ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଟ୍ରାଫିକ୍ ଇ-ଚାଲାଣ ବାବଦ ଥିବା ବକେୟା ଆଦୟ ପାଇଁ ଏକ ବଡ଼ ପରାମର୍ଶ ଦେଇଛନ୍ତି । ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ଯେ ବକେୟା ଥିବା ପ୍ରାୟ ୨୦,୦୦୦ କୋଟି ଟଙ୍କାର ଜରିମାନା ଆଦାୟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଟ୍ରାଫିକ୍ ଚାଲାଣକୁ ବିଜୁଳି ବିଲ୍ ସହିତ ଯୋଡ଼ିବା କଥା ବିଚାର କରିବା ଦରକାର । ଇ-ଚାଲାଣ ଜରିମାନା ଆଦାୟ ସମ୍ପର୍କିତ ଆବେଦନର ଶୁଣାଣି କରି ଜଷ୍ଟିସ୍ ଜେ.ବି.ପାରଦୀୱାଲା ଏବଂ ଜଷ୍ଟିସ୍ କେ.ଭି.ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ପରାମର୍ଶ ଦେଇଛନ୍ତି ।

ଜଷ୍ଟିସ୍ ପାରଦୀୱାଲା କହିଛନ୍ତି ଯେ କେବଳ ଇ-ଚାଲାଣ କାଟିବାରେ ସୀମିତ ନ ରହି ଅଧିକାରୀ ଜରିମାନା ଆଦାୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । ସେ କହିଛନ୍ତି, "କେବଳ ଇ-ଚାଲାଣ କାଟି ଚାଲିବା ଯଥେଷ୍ଟ ନୁହେଁ । ପୋଲିସ ଏମିତି ହଜାର ହଜାର ଓ ଲକ୍ଷ ଲକ୍ଷ ଇ-ଚାଲାଣ ଜାରି କରିପାରିବ । ପ୍ରକୃତ ପ୍ରଶ୍ନ ହେଉଛି ଇ-ଚାଲାଣ ମାଧ୍ୟମରେ ଲଗାଯାଇଥିବା ଜରିମାନା କିପରି ଆଦାୟ କରାଯିବ ।" ବିପୁଳ ସଂଖ୍ୟାରେ ଟ୍ରାଫିକ୍ ଚାଲାଣ ଜାରି କରାଯାଉଥିଲେ ସୁଦ୍ଧା ଜରିମାନା ଆଦାୟ ବହୁତ କମ୍ ହେଉଥିବା ବିଷୟରେ ଖଣ୍ଡପୀଠଙ୍କୁ ଜଣାଯାଇଥିଲା ।

ଏହା ଉପରେ ଖଣ୍ଡପୀଠ କହିଛନ୍ତି, "ଯଦି ଲୋକମାନେ ଟ୍ରାଫିକ୍ ଚାଲାଣ ପୈଠ କରୁନାହାନ୍ତି, ତେବେ ଏହାକୁ ସେମାନଙ୍କର ବିଜୁଳି ବିଲ୍ ସହିତ ଯୋଡ଼ିଦିଅନ୍ତୁ । ସେମାନଙ୍କୁ ବିଜୁଳି ବିଲ୍ ଦେବାକୁ ହିଁ ପଡ଼ିବ, ନଚେତ୍ ବିଜୁଳି ସଂଯୋଗ କାଟି ଦିଆଯିବ । ଏହା ଉପରେ କାର୍ଯ୍ୟ କରନ୍ତୁ । ଆପଣଙ୍କୁ କିଛି ନା କିଛି ବାଟ ବାହାର କରିବାକୁ ପଡ଼ିବ ।" ଅର୍ଥାତ୍ ଯଦି ଅଧିକାରୀମାନେ ଏହି ଯୋଜନା ଉପରେ କାର୍ଯ୍ୟ କରନ୍ତି ଏବଂ ବାକି ଚାଲାଣକୁ ବିଜୁଳି ବିଲ୍ ସହିତ ଯୋଡ଼ନ୍ତି, ତେବେ କଳାତାଲିକାଭୁକ୍ତ ଲୋକଙ୍କ ବିଜୁଳି ବିଲ୍ ବୃଦ୍ଧି ପାଇବ । ସେମାନଙ୍କୁ ସେହି ଅର୍ଥ ଭରିବାକୁ ପଡ଼ିବ । ନଚେତ୍ ସେମାନଙ୍କ ବିଜୁଳି ସଂଯୋଗ କାଟି ଦିଆଯିବ ।

ଇ-ଚାଲାଣ ବାବଦକୁ ପ୍ରାୟ ୪୫,୦୦୦ କୋଟି ଟଙ୍କା ବାକି

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଇ-ଚାଲାଣ ବାବଦକୁ ପ୍ରାୟ ୪୫,୦୦୦ କୋଟି ଟଙ୍କା ବାକି ପଡ଼ିଥିବା ବେଳେ ସେଥିମଧ୍ୟରୁ ଏପର୍ଯ୍ୟନ୍ତ କେବଳ ୨୫,୦୦୦ କୋଟି ଟଙ୍କା ଆଦାୟ ହୋଇପାରିଛି । ଏହି ତଥ୍ୟ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଯିବା ପରେ ଏହି ପରାମର୍ଶ ଆସିଛି । ସେହିପରି ଯେଉଁ ଗାଡ଼ିଗୁଡ଼ିକର ଚାଲାଣ ପୈଠ ହୋଇନାହିଁ, ସେଗୁଡ଼ିକୁ 'ପରିବହନ ପୋର୍ଟାଲ'ରେ କଳାତାଲିକାଭୁକ୍ତ କରିବା ଏବଂ ସେଗୁଡ଼ିକର ମାଲିକାନା ହସ୍ତାନ୍ତର ଉପରେ ରୋକ୍ ଲଗାଇବା ପାଇଁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି ।

ଜଷ୍ଟିସ୍ ପାରଦୀୱାଲା କହିଛନ୍ତି ଯେ କର୍ତ୍ତୃପକ୍ଷ ଗ୍ରାଉଣ୍ଡ ଲେଭେଲରେ କାମ କରିବା ଆବଶ୍ୟକ । ଇ-ଚାଲାଣ ଦେଉନଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ପାଇଁ ସେ ଗାଡ଼ିଗୁଡ଼ିକର ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି, "ଗାଡ଼ିଗୁଡ଼ିକର ହଠାତ୍ ଯାଞ୍ଚ କରାଯାଉ ଏବଂ ଯଦି ଇ-ଚାଲାଣ ପୈଠ ହୋଇନଥିବା ଜଣାପଡ଼େ, ତେବେ ଗାଡ଼ି ଜବତ କରିବା ସହ ଅନ୍ୟାନ୍ୟ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଉ ।"