ନୂଆଦିଲ୍ଲୀ: ମାଆ ଓ ପୁଅଙ୍କ ମଧ୍ୟରେ ଏକ ସମ୍ପତ୍ତି ବିବାଦରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା ପୁଅକୁ ହିନ୍ଦୁ ଧର୍ମରେ ମାଆଙ୍କ ଗୁରୁତ୍ୱ ବୁଝାଇଛନ୍ତି। ପୁଅକୁ ବିଚାରପତି ମୌଖିକ ରୂପେ ମାଆଙ୍କୁ କ୍ଷମାମାଗିବାକୁ କହିଛନ୍ତି। ଏହି ମାମଲାରେ ମାଆ ଓ ତାଙ୍କ ପତି ସମ୍ପତ୍ତିର ମାଲିକ। ସେମାନେ ସନ୍ତାନ ସ୍ନେହ କାରଣରୁ ପୁଅ ଓ ବୋହୂଙ୍କୁ ବିନା ଭଡାରେ ଲାଇସେନ୍ସଧାରୀଙ୍କ ଭଳି ପ୍ରଥମ ମହଲାରେ ରହିବାକୁ ଅନୁମତି ଦେଇଥିଲେ। ତେବେ ଏହା ପରେ ପୁଅ ଓ ବୋହୂ ମାଆ ବାପାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ ଓ ସମ୍ପତ୍ତି ସେମାନଙ୍କ ନାମରେ କରିବାକୁ ଚାପ ପକାଉଥିଲେ।

ମାମଲାରେ ଟ୍ରାୟଲ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟ ମାତାପିତାଙ୍କ ସପକ୍ଷରେ ରାୟ ଦେଇଥିଲେ। ତେବେ ଏହାକୁ ପୁଅ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଏହି ମାମଲା ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଶର୍ମା ଓ ଜଷ୍ଟିସ୍ ଏନ.କେ. ସିଂହ ଶୁଣାଣି କରିଛନ୍ତି। ମାମଲାକୁ ଖାରଜ କରି ଜଷ୍ଟିସ୍ ଶର୍ମା ମୌଖିକ ଭାବେ କହିଛନ୍ତି ଯେ ଯାଇ ପ୍ରଥମେ ମାଙ୍କ ପାଦ ଛୁଅଁ ଓ ନିଜର ସମସ୍ତ କୃତ୍ୟା ପାଇଁ କ୍ଷମା ମାଗ। ଏହାପରେ ଜଷ୍ଟିସ୍ ଶର୍ମା କୋର୍ଟରେ ଉପସ୍ଥିତ ଓକିଲଙ୍କୁ କହିଛନ୍ତି ଯେ ‘କଣ ପୁଅ ଏପରି କରିବା ଭୁଲ ନୁହେଁ? ଆମେ ପୁଅକୁ କହିଛୁ ମାଙ୍କ ପାଖକୁ ଯାଅ, ତାଙ୍କ ଚରଣ ସ୍ପର୍ଶ କର, ତାଙ୍କ ଭାବନାକୁ ବୁଝ, କ୍ଷମାମାଗ ଓ ତାଙ୍କ ଆଶିର୍ବାଦ ନିଅ’।

ଅଭିଯୋଗ ହୋଇଥିଲା ଯେ ପୁଅ ଓ ବୋହୂ ନକଲୀ କାଗଜପତ୍ର ପ୍ରସ୍ତୁତ କରି ବାପ ମାଅଙ୍କ ଘର ଉପରେ ନିଜର ମାଲିକାନା ଦାବି କରୁଥିଲେ। ଏହାକୁ ନଜରରେ ରଖି ମାଆ ବାପା ସମ୍ବାଦପତ୍ରରେ ସାର୍ବଜନିକ ସୂଚନା ଜାରି କରି ପୁଅ ସହ ସମସ୍ତ ସାମାଜିକ ସମ୍ପର୍କ ତୁଟାଇ ଦେଇଛନ୍ତି। ଏ ନେଇ ମାତାପିତା ପୁଅ ବିରୋଧରେ ପୋଲିସରେ ଏତଲା ରୁଜୁ କରି ପୁଅ ଓ ବୋହୂଙ୍କୁ ନୋଟିସ୍ ପଠାଇ ସେମାନଙ୍କ ଲାଇସେନ୍ସ ରଦ୍ଦ କରିଦେଇଛନ୍ତି। ଏହା ସହିତ ସେମାନଙ୍କୁ ସମ୍ପତ୍ତିରୁ ହଟିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ବାପମାଆ ନିଜ ସମ୍ପତ୍ତି ଦଖଲକୁ ନେବାକୁ, ସ୍ଥାୟୀ ରୋକ ଓ କ୍ଷତିଭରଣା ନିମନ୍ତେ ମୋକଦ୍ଦମା ରୁଜୁ କରିଛନ୍ତି। ଟ୍ରାୟଲ କୋର୍ଟ ମାନିଛନ୍ତି ଯେ ମାତା ପିତାହିଁ ଏହି ସମ୍ପତ୍ତିର ଏକମାତ୍ର ମାଲିକ, ପୁଅ ଓ ବୋହୂ ଲାଇସେନ୍ସୀ ଥିଲେ। ସେମାନଙ୍କ ଲାଇସେନ୍ସ ଉଚିତ ରୂପେ ବାତିଲ କରିଦିଆଯାଇଛି। ଏଣୁ ପୁଅ ବୋହୂଙ୍କୁ ସମ୍ପତ୍ତିରୁ ହଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଦିଲ୍ଲୀ ହାଇକୋର୍ଟ ଏପ୍ରିଲ ୧୭ ତାରିଖରେ ନିମ୍ନ କୋର୍ଟଙ୍କ ରାୟକୁ କାୟମ ରଖିଥିଲେ। ଏହା ଉପରେ ପୁଅ ସ୍ପେଶାଲ ଲିଭ ପିଟିସନ ରୁଜୁ କରିଥିଲା, ଯାହାକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।