ନୂଆଦିଲ୍ଲୀ: ବିବାହ ପୂର୍ବରୁ ଗଢ଼ିଉଠୁଥିବା ପ୍ରେମ ସମ୍ପର୍କ ଏବଂ ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆମ ସମାଜରେ ସାଧାରଣତଃ ବିବାହ ପୂର୍ବରୁ କୌଣସି ପୁଅ ବା ଝିଅର କାହା ସହ ଶାରୀରିକ ସମ୍ପର୍କ ଥିଲେ, ତାଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଯାଏ। ମାତ୍ର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତିରେ ହୋଇଥିବା ଶାରୀରିକ ସମ୍ପର୍କ କାହାର ଖରାପ ଚରିତ୍ରର ପ୍ରମାଣପତ୍ର ହୋଇପାରିବ ନାହିଁ କିମ୍ବା ଏହାକୁ ଚରିତ୍ର ଉପରେ କଳା ଦାଗ ବୋଲି କୁହାଯାଇପାରିବ ନାହିଁ। ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ତେଲେଙ୍ଗାନା ପୋଲିସ କନଷ୍ଟେବଳ ନିଯୁକ୍ତି ସହ ଜଡ଼ିତ ଏକ ମାମଲାରେ ଗଜୁଲା ତିରୁପତି ନାମକ ଜଣେ ବ୍ୟକ୍ତିଙ୍କ ସପକ୍ଷରେ ଏହି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।

କଣ ଥିଲା ସମ୍ପୂର୍ଣ୍ଣ ମାମଲା ?
ଘଟଣା ଅନୁଯାୟୀ, ଗଜୁଲା ତିରୁପତିଙ୍କର ଚୟନ ପୋଲିସ କନଷ୍ଟେବଳ ପଦ ପାଇଁ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନିଯୁକ୍ତି ବୋର୍ଡ ତାଙ୍କ ପ୍ରାର୍ଥୀତ୍ୱକୁ ରଦ୍ଦ କରିଦେଇଥିଲା। ବୋର୍ଡ ଯାଞ୍ଚ ସମୟରେ ଜାଣିବାକୁ ପାଇଥିଲା ଯେ, ପ୍ରାର୍ଥୀଙ୍କ ବିରୋଧରେ ପୂର୍ବରୁ ଏକ ଅପରାଧିକ ମାମଲା ଥିଲା। ତାଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ପଡ଼ୋଶୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ବର୍ଷ ଧରି ସମ୍ପର୍କ ରଖିଥିଲେ, କିନ୍ତୁ ପରେ ଅନ୍ୟ ଜଣକୁ ବିବାହ କରିଥିଲେ। ତେବେ ଏହି ମାମଲାଟି ୨୦୧୫ ମସିହାରେ ଲୋକ ଅଦାଲତରେ ଆପୋଷ ବୁଝାମଣା ଜରିଆରେ ସମାପ୍ତ ହୋଇସାରିଥିଲା।

ନିଯୁକ୍ତି ବୋର୍ଡର ମାନସିକତା ଉପରେ କୋର୍ଟଙ୍କ ପ୍ରଶ୍ନ
ପ୍ରାର୍ଥୀ ଜଣକ ନିଜର ଭେରିଫିକେସନ୍ ଫର୍ମରେ ପୂର୍ବରୁ ଥିବା ଏହି ଅପରାଧିକ ମାମଲା ବିଷୟରେ ନିଜ ଆଡ଼ୁ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ। ସେ କୌଣସି ସତ୍ୟ ଲୁଚାଇ ନଥିଲେ। ଏହା ସତ୍ତ୍ୱେ ନିଯୁକ୍ତି ବୋର୍ଡ ତାଙ୍କୁ 'ନୈତିକ ସ୍ଖଳନ' ବା ଖରାପ ଚରିତ୍ରର ଆଖ୍ୟା ଦେଇ ଚାକିରି ପାଇଁ ଅଯୋଗ୍ୟ ଘୋଷଣା କରିଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, କୌଣସି ନିଯୁକ୍ତିଦାତା ପ୍ରାର୍ଥୀଙ୍କ ଯୋଗ୍ୟତା ଆକଳନ କରିପାରିବେ, ମାତ୍ର ସେମାନଙ୍କ ନିଷ୍ପତ୍ତି ମନମୁଖୀ ହେବା ଉଚିତ ନୁହେଁ। କୋର୍ଟ ଅନୁଭବ କଲେ ଯେ, ନିଯୁକ୍ତି ବୋର୍ଡ ଧରି ନେଇଥିଲା କି ଲୋକ ଅଦାଲତରେ ହୋଇଥିବା ବୁଝାମଣା ହେଉଛି ଅପରାଧ ସ୍ୱୀକାର କରିବା, ଯାହାର କୌଣସି ଆଇନଗତ ଆଧାର ନାହିଁ।

ଆଇନରେ ଏଭଳି କୌଣସି ନିଷେଧାଦେଶ ନାହିଁ
ସୁପ୍ରିମକୋର୍ଟ ବର୍ତ୍ତମାନର ସାମାଜିକ ବ୍ୟବସ୍ଥାକୁ ଦର୍ଶାଇ କହିଛନ୍ତି ଯେ, ଆଜିର ସମୟରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରହିବା ଏକ ସାଧାରଣ କଥା। ଦୁଇଜଣ ସହମତ ଥିବା ଅବିବାହିତ ବୟସ୍କ ବ୍ୟକ୍ତି ସେମାନଙ୍କ ପସନ୍ଦ ଅନୁଯାୟୀ ସମ୍ପର୍କ ରଖିପାରିବେ ଏବଂ ଏହାକୁ ରୋକିବା ପାଇଁ ଦେଶରେ କୌଣସି ଆଇନ ନାହିଁ। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, କେବଳ ଏହି କାରଣରୁ କୌଣସି ବ୍ୟକ୍ତିର ଚରିତ୍ର ଉପରେ ନକାରାତ୍ମକ ଟିପ୍ପଣୀ କରାଯାଇପାରିବ ନାହିଁ।

ସମ୍ପର୍କ ପରେ ବିବାହ ନହେବା 'ଧୋକା' ନୁହେଁ
ଅଦାଲତ ନିଜ ରାୟରେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ପ୍ରେମ ସମ୍ପର୍କ ଯେ ବିବାହର ରୂପ ନେବ, ତାହା ଜରୁରୀ ନୁହେଁ। ଯଦି କୌଣସି ସମ୍ପର୍କର ପରିଣତି ବିବାହ ହୋଇପାରିଲା ନାହିଁ, ତେବେ ଏହାର ଅର୍ଥ ନୁହେଁ ଯେ, ଜଣେ ପକ୍ଷ ଅନ୍ୟ ପକ୍ଷକୁ ପ୍ରତାରଣା ବା ଧୋକା ଦେଇଛି। ଶେଷରେ, ସୁପ୍ରିମକୋର୍ଟ ନିଯୁକ୍ତି ବୋର୍ଡର ସ୍କ୍ରିନିଂ କମିଟିର ନିଷ୍ପତ୍ତିକୁ ଭୁଲ ଓ ମନମୁଖୀ ବୋଲି ଦର୍ଶାଇଛନ୍ତି। ତେଲେଙ୍ଗାନା ହାଇକୋର୍ଟଙ୍କ ସିଙ୍ଗଲ ବେଞ୍ଚଙ୍କ ଆଦେଶକୁ ବଜାୟ ରଖିବା ସହ ପ୍ରାର୍ଥୀଙ୍କ ନିଯୁକ୍ତି ଉପରେ ପୁନର୍ବାର ବିଚାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।