ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ଅତ୍ୟନ୍ତ ବୃଦ୍ଧ ଓ ଗୁରୁତର ଅସୁସ୍ଥ କୈଦୀଙ୍କ ଶୀଘ୍ର ଅଥବା ଅବଧି ପୂର୍ବ ମୁକ୍ତି ଲାଗି ଏକ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନଙ୍କୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ତାରିଖରୁ ୩ ମାସ ମଧ୍ୟରେ ବ୍ୟାପକ ନୀତି ପ୍ରସ୍ତୁତ କରି ଅଧିସୂଚନା ଜାରି କରିବାକୁ ହେବ ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ପୀଠ ଗୁରୁବାର କହିଛନ୍ତି ଯେ ନୀତିରେ ମୁକ୍ତିଲାଗି ପାତ୍ରତା ମାନଦଣ୍ଡ ଓ ପ୍ରକ୍ରିୟାତ୍ମକ ଢାଞ୍ଚାକୁ ସ୍ପଷ୍ଟ ରୂପେ ପରିଭାଷିତ କରାଯିବା ଦରକାର।

ଏଥିରେ ବନ୍ଦୀଙ୍କ ଅସୁସ୍ଥତା ବିଶେଷ କରି ଗୁରୁତର ରୋଗର ସ୍ପଷ୍ଟ ଓ ସମାନ ପରିଭାଷା ପ୍ରଦାନ କରାଯିବା ଦରକାର ବୋଲି କହିଛନ୍ତି। ପୀଠ ଜାତୀୟ ବିଧି ସେବା ପ୍ରାଧିକରଣ (ଏନଏଏଲଏସଏ) ଦ୍ୱାରା ରୁଜୁ ଏକ ପିଟିସନ ଉପରେ ଏହି ରାୟ ଦେଇଛନ୍ତି। ଏଥିରେ ଗୁରୁତର ଅସୁସ୍ଥ ଅଥବା ୭୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟଷ୍କ ବନ୍ଦୀଙ୍କୁ ଜାମିନରେ ମୁକ୍ତି କରିବାକୁ ଦାବି କରାଯାଇଥିଲା। ଜଷ୍ଟିସ୍ ମେହେଟ୍ଟା କହିଛନ୍ତି ଯେ ନୀତିକୁ ସମ୍ପର୍କିତ ରାଜ୍ୟ ବିଧିସେବା ପ୍ରାଧିକରଣ ସହିତ ପରାମର୍ଶ କରି ପ୍ରସ୍ତୁତ କରାଯିବା ଆବଶ୍ୟକ।

ଏହା ଦ୍ୱାରା ସଂସ୍ଥାଗତ ସମନ୍ୱୟ ସୁନିଶ୍ଚିତ ହୋଇ ପାରିବା ସହ ଯୋଗ୍ୟ କୈଦୀଙ୍କ ପ୍ରଭାବୀ ଚିହ୍ନଟ ହୋଇ ପାରିବ। ଏଥିରେ କୁହାଯାଇଛି ଯେ ନୀତିକୁ ଶୀଘ୍ର ଅଥବା ଦୟାରେ ମୁକ୍ତି ଲାଗି ଆବେଦନ ପ୍ରସ୍ତୁତ କରିବା, ଯାଞ୍ଚ ଓ ସମାଧାନ ପ୍ରକ୍ରିୟାକୁ ସମୟବଦ୍ଧ, ପାରଦର୍ଶି ଓ ସୁଲଭ କରାଯିବା ଦରକାର। ପୀଠ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ନ୍ୟାୟାଳୟଙ୍କୁ କୋର୍ଟଙ୍କ ନିର୍ଦ୍ଦେଶର ପ୍ରଭାବୀ ପାଳନ ନିମନ୍ତେ ଆବଶ୍ୟକ ବୈଷୟିକ ସହାୟତା, ଡିଜିଟାଲ ଭିତ୍ତିଭୂମି ଓ ଦକ୍ଷତା ବିକାଶ ସମର୍ଥନ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ଏଥି ପାଇଁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ୬ ମାସ ମଧ୍ୟରେ ଅନୁପାଳନ ଆଫିଡେଭିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ଅନୁପାଳନ ସ୍ଥିତିର ବିବରଣୀ ଦେବାକୁ କୁହାଯାଇଛି। ଗତବର୍ଷ ମେ ମାସରେ ସୁପ୍ରିମକୋର୍ଟ ଏନଏଏଲଏସଏଙ୍କ ଆବେଦନ ଶୁଣାଣି ଲାଗି ସହମତ ହୋଇଥିଲେ ଓ ଏଥି ପାଇଁ କେନ୍ଦ୍ର ଏବଂ ଅନ୍ୟମାନଙ୍କ ପ୍ରତିକ୍ରିୟା ମାଗିଥିଲେ। ପିଟିନସରେ ୭୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ଓ ଗୁରୁତର ଅସୁସ୍ଥ କୈଦୀଙ୍କୁ ମୁକ୍ତି କରିବା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରାଯାଇଥିଲା।