ନୂଆଦିଲ୍ଲୀ : ଦେଶର ହସ୍ପିଟାଲମାନଙ୍କରେ ଚିକିତ୍ସକ ଓ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ହସ୍ପିଟାଲରେ ଡାକ୍ତରଙ୍କ ପ୍ରତି ହିଂସା କରୁଥିବା ରାଜନେତା ଓ ସେମାନଙ୍କ ସମର୍ଥକଙ୍କୁ ତୁରନ୍ତ ଗିରଫ କରାଯାଉ। ମହାରାଷ୍ଟ୍ରରେ ଡାକ୍ତରଙ୍କ ଉପରେ ନିକଟରେ ହୋଇଥିବା ଆକ୍ରମଣକୁ ନେଇ କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଏଭଳି ସ୍ଥଳେ ରାଜ୍ୟ ସରକାରଙ୍କୁ ଏହା ସୁନିଶ୍ଚିତ କରିବାକୁ କହିଛନ୍ତି ଯେ ଏପରି ତତ୍ୱଙ୍କୁ ଖୋଲା ଛାଡିବା ଉଚିତ ନୁହେଁ।

ସୁପ୍ରିମକୋର୍ଟ ଏହି ଟିପ୍ପଣୀ କଲ୍ୟାଣର ଶାସ୍ତ୍ରୀ ନଗର ହସ୍ପିଟାଲରେ ଡାକ୍ତରଙ୍କ ଉପରେ ଆକ୍ରମଣ ମାମଲାରେ ଜାମିନ ସର୍ତ୍ତକୁ ଚ୍ୟାଲେଞ୍ଜ କରି ରୁଜୁ ଆବେଦନର ଶୁଣାଣିରେ କରିଛନ୍ତି। ଶିବସେନା କାଉନସିଲର ରମେଶ ସୁକ୍ରିୟା ମହାତ୍ରେ ସର୍ବୋଚ୍ଚ ନ୍ୟାୟାଳୟରେ ଏପରି ଘଟଣାରେ ତାଙ୍କ ଜାମିନ ପାଇଁ ରଖାଯାଇଥିବା ସର୍ତ୍ତକୁ ଚ୍ୟାଲେଞ୍ଜ କରିଥିଲେ। ତେବେ କୋର୍ଟଙ୍କ ଆଭିମୁଖ୍ୟ ଦେଖି ଅଭିଯୁକ୍ତଙ୍କ ଓକିଲ ମୁକୁଲ ରହତୋଗୀ ତାଙ୍କ ପିଟିସନ ଫେରାଇ ନେଇଛନ୍ତି।

ଶୁଣାଣି କାଳରେ ମହାରାଷ୍ଟ୍ର ସରକାର କୋର୍ଟଙ୍କୁ କହିଛନ୍ତି ଯେ ସେ ପୂର୍ବରୁ ମହାତ୍ରେଙ୍କ ଜାମିନ ରଦ୍ଦ ନିମନ୍ତେ ଆବେଦନ ଦାଖଲ କରିଛନ୍ତି। ଏହି ଘଟଣାରେ କୋର୍ଟ ନୋଟିସ୍ ଜାରି କରି ମାମଲାର ପରବର୍ତ୍ତି ଶୁଣାଣି ୨୮ ସେପ୍ଟେମ୍ବରକୁ ଧାର୍ଯ୍ୟ କରିଛନ୍ତି। କୋର୍ଟ ସ୍ପଷ୍ଟଭାବେ କହିଛନ୍ତି ଯେ ହସ୍ପିଟାଲରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣକୁ ହାଲୁକା ଭାବେ ଗ୍ରହଣ କରାଯାଇ ପାରିବନି। ଏହି ବିବାଦ ମହାରାଷ୍ଟ୍ର ପାଲଘରସ୍ଥିତ ରିଲିଫ ହସ୍ପିଟାଲରେ ଦହି ହାଣ୍ଡି ଉତ୍ସବ କାଳରେ ଆହତ ରୋଗୀଙ୍କ ଡିସ୍ଚାର୍ଜକୁ ନେଇ ଆରମ୍ଭ ହୋଇଥିଲା।

ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ଜିଲ୍ଲା ମୁଖ୍ୟ କୁନ୍ଦନ ସାଂଖେ,ସହର ମୁଖ୍ୟ ରାହୁଲ ଧରତ ଓ ଅନ୍ୟ ନେତାମାନେ ମେଡିକାଲର ଏମାର୍ଜେନ୍ସୀ ୱାର୍ଡରେ ପଶି ଡାକ୍ତର ଓ କର୍ମଚାରୀଙ୍କ ପ୍ରତି ଦୁର୍ବ୍ୟବହାର କରିଥିଲେ। ହସ୍ପିଟାଲ ସିସିଟିଭି ଫୁଟେଜରେ ରିସେପସନିଷ୍ଟଙ୍କୁ ମାଡ଼ ମରାଯାଉଥିବା ସ୍ପଷ୍ଟ ଦେଖା ଯାଉଛି। ସେହିପରି ନେତାମାନେ ମହିଳା କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ହସ୍ପିଟାଲ ପ୍ରଶାସନ ପକ୍ଷରୁ ଅଭିଯୋଗ ରୁଜୁ ହେବା ପରେ ପୋଲିସ ଶିବସେନା ନେତାଙ୍କ ସମେତ ଅନୁନ୍ୟ ୧୮ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ଧାରାରେ ମାମଲା ରୁଜୁ କରିଛି।