ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ଅଭିନେତା ଶାହିଦ କପୁରଙ୍କ ଡ୍ରାଇଭର ଭାବେ ପରିଚିତ ସୂରଜ ଲାମାଙ୍କ ଜୀବନଯାତ୍ରା ଏବେ ଚର୍ଚ୍ଚାରେ । ସଂଘର୍ଷରୁ ସଫଳତାର ଏକ ପ୍ରେରଣାଦାୟକ କାହାଣୀ ଭାବେ ଚର୍ଚ୍ଚାକୁ ଆସିଥିବା ସୂରଜ ଲାମାଙ୍କ ଜୀବନରେ ଆସିଛି ନୂଆ ମୋଡ଼। ଦିନେ ସୋନାକ୍ଷୀ ଓ ଶାହିଦଙ୍କ ଡ୍ରାଇଭର ଭାବେ କାମ କରିଥିବା ସୂରଜ ନିଜ ପରିଶ୍ରମରେ ମୋମୋ ବ୍ୟବସାୟ ଆରମ୍ଭ କରିଥିଲେ । ଏବେ ବସ୍ତିବାସିନ୍ଦାରୁ ପାଲଟିଛନ୍ତି ମାୟନଗରୀର ‘ମୋମୋ କିଙ୍ଗ’ । କିନ୍ତୁ ବର୍ତ୍ତମାନ ତାଙ୍କ ଜୀବନରେ ହଠାତ ଆସିଛି ଝଡ । କିଛି ଦିନ ତଳେ ଖାଦ୍ୟ ସୁରକ୍ଷା ସମ୍ପର୍କିତ ଯାଞ୍ଚ ପରେ ତାଙ୍କ ଦୋକାନ ବନ୍ଦ କରାଯାଇଛି।

ରିପୋର୍ଟ ଅନୁସାରେ, ବସ୍ତିରୁ ନିଜ ଜୀବନ ଆରମ୍ଭ କରିଥିବା ସୂରଜ ଲାମା କଠିନ ପରିସ୍ଥିତିରେ ମଧ୍ୟ ଆଗକୁ ବଢ଼ିଥିଲେ। ମୁମ୍ବାଇରେ ସେଲିବ୍ରେଟିଙ୍କ ଡ୍ରାଇଭର ଭାବେ କାମ କରିବା ସମୟରେ ସେ ନିଜ ବ୍ୟବସାୟର ସ୍ୱପ୍ନ ଦେଖିଥିଲେ। ପରେ ମୋମୋ ବିକ୍ରି କରିବା ଆରମ୍ଭ କରି ଧୀରେ ଧୀରେ ଗ୍ରାହକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସୂରଜଙ୍କ ସଂଘର୍ଷ ଓ ସଫଳତାର କାହାଣୀ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚିତ ହୋଇଥିଲା। କିନ୍ତୁ ଏବେ ତାଙ୍କ ବ୍ୟବସାୟକୁ ଲାଗିଛି ବଡ଼ ଝଟକା । ମୁମ୍ବାଇର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ପକ୍ଷରୁ ଯାଞ୍ଚ ପରେ ତାଙ୍କ ମୋମୋ ଦୋକାନକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟାନୁଷ୍ଠାନ IAS ତୁକାରାମ ମୁଣ୍ଢେଙ୍କ ନେତୃତ୍ୱରେ ହୋଇଥିବା ସୂଚନା ରହିଛି।

ଖାଦ୍ୟ ବ୍ୟବସାୟରେ ସ୍ୱଚ୍ଛତା, ଗୁଣବତ୍ତା ଓ ଖାଦ୍ୟ ସୁରକ୍ଷା ନିୟମ ପାଳନକୁ ନେଇ ପ୍ରଶାସନ ପକ୍ଷରୁ ଯାଞ୍ଚ ଜୋରଦାର କରାଯାଉଛି। ଏହି ଅଭିଯାନରେ ସୂରଜ ଲାମାଙ୍କ ଦୋକାନ ମଧ୍ୟ ଯାଞ୍ଚରେ ଆସିଥିଲା ଏବଂ ପରେ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ତୁକାରାମ । ଏକ ସମୟରେ ଅଭାବ ଓ ସଂଘର୍ଷ ମଧ୍ୟରେ ବଞ୍ଚିଥିବା ସୂରଜ ନିଜ ପରିଶ୍ରମରେ ଏକ ଛୋଟ ବ୍ୟବସାୟକୁ ଲୋକପ୍ରିୟ କରିଥିଲେ। ତେଣୁ ତାଙ୍କ ଦୋକାନ ବନ୍ଦ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।