ପୁରୀ: ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିର ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆ ଉତ୍ସବ । ଓଡ଼ିଆ ଜାତକ ଓ ପାଞ୍ଜି ଅଙ୍କ ଗଣନାର ବିଶେଷ ମହତ୍ୱ ରହିଥିବା ବେଳେ ରାଜଧର୍ମ ପାଳନ ମୁତାବକ ସୁନିଆ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଗଜପତି ମହାରାଜ । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ।

କେବଳ ସେତିକି ନୁହେଁ ସନାତନ ଧର୍ମରେ ପାଞ୍ଜି ଓ ଅଙ୍କ ଗଣନାର ବିଶେଷ ମହତ୍ୱ ରହିଥିବା ବେଳେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କର ଆରମ୍ଭ ହୋଇଛି ୭୧ ଅଙ୍କର ପ୍ରବେଶ । ପରମ୍ପରା ଅନୁଯାୟୀ ରାଜଗାଦିରେ ବସିବା ଦିନଠାରୁ ଅଙ୍କ ଗଣନା ଆରମ୍ଭ ହୋଇଥାଏ । ପ୍ରତ୍ୟେକ ବର୍ଷ ଏହି ଅଙ୍କ ଗଣନା ମୁତାବକ ପରମ୍ପରା ଚାଲୁ ରହୁଥିବା ବେଳେ ପୁଣି ନୂଆ ରାଜା ଅଭିଷିକ୍ତ ହେଲେ ମୂଳରୁ ଅଙ୍କ ଗଣନା ହୋଇଥାଏ । ସେହିଭଳି ସାଲ ବା ମସିହାର ହୋଇଥାଏ ପ୍ରଚଳନ । ଚଳିତବର୍ଷ ମହାରାଜ ଗଜପତିଙ୍କ ୧୪୩୪ ସାଲ ପ୍ରବେଶ ହୋଇଛି ।

Also Read: ଶ୍ରୀମନ୍ଦିରରେ ବାମନ ଜନ୍ମ ବା ବାମନ ଦ୍ୱାଦଶୀ, ଗୁରୁବାର ମହାପ୍ରଭୁଙ୍କ ବାମନ ବେଶ

ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନଅର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିଛନ୍ତି । ସୁନିଆରେ ହେଉଥିବା ଅଙ୍କ ଗଣନା ଅନୁସାରେ ହିଁ ରାଜନଅରରେ ସମସ୍ତ ନବଜାତକଙ୍କ ଜାତକ ପ୍ରସ୍ତୁତ ହୋଇଥାଏ । ସେହିଭଳି ଏହି ତିଥିରେ ରାମାଭିଷେକଙ୍କୁ ମଧ୍ୟ ପୂଜା କରାଯାଇଥାଏ।