ନୂଆଦିଲ୍ଲୀ: ଏକ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ପଶ୍ଚିମବଙ୍ଗ ସରକାର ଓ ନିର୍ବାଚନ ଆୟୋଗଙ୍କୁ ଜବାବ ତଲବ କରିଛନ୍ତି। ଏହି ଜନସ୍ୱାର୍ଥ ମାମଲାରେ ରାଜ୍ୟରେ ଭୋଟରଲିଷ୍ଟ ଗହନ ପୁନରୀକ୍ଷଣ (ଏସଆଇଆର) କାଳରେ ହଟିଥିବା ଭୋଟର ଓ ରୁଜୁ ହୋଇଥିବା ଦାବି, ଆପତ୍ତିର ବିଧାନସଭା ନିର୍ବାଚନମଣ୍ଡଳି ଅନୁସାରେ ସାର୍ବଜନିକ କରିବାକୁ ଦାବି କରାଯାଇଛି। ଏହି ଜନସ୍ୱାର୍ଥ ମାମଲା ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ଏସଆଇଆର କମିଟି ଚେୟାରମ୍ୟାନ ପ୍ରସେନଜିତ ବୋସ ରୁଜୁ କରିଛନ୍ତି।

ଏହି ଆବେଦନର ଶୁଣାଣି ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ବେଞ୍ଚରେ ହୋଇଛି। ଓକିଲ ନେହା ରାଠୀଙ୍କ ଦ୍ୱାରା ରୁଜୁ ପିଟିସନରେ ପଶ୍ଚିମବଙ୍ଗ ଏସଆଇଆର ସମ୍ପର୍କିତ ବିଧାନସଭା ନିର୍ବାଚନମଣ୍ଡଳି ଅନୁସାରେ ତଥ୍ୟ ମଗା ଯାଇଛି। ଏଥିରେ ଫର୍ମ ୬ ଓ ୭ (ରୁଜୁ, ସ୍ୱୀକାର ଓ ଖାରଜ) ର ସଂଖ୍ୟା ଓ ଅପିଲୀୟ ଟ୍ରିବ୍ୟୁନାଲରେ ଲମ୍ବିତ ଅପିଲ ଓ ଏହାର ସମାଧାନ ସମ୍ପର୍କରେ ସୂଚନା ମଗା ଯାଇଛି। ବୋସଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ଗୋପାଲ ଶଙ୍କର ନାରାୟଣନ କହିଛନ୍ତି ଯେ ହଟା ଯାଇଥିବା ଭୋଟରଙ୍କ ଦାବି ଓ ଆପତ୍ତି ଲାଗି ଗଠିତ ୧୮ ଟ୍ରିବ୍ୟୁନାଲ ଯେଉଁଭଳି କାମ କରୁଛନ୍ତି ସେଥିରେ ବ୍ୟବହାରିକ ସ୍ତରରେ ତ୍ରୁଟି ବଢୁଥିବା ବେଳେ ବିଳମ୍ବ ମଧ୍ୟ ହେଉଛି।

ବେଞ୍ଚ ବିହାର ଏସଆଇଆର ଦିଆଯାଇଥିବା ରାୟର ଉଲ୍ଲେଖ କରି କହିଛନ୍ତି ଯେ ‘ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ ଏହା ଯେ ଯେବେ କୌଣସି ଟ୍ରିବ୍ୟୁନାଲ ଏହା କହେ ଯେ କୌଣସି ବ୍ୟକ୍ତି ଏସଆଇଆର ଲିଷ୍ଟରେ ରହି ପାରିବେନି, ତେବେ ଇସିଙ୍କୁ ନାଗରିକତା ଅଧିନିୟମ ଅନୁସାରେ ତାଙ୍କ ନାଗରିକତା ନିର୍ଦ୍ଧାରଣ ଲାଗି ମାମଲାକୁ କେନ୍ଦ୍ରୀୟ ମନ୍ତ୍ରାଳୟକୁ ପଠାଇବାକୁ ହେବ’। ବେଞ୍ଚ କହିଛନ୍ତି ଯେ ନାଗରିକତା ସମ୍ପର୍କରେ ନିଷ୍ପତ୍ତି ନେବାକୁ ନିର୍ବାଚନ ଆୟୋଗ ସାମ୍ବିଧାନିକ ଅଥରିଟି ନୁହନ୍ତି। କେବଳ ଭୋଟର ଲିଷ୍ଟ ଉପରେ ନିୟନ୍ତ୍ରଣ ଓ ଦେଖରେଖ ନିର୍ବାଚନ ଆୟୋଗଙ୍କ କାମ।

ବରିଷ୍ଠ ଓକିଲ କହିଛନ୍ତି ଯେ ୩୩.୫ ଲକ୍ଷ ଆବେଦନ ଏବେବି ଲମ୍ବିତ ରହିଛି। ସେହିପରି ଯେଉଁ କ୍ଲେମର ସମାଧାନ ହୋଇଛି ସେଥିରୁ ୭୦ ପ୍ରତିଶତ ଦାବି ସ୍ୱୀକାର କରାଯାଇଛି। ଓକିଲ କହିଛନ୍ତି ଯେ ଏଥି ପାଇଁ ଲୋକଙ୍କୁ ପିଡିଏସ୍ ଓ ଅନ୍ୟ ଯୋଜନାରୁ ବାହାରେ ରଖା ଯାଇଛି। ଏସଆଇଆର ପ୍ରସଙ୍ଗରେ ବେଞ୍ଚ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଲମ୍ବିତ ପିଟିସନ ଓ ଏହି ମାମଲାକୁ ଅଗଷ୍ଟ ୨୫ରେ ଶୁଣାଣି କରିବାକୁ ତାରିଖ ପକାଇଛନ୍ତି। ପିଟିସନମାନଙ୍କରେ ସମ୍ବିଧାନର ଆର୍ଟିକ୍ଲ ୧୪, ୧୯ ଓ ୨୧ ଅନୁସାରେ ଅଧିକାରଗୁଡିକୁ ଲାଗୁ କରିବା ପାଇଁ ଦାବି କରାଯାଇଛି। ଏଥିରେ କୁହାଯାଇଛି ଯେ ଏସଆଇଆର ପ୍ରକ୍ରିୟା କାଳରେ ଗଣନା ପର୍ଯ୍ୟାୟରେ ୫୮ଲକ୍ଷରୁ ଅଧିକ ଭୋଟରଙ୍କ ନାମ ହଟାଇ ଦିଆଯାଇଛି।

ଦାବି ଓ ଆପତ୍ତି ପର୍ଯ୍ୟାୟରେ ନାମ ଯୋଡିବା ଲାଗି ଫର୍ମ ୬-ଏରେ ୯.୪୬ ଲକ୍ଷ ଲୋକେ ଆବେଦନ କରିଥିବା ବେଳେ ନାମ ହଟାଇବା ପାଇଁ ଫର୍ମ ୭ରେ ୯୯ ହଜାରରୁ ଅଧିକ ଆବେଦନ ମିଳିଛି। ତେବେ ୨୮ ଫେବୃଆରୀରେ ଜାରି ଚୂଡ଼ାନ୍ତ ଭୋଟର ଲିଷ୍ଟରେ କେବଳ ୧.୮୨ଲକ୍ଷ ନାମ ଯୋଡା ଯାଇଛି।