ନୂଆଦିଲ୍ଲୀ: ଦୀପାବଳିରେ ବାଣ ଉପରେ ବ୍ୟାନ ଲାଗିବ ନା ନାହିଁ ? ଶୀତ ଋତୁରେ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚରମରେ ପହଞ୍ଚିଯାଏ । ଏହାକୁ ନଜରରେ ରଖି ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲଗାଇବାକୁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ବଡ଼ ମନ୍ତବ୍ୟ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଧାର୍ମିକ ଭାବନାକୁ ଆଘାତ ଦେଲା ଭଳି କୌଣସ ରାୟ ଦିଆଯିବ ନାହିଁ । ବାଣକୁ ନେଇ କୌଣସି ସନ୍ତୁଳିତ ଆଭିମୁଖ୍ୟ ପୋଷଣ କରାଯିବ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ । ସିଜେଆଇ ବିଶେଷ କରି ଲୋକଙ୍କ ସଚେତନତା ଉପରେ ଗୁରୁତ୍ବାରୋପ କରିଛନ୍ତି । 

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଶୁଣାଣି ସମୟରେ କହିଛନ୍ତି, ସାଧାରଣ ଜନତାଙ୍କୁ ସଚେତନ କରିବା ଏବଂ ବାଣ ଫୁଟାଇବାର ସମୟସୀମା କିଛି ନିର୍ଦ୍ଦିଷ୍ଟ ଘଣ୍ଟା ମଧ୍ୟରେ ସୀମିତ ରଖିବା ପାଇଁ ଏବେ ବି ଯଥେଷ୍ଟ ସମୟ ରହିଛି।   ଶୀତ ଦିନେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ଅତ୍ୟଧିକ ବୃଦ୍ଧି ପାଇଥାଏ । ଏହି ସମୟରେ ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ପାଳନ ହୁଏ । ଏହି ପ୍ରସଙ୍ଗକୁ ନେଇ କୋର୍ଟରେ ଦୀର୍ଘ ଦିନରୁ ଚାଲିଆସୁଥିବା ମାମଲାର ଶୁଣାଣି ଚାଲିଛି। 

ପ୍ରଧାନ ବିଚାରପତି କହିଛନ୍ତି, ‘ଆମେ କାହାର ଧାର୍ମିକ ଭାବନାକୁ ଆଘାତ ଦେବୁ ନାହିଁ । କିନ୍ତୁ ଏହାର ଏକ ସନ୍ତୁଳିତ ସମାଧାନ କ’ଣ ହୋଇପାରିବ, ସେ ନେଇ ବିଚାର କରିବୁ।’ ସର୍ବୋଚ୍ଚ ଅଦାଲତ ଜନସାଧାରଣଙ୍କ ସଚେତନତା ଏବଂ ନାଗରିକ ଦାୟିତ୍ୱବୋଧର ଆବଶ୍ୟକତାକୁ ଦୋହରାଇଛନ୍ତି। ନାଗରିକ ପ୍ରଦୂଷଣର ବାସ୍ତବ ସ୍ଥିତି ବିଷୟରେ ଅବଗତ ରହି ନିଜ ନିଜର କର୍ତ୍ତବ୍ୟ ବୁଝିଲେ ସମସ୍ୟାର ସମାଧାନ ସହଜ ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।  

ଶୁଣାଣି ସମୟରେ ଜଣେ ଓକିଲ ଯୁକ୍ତି ଦେଇଥିଲେ ଯେ, ବାଣ ଫୁଟାଇବା ଧାର୍ମିକ ସ୍ୱାଧୀନତାର ମୌଳିକ ଅଧିକାର ନୁହେଁ। ପୂଜା ଆରାଧନା ହେଉଛି ଧାର୍ମିକ ବିଶ୍ୱାସର ପ୍ରତୀକ । କିନ୍ତୁ ବାଣ ଫୁଟାଇବା ନୁହେଁ। ଏପରିକି ଏହା ଦେଖି ଭଗବାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି ସେ କହିଥିଲେ। ଅନ୍ୟପଟେ, ଜଷ୍ଟିସ ଜୟମାଲ୍ୟ ବାଗଚି ପ୍ରଶ୍ନ କରିଥିଲେ ଯେ, ବାଣ ଫୁଟାଇବାକୁ ଧର୍ମ ସହିତ କାହିଁକି ଯୋଡ଼ାଯାଉଛି ? ଧର୍ମ ସହ ବାଣର ସମ୍ପର୍କ କ’ଣ ? 

ପ୍ରଧାନ ବିଚାରପତି କହିଛନ୍ତି, ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା କ୍ଷଣି ଲୋକମାନେ ଦିନବେଳା ବାଣ ଫୁଟାଇବା ଆରମ୍ଭ କରିଦିଅନ୍ତି। ରାଜଧାନୀ ଅଞ୍ଚଳରେ ବାଣ ବ୍ୟବହାର ଏବଂ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଧାର୍ମିକ ପରମ୍ପରା ଓ ଜନସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଏହି ଆଲୋଚନା ଚାଲିଛି। ବାଣ ଫୁଟାଇବାର ସମୟସୀମା କମାଇବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ବ ଦେଇଛନ୍ତି ।