତି, ଜଣେ ବି କେହି ଯେପରି ବନ୍ୟାରେ କ୍ଷତିଗ୍ରସ୍ତ ନହେବେ ସେନେଇ ସରକାର ସଜାଗ ଅଛନ୍ତି। ପାଣି ଛାଡ଼ିଲେ ପଶୁ ଖାଦ୍ୟ ସହ ସାପ କାମୁଡ଼ା ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଓ ଯାଜପୁରରେ କିଛି ସ୍ଥାନରେ କିଛି ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ନେଇ ରିପୋର୍ଟ ଆସିଛି। ୨୪ ଘଣ୍ଟା ମଧ୍ୟରେ ଅର୍ଥ ଯୋଗାଇ ଦିଆଯିବ। ସମ୍ଭାବ୍ୟ ବନ୍ୟା ନେଇ ରାଜସ୍ବ ବିଭାଗ ସଜାଗ ଅଛି। ODRAF ଟିମ୍ ମଧ୍ୟ ଆଲର୍ଟରେ ରଖାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।

ଏଥିସହିତ ରଥଯାତ୍ରା ପରେ ତିରିଶଟି ଜିଲ୍ଲା ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼ାକି ଆଗାମୀ ଦିନରେ ଲଗାଣ ବର୍ଷାଜନିତ ସମ୍ଭାବ୍ୟ ସମସ୍ତ ପ୍ରକାର ବିପଦର ପରିଚାଳନା ନିମନ୍ତେ ବିସ୍ତ୍ରୁତ ଆଲୋଚନା କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି l

ସେହିପରି ସ୍ଵତନ୍ତ୍ର ସହାୟତା ଆୟୁକ୍ତ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ କହିଛନ୍ତି ଯେ, ପଲିଥିନ ଏବଂ ଅନ୍ୟାନ୍ୟ ସମସ୍ତ ରିଲିଫ୍ ସମାଗ୍ରୀ ମହଜୁଦ ଥିବା ସହିତ ଓଡ୍ରାଫ୍ ଟିମ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି l ସେହିପରି ଜନସାଧାରଣଙ୍କୁ ପ୍ରଭାବିତ ଅଞ୍ଚଳରେ ନିୟମିତ ପୂର୍ବ ସତର୍କ ସୂଚନା ପ୍ରଦାନ କରାଯାଉଛି l