ହାଇଦ୍ରାବାଦ: ଭୋଟର ଲିଷ୍ଟ ରେ ତ୍ରୁଟି ଓ ଏସଆଇଆରକୁ ନେଇ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଦେଶରେ ଆଉ ଏକ ରାଜନୈତିକ ପ୍ରଦର୍ଶନ ଉଗ୍ର ରୂପ ଧାରଣ କରିଛି। ଦେଶର ବିଭିନ୍ନ ରାଜ୍ୟରେ ଏବେ ବିରୋଧୀ ଦଳମାନେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଉଛନ୍ତି। ଏସଆଇଆର ନିଷ୍ପତ୍ତିକୁ ନେଇ ସିଇସିଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ରୁଜୁ ହୋଇଛି। ସୋମବାର ଏହି ପିଟିସନ ଉପରେ ଶୁଣାଣି ହେବ। ଏଥି ମଧ୍ୟରେ ରବିବାର ସୁପ୍ରିମକୋର୍ଟ ବିଚାରପତି ଉଜ୍ଜ୍ୱଳ ଭୂୟାଁ କହିଛନ୍ତି ଯେ କୌଣସି ପ୍ରକ୍ରିୟା ଯାହା ଲକ୍ଷଲକ୍ଷ ଭାରତୀୟଙ୍କୁ ଭୋଟ ଦାନରୁ ବଞ୍ଚିତ କରେ ତାହା ବାସ୍ତବରେ ସ୍ୱେଚ୍ଛାଚାର ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଅସ୍ୱୀକାର କରୁଛି।

ହାଇଦ୍ରାବାଦର ଏନଏଏଲଏସଏଆର ୟୁନିଭର୍ସିଟି ଅଫ ଲର ୧୯ତମ ଏନଏଏଲଏସଏଆର-ଜଷ୍ଟିସ୍ ବି.ଆର.ସାହାଣୀ ମେମୋରିୟାଲ ମୁଟ କୋର୍ଟ ପ୍ରତିଯୋଗୀତାର ଉଦଯାପନ ସମାରୋହକୁ ସମ୍ବୋଧିତ କରି ଜଷ୍ଟିସ୍ ଭୂୟାଁ କାହାର ନାମ ନ ନେଇ କହିଛନ୍ତି ଯେ ‘ନାଗରିକଙ୍କ ଭୋଟ ଦାନ ଅଧିକାର ଛଡାଇବା କାମକୁ କୌଣସି ମତେ ସଠିକ କୁହାଯାଇ ପାରିବନି’। ସେ କହିଛନ୍ତି ଯେ ‘ଯଦି କୌଣସି ପ୍ରକ୍ରିୟାର ଫଳାଫଳ ଲକ୍ଷେ-କୋଟି ଭାରତୀୟ ନାଗରିକଙ୍କ ଭୋଟ ଦାନ ଅଧିକାରରୁ ବଞ୍ଚିତ କରେ, ଯାହାଦ୍ୱାରା ନିଜ ଦେଶରେ ଭୋଟ ଦେଇ ନପାରି ଦ୍ୱିତୀୟ ଶ୍ରେଣୀ ନାଗରିକ ହୋଇଯାଆନ୍ତି, ତେବେ ଏହି ପ୍ରକ୍ରିୟା ବାସ୍ତବରେ ସ୍ୱେଚ୍ଛାଚାର’।

ସମ୍ବିଧାନରେ ନାହିଁ ଦୁଇ ପ୍ରକାର ନାଗରିକତାର ପ୍ରାବଧାନ
ଜଷ୍ଟିସ୍ ଭୂୟାଁ କହିଛନ୍ତି ଯେ ଭାରତୀୟ ସମ୍ବିଧାନରେ ଭୋଟିଂ ଅଧିକାର ଥିବା ନାଗରିକ ଓ ବିନା ଭୋଟ ଅଧିକାରର ନାଗରିକ ଦୁଇ ପ୍ରକାରର ନାଗରିକତାର ପ୍ରାବଧାନ ନାହିଁ। ଏପରି କୌଣସି ପ୍ରକ୍ରିୟା ଯେଉଁଥିରେ ଭାରତୀୟ ନାଗରିକଙ୍କୁ ସମ୍ପୂର୍ଣ୍ଣ ଭୋଟ ଦେବା ଅଧିକାରରୁ ବଞ୍ଚିତ କରାଯାଏ ଓ ସେମାନଙ୍କୁ ବିନା ଭୋଟିଂ ଅଧିକାର ନାଗରିକ କରିଦିଏ ତାହା ଭାରତୀୟ ସମ୍ବିଧାନର ଆର୍ଟିକ୍ଲ ୩୨୬ ଓ ଧାରା ୧୪ର ଉଲ୍ଲଂଘନ ହେବ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ କୌଣସି ସଂସ୍ଥାକୁ ଏପରି ଛାଡ ନାହିଁ। ସେ କହିଛନ୍ତି କୌଣସି ଅଥରିଟି ଏହା କରିପାରିବେନି, କୌଣସି କୋର୍ଟ ଏହାକୁ କ୍ଷମା କରିବେନି, ସମ୍ବିଧାନ ଉପରେ କେହିବି ନୁହଁ।

ଜଷ୍ଟିସ୍ ଭୂୟାଁ ସ୍ପଷ୍ଟ ଭାବେ କହିଛନ୍ତି ଯେ କୌଣସି ମୃତ ଭୋଟରଙ୍କ ମାମଲାକୁ ବାଦ ଦେଇ ଥରେ ଭୋଟରର ନାମ ଭୋଟର ଲିଷ୍ଟରେ ଚଢିଗଲେ ବିନା ନୋଟିସ୍ ଓ ଶୁଣାଣିରେ ହଟା ଯାଇ ପାରିବନି। କୌଣସି ଭାରତୀୟ ନାଗରିକର ପରିଚୟରେ ଭୋଟ ଦେବାର ଅଧିକାର ଓ ଅଥବା ଭୋଟର ଲିଷ୍ଟରେ ସାମିଲ ହେବାର ଅଧିକାର ପୃଥକ କରାଯାଇ ପାରିବନି। ଏହା ଶରୀରରୁ ଆତ୍ମାକୁ ବାହାର କରିବା ଭଳି ହେବ।

ସ୍ୱାଧୀନତା ଆନ୍ଦୋଳନ ସହ ରହିଛି ଭୋଟ ସମ୍ପର୍କ
ଜଷ୍ଟିସ୍ ଭୂୟାଁ କହିଛନ୍ତି ଯେ ସୁପ୍ରିମକୋର୍ଟ ଅନେକ ନିଷ୍ପତ୍ତିରେ କହିଛନ୍ତି ଯେ ଭୋଟ ଦେବା କୌଣସି ମୌଳିକ ଅଧିକାର ନୁହେଁ। କାରଣ କୋର୍ଟ ଏହାକୁ ସାମ୍ବିଧାନିକ ଅଧିକାର ମନେ କରନ୍ତି। ସେ କହିଛନ୍ତି ଏଣୁ ମୋ ହିସାବରେ ଜଣେ ଭାରତୀୟ ନାଗରିକର ଭୋଟ ଦେବା ଅଧିକାର ‘ବେସିକ୍ ଷ୍ଟ୍ରକ୍ଚର ଡକ୍ଟ୍ରିନ’ର କେନ୍ଦ୍ରୀୟ ଅଂଶ। ସେ ଭୋଟ ଦାନ ଅଧିକାରକୁ ଭାରତୀୟ ସ୍ୱାଧୀନତା ସଂଗ୍ରାମ ସହ ଯୋଡି କହିଛନ୍ତି ଯେ ‘ଭାରତୀୟଙ୍କ ଭୋଟ ଦାନ ଅଧିକାର ବିଦେଶୀ ଶାସନ ବିରୋଧରେ ଭାରତର ଦୀର୍ଘ ସଂଘର୍ଷ ସହ ଜଡିତ’। ଏହା ଏତେ ସଂଘର୍ଷ ଓ ବଳିବାନ ପରେ ମିଳିଥିବା ଆମ ସ୍ୱାଧୀନତାର ଏକ ଉଦାହରଣ। ଆର୍ଟିକଲ ୩୨୬ ସହ କୌଣସି ପ୍ରକାରର ହସ୍ତକ୍ଷେପ କରାଯିବା କଥା ନୁହେଁ। ସେ କହିଛନ୍ତି ଯେ କେହି କୋଟିପତି ହୋଇ ପାରନ୍ତି ଅଥବା ରିକ୍ସାଚାଳକ ଉଭୟଙ୍କ ଭୋଟର ମୂଲ୍ୟ ସମାନ।